ନୂଆଦିଲ୍ଲୀ : ଶ୍ରୀକ୍ଷେତ୍ର ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା, କଟକର ବାଲିଯାତ୍ରା, ଓଡ଼ିଶୀ ନୃତ୍ୟ ଓ ମୟୂରଭଞ୍ଜର ଛଉ ନୃତ୍ୟକୁ କେନ୍ଦ୍ର ସରକାର ଅବିସ୍ମରଣୀୟ ଜାତୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ଦେଇଛନ୍ତି । ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା ପ୍ରକାଶ କରିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜାତୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନୀତ ହେବା ପାଇଁ ସ୍ୱତନ୍ତ୍ର ପ୍ରକ୍ରିୟା ରହିଛି । କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପାରମ୍ପରିକ ପ୍ରଥା ଓ ଐତିହ୍ୟପୂର୍ଣ୍ଣ ସଂସ୍କୃତି ଆଧାରରେ ଏଥିପାଇଁ ଚୟନ କରିଥାନ୍ତି । ଏଯାବତ୍ ଓଡ଼ିଶାର ଏହି ଚାରୋଟି ପରମ୍ପରା ଏବଂ ସାଂସ୍କୃତିକ ବିଭବ ଜାତୀୟ ଅବିସ୍ମରଣୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି । ଏଗୁଡ଼ିକ ଯେଭଳି ୟୁନେସ୍କୋର ୨୦୦୩ କନ୍ଭେନସନ୍ ଆଧାରରେ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ପାଇବେ ସେ ଦିଗରେ ଉଦ୍ୟମ ଚାଲିଛି ।
ସାଂସ୍କୃତିକ ଐତିହ୍ୟରେ ଗୁରୁ-ଶିଷ୍ୟ ପରମ୍ପରାକୁ ଗୁରୁତ୍ୱ ଦେଇ ବିଭିନ୍ନ ସାଂସ୍କୃତିକ ସଂଗଠନକୁ ତାଲିମ, କର୍ମଶାଳା, ସାଂସ୍କୃତିକ ମେଳା ଆଦି ପାଇଁ ଆର୍ଥôକ ସହାୟତା ଦିଆଯାଉଛି । ଓଡ଼ିଶାର ଛଉ, ଗୋଟିପୁଅ ଓ ଓଡ଼ିଶୀ ନୃତ୍ୟ ଆଦି ଜନରାଜ୍ୟ ଦିବସ ଓ ରାଷ୍ଟ୍ରୀୟ ଏକତା ଦିବସ ଭଳି ଜାତୀୟ ଦିବସମାନଙ୍କରେ ସ୍ଥାନ ପାଉଛି ଏବଂ ୟୁନେସ୍କୋର ବିଭିନ୍ନ କାର୍ଯ୍ୟକ୍ରମର ମଧ୍ୟ ଏହି ଅବିସ୍ମରଣୀୟ ସାଂସ୍କୃତିକ ଐତିହ୍ୟର ଝଲକ ବିଦେଶ ମାଟିରେ ଆୟୋଜିତ ହେଉଛି । ଏହା ଫଳରେ ଆନ୍ତର୍ଜାତିକ ସ୍ତରରେ ଏହି ସାଂସ୍କୃତିକ ଐତିହ୍ୟଗୁଡ଼ିକର ଖ୍ୟାତି ବଢ଼ିବ ।
ସାଂସଦ ଶ୍ରୀ ରାୟ ଏକ ବିବୃତିରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ତୁରନ୍ତ ସ୍ଥାନୀତ କରିବା ପାଇଁ ରାଜ୍ୟ ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ସରକାର ତାହା ଉପରେ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟାନୁଷ୍ଠାନ କରିବା ଆବଶ୍ୟକ । ଏହାଫଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା ଓ ସଂସ୍କୃତି ଦେଶ ବିଦେଶର ଲୋକଙ୍କ ପାଖରେ ପହଞ୍ଚôପାରିବ ।
ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଥିବାବେଳେ ଓଡ଼ିଶୀ ସଂଗୀତ ଓ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଶ୍ରୀ ରାୟ ଦାବି କରିଛନ୍ତି । ଓଡ଼ିଶୀ ସଂଗୀତ ଓ ଓଡ଼ିଶୀ ନୃତ୍ୟ ଏବେ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ବିଶେଷ ଭାବେ ଆଦୃତ ହେଉଛି । ଓଡ଼ିଆ ଭାଷା ସହିତ ଓଡ଼ିଶୀ ନୃତ୍ୟ ଓ ସଂଗୀତ ଉପରେ ଅଧିକ ଗବେଷଣା ସଂଗେସଂଗେ ଏଗୁଡ଼ିକର ସମୃଦ୍ଧି ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଆର୍ଥôକ ବ୍ୟବସ୍ଥା ପ୍ରଦାନ କରିବା ପାଇଁ ସେ ନିବେଦନ କରିଛନ୍ତି ।

