Home Education ଜାତୀୟ ଶିକ୍ଷା ନୀତି ଲାଗୁ କର

ଜାତୀୟ ଶିକ୍ଷା ନୀତି ଲାଗୁ କର

ଭୁବନେଶ୍ୱର : ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ପାଇଁ ଏକ ନୀତି ନିର୍ଘଂଟ ପ୍ରଣୀତ ହେବା ଦରକାର । ପ୍ରଥମ ପର୍ଯ୍ୟାୟରେ ଚାରି ବର୍ଷିଆ ସ୍ନାତକ ଶିକ୍ଷା ପ୍ରଚଳନ ପାଇଁ ବ୍ୟବସ୍ଥା ହେବା ଦରକାର । ଏଥି ନିମନ୍ତେ ପାଠ୍ୟକ୍ରମ, ସଂରଚନା, ଦକ୍ଷତା ବିକାଶ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପ୍ରସ୍ତୁତ ହେବା ଆବଶ୍ୟକ । ଜାତୀୟ ଶିକ୍ଷା ନୀତି ୨୦୨୦ ଅନ୍ତର୍ଗତ ପ୍ରଶିକ୍ଷଣ, ପ୍ରୋଜେକ୍ଟ କାର୍ଯ୍ୟ ଓ ଇଂଟରନ୍‌ସିପ୍ ସହ ଶିଳ୍ପ ସଂଯୋଗର ଭିତ୍ତିକ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ତଥା କୁଳାଧିପତି ରଘୁବର ଦାସ ପରାମର୍ଶ ଦେଇଛନ୍ତି ।

ଆଜି ରାଜଭବନରେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ସମ୍ମିଳନୀରେ ଉଦ୍‌ବୋଧନ ଦେଇ କୁଳାଧିପତି କହିଛନ୍ତି ଯେ ଓଡ଼ିଶାରେ ବହୁ ଉଚ୍ଚମାନର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଛି । ଭୁବନେଶ୍ୱର ପୂର୍ବ ଭାରତର ଶୈକ୍ଷିକ କେନ୍ଦ୍ର ହେବା ସ୍ଥଳେ ଗୋଟିଏ ବି ପ୍ରମୁଖ ଜାତୀୟସ୍ତରୀୟ ଶିକ୍ଷା ଅନୁଷ୍ଠାନ ଓଡ଼ିଶାରେ ନରହିବା ନିଶ୍ଚିତ ରୂପେ ଚିନ୍ତାର ବିଷୟ । ଏ ଦିଗରେ ପ୍ରୟାସ କରିବାକୁ କୁଳାଧିପତି ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି ।

କୁଳାଧିପତି ଶ୍ରୀ ଦାସ ଆହୁରି କହିଛନ୍ତି ଯେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ ସ୍ନାତକ ଶିକ୍ଷାସ୍ତରରେ ରିସର୍ଚ ଆଣ୍ଡ ଡେଭଲପ୍‌ମେଂଟ ସେଲ୍ ପ୍ରତିଷ୍ଠା ହେବା ଦରକାର ଏବଂ ବହୁ ସଂଖ୍ୟାରେ ପେଟେଂଟ୍ ହାସଲ ପାଇଁ ଉଦ୍ୟମ କରିବାକୁ କୁଳାଧିପତି କହିଛନ୍ତି । ବ୍ୟାପକ ବୈଷୟିକ ଜ୍ଞାନକୌଶଳ, ପ୍ରଯୁକ୍ତି ବିଦ୍ୟା, ଇ-ଅଫିସ୍‌, ଡିଜିଟାଲ୍ ମାଧ୍ୟମର ବିପୁଳ ଉପଯୋଗ ଓ ନିୟମିତ ଅଡିଟ୍ ଉପରେ କୁଳାଧିପତି ଗୁରୁତ୍ୱ ଦେଇଛନ୍ତି ।

ଓଡ଼ିଶାରେ ୬୨ ଜନଜାତି ସଂପ୍ରଦାୟ ରହୁଛନ୍ତି, ଯେଉଁମାନେ ଓଡ଼ିଶାର ଜନସଂଖ୍ୟାର ପ୍ରାୟ ୨୩ଶତାଂଶ । ସେମାନଙ୍କ ଭାଷା, ସଂସ୍କୃତି, ଗୀତସଂଗୀତ, ଜୀବନଶୈଳୀ ଓ ଆଚାରବ୍ୟବହାର ସଂପର୍କରେ ସ୍ଥାନୀୟ ବିଶ୍ୱବିଦ୍ୟାଳୟ ତଥ୍ୟ ସଂଗ୍ରହ, ଗବେଷଣା, ମ୍ୟୁଜିଅମ ପ୍ରତିଷ୍ଠା ଉପରେ ଧ୍ୟାନ ଦେବା ଦରକାର ବୋଲି କୁଳାଧିପତି ପରାମର୍ଶ ଦେଇଛନ୍ତି ।

ଭାରତ ସରକାର ଉଚ୍ଚ ଶିକ୍ଷାର ବିକାଶ ନିମନ୍ତେ ବିବିଧ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି । ରାଜ୍ୟ ସରକାର ମଧ୍ୟ ପର୍ଯ୍ୟାପ୍ତ ସହଯୋଗ କରୁଛନ୍ତି । ଏସବୁର ଉପଯୋଗ କରି ଭଲ ଗ୍ରେଡ୍ ହାସଲ କରିବାକୁ ତଥା ଶିକ୍ଷା ଓ ଗବେଷଣାକୁ ପ୍ରାଧାନ୍ୟ ଦେବାକୁ କୁଳାଧିପତି କହିଛନ୍ତି ।

ଠିକଣା ସମୟରେ ପରୀକ୍ଷା କରିବା ସହ ଠିକ୍ ସମୟରେ ଫଳ ପ୍ରକାଶନ ଓ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିବାକୁ କୁଳପତିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୁଳପତି ସମ୍ମିଳନୀରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ସମ୍ମିଳନୀର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ଓଡ଼ିଶାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥିତି ଓ ପରିଚାଳନା ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡ.ଅରବିନ୍ଦ ପାଢ଼ୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଶାଳିନୀ ପଣ୍ଡିତ, ଉଚ୍ଚ ଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଗଙ୍ଗାଧର ସାହୁ, ଓକାକ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ମନୋଜ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ମଧୁସୁଦନ ଦାସ ପ୍ରମୁଖ ନିଜ ବିଭାଗ ଅନ୍ତର୍ଗତ ବିଶ୍ୱବିଦ୍ୟାଳୟର ସ୍ଥିତି ଓ ପ୍ରଗତି ସଂପର୍କରେ ବକ୍ତବ୍ୟ ରଖିଥିଲେ ।

କୁଳପତିମାନେ ବିଶ୍ୱବିଦ୍ୟାଳୟର ପ୍ରଗତି, ଭବିଷ୍ୟତର ଯୋଜନା, କାର୍ଯ୍ୟାନ୍ୱୟନ ବିଷୟରେ ତଥ୍ୟ ସୂଚନା ଦେବା ସହ ବିଭିନ୍ନ ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ସରକାରଙ୍କ ସହ ସମନ୍ୱୟ ରଖି ବିଶ୍ୱବିଦ୍ୟାଳୟର କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରିବାକୁ କୁଳାଧିପତି ପରାମର୍ଶ ଦେଇଥିଲେ । ସମ୍ମିଳନୀରେ କୁଳପତିଙ୍କ ସହ କୁଳ ସଚିବ ଓ ବିତ୍ତ ନିୟନ୍ତ୍ରକ ତଥା ରାଜଭବନର ଅଧିକାରୀମାନେ ଯୋଗ ଦେଇଥିଲେ ।