Home General ଜାତୀୟ ରାଜପଥ ପାଲଟିଲାଣି ମରଣ ଯନ୍ତା

ଜାତୀୟ ରାଜପଥ ପାଲଟିଲାଣି ମରଣ ଯନ୍ତା

ଭୁବନେଶ୍ୱର : ମୌସୁମୀ ବର୍ଷାରେ କେବଳ ରାଜଧାନୀର ରାସ୍ତାରେ ମାଳ ମାଳ ଖାଲଖମା ସୃଷ୍ଟି ହୋଇନାହିଁ, ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥ ବି ଖାଲଖମାରେ ଭର୍ତ୍ତି । ଏତେ ବଡ ବଡ ଖାଲ ହୋଇଥିଲେ ବି ରାଜପଥ କର୍ତ୍ତୃପକ୍ଷ କିଭଳି ଏହି ମରଣଯନ୍ତାକୁ ଦେଖିପାରୁ ନାହାନ୍ତି ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ରାଜ୍ୟ ରାଜଧାନୀରେ ରହିଛି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ । ଏହି କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ପ୍ରତିଦିନ ଭୁବନେଶ୍ୱରରୁ କଟକ ଏବଂ ସେହିବାଟ ଦେଇ ଅନ୍ୟାନ୍ୟ ସ୍ଥାନକୁ ଯାଉଛନ୍ତି । ହେଲେ ଏହି ଜାତୀୟ ରାଜପଥରେ ଏବେ ମାଳ ମାଳ ଖାଲଖମା । କଟକ ଗୋପାଳପୁର ନିକଟରେ ରାସ୍ତା ମଝିରେ ଫୁଟେ/ ଦୁଇ ଫୁଟର ଗାଡ ସୃଷ୍ଟି ହୋଇଛି । ଏହି ଖାଲର ଗଭୀରତା ପ୍ରତିଦିନ ବଢୁଛି । ଏହା ଉପରେ ପିଚୁ ଗଣ୍ଡାଏ କେହି ପକାଉ ନାହାନ୍ତି । ବର୍ଷା ହେଲେ ଖାଲରେ ପାଣି ଭର୍ତ୍ତିହୋଇ ବଡ ବିପଦଜନକ ସ୍ଥିତି ସୃଷ୍ଟି କରୁଛି ।

ଭୁବବେଶ୍ୱର ଠାରୁ କଟକ ପର୍ଯ୍ୟନ୍ତ ଲମ୍ବିଥିବା ରାଜପଥରର ବହୁ ସ୍ଥାନରେ ପରସ୍ତ ପରସ୍ତ ହୋଇ ପିଚୁ ଉଠିଯିବା ସହିତ କେତେକ ସ୍ଥାନରେ ସେତୁ ଉପରେ ପିଚୁ ଉଠି ଲୁହା ରଡ୍‍ ଦିଶିଲାଣି । କେତେବେଳେ ଏଠାରେ କାହାର ଜୀବନ ଚାଲିଯିବ ତାହା କହି ହେଉନାହିଁ । ସେହିଭଳି ହଂସପାଳ ଛକ ନିକଟରେ ଭୁବନେଶ୍ୱରରୁ କଟକକୁ ଯାଉଥିବା ଗାଡିଗୁଡିକୁ ନିୟନ୍ତ୍ରଣ କରିବାପାଇଁ କେହି ନାହାନ୍ତି । ଏଠାରେ ଟ୍ରାଫିକ ଭିଡ ଯୋଗୁଁ ଅତି କମ୍‍ରେ ୩୦ ମିନିଟ୍‍ରୁ ଏକ ଘଣ୍ଟା ଅଟକିବାକୁ ପଡୁଛି । ରାଜପଥ କର୍ତ୍ତୃପକ୍ଷ ଏଠାରେ ଗୋଟିଏ ପଟେ ଫ୍ଲାଇଓଭର ଖୋଲିଥିବାବେଳେ ଆଉ ଗୋଟିଏ ପଟରେ କାମ ଚଳାଉଛନ୍ତି । ତେବେ କାମ ସରିବା ପର୍ଯ୍ୟନ୍ତ ଏହା ପାଶ୍ୱର୍ରେ ଥିବା ସଡକକୁ ଅତ୍ୟନ୍ତ ମରାମତି କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି । ସେହି ସ୍ଥାନଟିରେ ଯେଭଳି ଖାଲଖମା ହୋଇଛି ସେଠାରେ ଦୁଇ ଚକିଆ ଓ ଚାରିଚକିଆ ଚାଳକମାନେ ଅତ୍ୟନ୍ତ ବିପଦଜନକ ସ୍ଥିତିରେ ଯା ଆସ କରୁଛନ୍ତି ।

ରାଜ୍ୟ ରାଜଧାନୀରେ ରାଜପଥର ଯଦି ଅବସ୍ଥା ଏମିତି, ତେବେ ରାଜ୍ୟର ଅନ୍ୟ ସ୍ଥାନରେ ଥିବା ଜାତୀୟ ରାଜପଥର ଅବସ୍ଥା କ’ଣ ହୋଇଥିବ ବୋଲି ଲୋକେ ପ୍ରଶ୍ନ କଲେଣି । କାରଣ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଟୋଲଗେଡ୍‍ରେ ଟିକସ ଆଦାୟ ପାଇଁ ନୂଆ ନୂଆ ଫର୍ମୁଲା ଗ୍ରହଣ କରୁଥିବାବେଳେ ଅନୁରୂପ ଭାବେ ରାଜପଥର ରକ୍ଷଣା ବେକ୍ଷଣ ପ୍ରତି ଦୃଷ୍ଟି ଦେଉନାହାନ୍ତି । ରାଜ୍ୟ ରାଜଧାନୀରେ କଟକ ଦେଇ ଯାଇଥିବା ରାଜପଥରେ ଦୈନିକ ରାଜ୍ୟର ମନ୍ତ୍ରୀ, ବିଧାୟକଙ୍କ ସମେତ ରାଜପଥ କର୍ତ୍ତୃପକ୍ଷଙ୍କର ବରିଷ୍ଠ ଅଧିକାରୀମାନେ ଯାଉଛନ୍ତି । ହେଲେ ଏଠାରେ ସୃଷ୍ଟି ହୋଇଥିବା ଖାଲଖମାକୁ କାହିଁକି ମରାମତି କରାଯାଉନାହିଁ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । (ତଥ୍ୟ)