Home General ଜଳ ସାଥୀଙ୍କ ମିଆଦ ଶେଷ

ଜଳ ସାଥୀଙ୍କ ମିଆଦ ଶେଷ

ଭୁବନେଶ୍ୱର : ରାଜଧାନୀରେ ଜଳ ପରୀକ୍ଷା ପାଇଁ ମୁତୟନ ଥିବା ଜଳସାଥୀ ମାନଙ୍କର ନିଯୁକ୍ତି କାର୍ଯ୍ୟକାଳ ସରିଯାଇଛି । ନିଯୁକ୍ତି ଅବଧି ନବୀକରଣ ହୋଇନଥିବାରୁ ସହରରେ ଘରକୁ ଘର ବୁଲି ଜଳର ମାନ ପରୀକ୍ଷା ଏକ ପ୍ରକାର ଶେଷ ହୋଇଯାଇଛି ।

ରାଜଧାନୀରେ ଯୋଗାଣ ହେଉଥିବା ଜଳର ମାନ ପରୀକ୍ଷା ସହିତ ନିୟମିତ ଭାବେ ଜଳ କର ଆଦାୟ ପାଇଁ ଅମୃତ ଯୋଜନାରେ ଜଳସାଥୀମାନଙ୍କୁ ନିୟୋଜିତ କରାଯାଇଥିଲା । ଏମାନଙ୍କୁ କର୍ତ୍ତୃପକ୍ଷ ଜଳ ପରୀକ୍ଷାର ତାଲିମ ଦେବା ସହିତ ଡିଜିଟାଲ ପଦ୍ଧତିରେ ଅର୍ଥ ଆଦାୟ ପାଇଁ ପୋସ୍‍ ମେସିନ୍‍ ଯୋଗାଇ ଦେଇଥିଲେ । ଏଥିପାଇଁ ବ୍ୟାଙ୍କ୍‍ କର୍ତ୍ତୃପକ୍ଷଙ୍କ ସହିତ ମଧ୍ୟ ବୁଝାମଣା ହୋଇଥିଲା । ଗୋଟିଏ ଘରୁ ଜଳର ନମୂନା ସଂଗ୍ରହ କରି ପରୀକ୍ଷାକଲେ ଜଳସାଥୀମାନେ ୨୦ ଟଙ୍କା କରି ପାଉଥିଲେ । ଏଥି ସହିତ ସେମାନଙ୍କୁ ମାସିକ ପାଉଣା ମଧ୍ୟ ମିଳୁଥିଲା ।

ହେଲେ ଏବେ ଜଳସାଥୀମାନଙ୍କର କାର୍ଯ୍ୟକାଳ ଗତ ସେପ୍ଟମ୍ବର ମାସରୁ ସରିଯାଇଛି । ଏହାର ନବୀକରଣ ହୋଇନଥିବାରୁ ସେମାନେ ଆଉ କାମ କରୁନାହାନ୍ତି । ଫଳରେ ସହରବାସୀଙ୍କର ଜଳ ପରୀକ୍ଷା ହେବା କିମ୍ବା ଜଳ କର ଆଦାୟର ଆଉ ସୁବିଧା ସୁଯୋଗ ନାହିଁ । ଏଥି ସହିତ ସହରାଞ୍ଚଳରେ କର୍ମସଂସ୍ଥାନ ଯୋଗାଇ ଦେବାପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ଏଥିରେ ନିୟୋଜିତ କରାଯାଇଥିବାବେଳେ ସେମାନଙ୍କ ହାତରୁ ମଧ୍ୟ କାମ ସରିଯାଇଛି ।

ଅମୃତ ଯୋଜନା ଦାୟିତ୍ୱରେ ଥିବା ଅଧିକାରୀ ଏ କ୍ଷେତ୍ରରେ ନିରବ ଥିବାବେଳେ ନଗର ଉନ୍ନୟନ ବିଭାଗ ମଧ୍ୟ ଏ ଦିଗରେ ପଦକ୍ଷେପ ଗ୍ରହଣ କରୁନଥିବା ଲକ୍ଷ୍ୟ କରାଯାଇଛି । ଫଳରେ ଜଳସାଥୀମାନଙ୍କ ସହିତ ବିଭାଗକୁ ବିଭିନ୍ନ କାର୍ଯ୍ୟପାଇଁ ଆଉଟସୋର୍ସିଂ ଜରିଆରେ ଆସିଥିବା ୬ଶହରୁ ଅଧିକ କର୍ମଚାରୀମାନଙ୍କର ମଧ୍ୟ କାର୍ଯ୍ୟ ଶେଷ ହୋଇଛି । ସେମାନଙ୍କ ନିଯୁକ୍ତିର ନବୀକରଣ ହୋଇପାରି ନାହିଁ ।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଠିକା କର୍ମଚାରୀମାନଙ୍କର ନିଯୁକ୍ତି ନବୀକରଣ ହୋଇନଥିବାବେଳେ ସେମାନେ ପୂର୍ବଭଳି କାର୍ଯ୍ୟ କରୁଛନ୍ତି । ଏପରିକି ବାତ୍ୟା ସମୟରେ ସ୍ଥିତି ମୁକାବିଲା ପାଇଁ ଏହି କର୍ମଚାରୀମାନଙ୍କୁ ମୁତୟନ କରାଯାଇଥିଲା । ସେମାନେ ଦିନ ରାତି ଏକ କରି କାମ କରିଥିଲେ । ହେଲେ ଏବେ ବି ଏହି କର୍ମଚାରୀମାନେ ସେପ୍ଟେମ୍ବର ମାସର ପାଉଣା ପାଇନଥିବାବେଳେ ଆଗାମୀ ଦିନରେ ସେମାନଙ୍କ ନିଯୁକ୍ତି ବୈଧ ହେବ କି ନାହିଁ ତାହା ସେମାନେ ଜାଣିପାରୁ ନାହାନ୍ତି । (ତଥ୍ୟ)