ଭୁବନେଶ୍ୱର : ଜଳ ଜୀବନ ମିଶନ ଯୋଜନାରେ କେନ୍ଦ୍ର ସରକାର ମଞ୍ଜୁର ଅର୍ଥ ପ୍ରଦାନ କରୁନଥିବାରୁ ରାଜ୍ୟରେ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଧିମେଇ ଗଲାଣି । କେନ୍ଦ୍ରୀୟ ଟିମ୍ ଓଡିଶାରେ କରିଥିବା ତଦନ୍ତରୁ ସେଭଳି କୌଣସି ଅନିୟମିତତା ପାଇନଥିଲେ ମଧ୍ୟ ବିନା ଦୋଷରେ ଅର୍ଥ ମଞ୍ଜୁର କରୁନଥିବା ଜଣାଯାଇଛି ।
ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଜଳ ଜୀବନ ମିଶନରେ ଓଡିଶା ପାଇଁ ୭୦୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ହେଲେ ଆର୍ଥିକ ବର୍ଷ ସାଢେ ଚାରି ବର୍ଷ ବିତିବାକୁ ଯାଉଥିବାବେଳେ ବରାଦ ଅର୍ଥ ରାଜ୍ୟକୁ ମିଳିପାରୁ ନାହିଁ । ଫଳରେ ପ୍ରତ୍ୟେକ ପରିବାରକୁ ପାଇପ୍ ଯୋଗେ ସ୍ୱଚ୍ଛ ପାନୀୟଜଳ ଯୋଗାଣ ପାଇଁ ରାଜ୍ୟ ସରକାର ଯେଉଁସବୁ ସଂସ୍ଥା ସହିତ ରାଜିନାମା କରିଥିଲେ ସେମାନଙ୍କୁ ଅର୍ଥ ପ୍ରଦାନ କରିପାରୁ ନାହାନ୍ତି । ଏଥିଯୋଗୁଁ ପାନୀୟଜଳ ଯୋଗାଣର ଲକ୍ଷ୍ୟ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବାଭଳି ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଜଳ ଜୀବନ ମିଶନରେ ଯୋଗାଇଥିବା ଅର୍ଥ ରାଜ୍ୟଗୁଡିକରେ କିଭଳି ବିନିଯୋଗ ହୋଇଛି ତାହାର ସରଜମିନ ତଦନ୍ତ କରିଥିଲେ । ଏଥିପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଅଧିନରେ ଥିବା ପାନୀୟଜଳ ଓ ପରିମଳ ବିଭାଗର ଗୋଟିଏ ଟିମ୍ ରାଜ୍ୟ ଗସ୍ତରେ ଆସି ଯୋଜନାର କାର୍ଯ୍ୟକାରିତା ପରଖିଥିଲେ । ହେଲେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଓଡିଶାରେ ସେଭଳି କୌଣସି ଅନିୟମିତତା ହୋଇଥିବା ଟିମ୍ ନଜରକୁ ଆସିନାହିଁ । ଅନ୍ୟ ରାଜ୍ୟରେ ପୁଳା ପୁଳା ଅନିୟମିତତା ଧରାପଡିଥିବାବେଳେ ଓଡିଶାରେ ପ୍ରକଳ୍ପର କାର୍ଯ୍ୟକାରିତା ସନ୍ତୋଷଜନକ ରହିଛି । ଏହା ସତ୍ୱେ ବି ଓଡିଶା ପାଇଁ ବରାଦ ଅର୍ଥ ମିଳିପାରୁନାହିଁ ।
ଉଲ୍ଲେଖନୀୟ ଯେ ଜଳ ଜୀବନ ମିଶନରେ କେନ୍ଦ୍ର ସରକାର କେନ୍ଦ୍ରଶାସିତ ଅଞ୍ଚଳ, ଯେଉଁଠାରେ ବିଧାନସଭା ନାହିଁ, ତାହାକୁ ଶତ ପ୍ରତିଶତ ଅନୁଦାନ ପ୍ରଦାନ କରୁଥିବାବେଳେ ପୂର୍ବତ୍ତୋର ରାଜ୍ୟ, ହିମାଳୟ ଅଞ୍ଚଳ ସମେତ ବିଧାନସଭା ଥିବା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ୯୦ ପ୍ରତିଶତ ଅଂଶଧନ ଯୋଗାଇ ଦେଇଥାନ୍ତି । ଦେଶର ଅବଶିଷ୍ଟ ରାଜ୍ୟଗୁଡିକ ୫୦ ପ୍ରତିଶତ ଅଂଶ ପାଇଥାନ୍ତି ।
ଓଡିଶାରେ ୮୮ଲକ୍ଷ ୬୬ହଜାର ପରିବାରକୁ ଜଳ ଜୀବନ ମିଶନରେ ସ୍ୱଚ୍ଛ ପାନୀୟଜଳ ଯୋଗାଣ ପାଇଁ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ହେଉଛି । ବର୍ତ୍ତମାନ ସୁଦ୍ଧା ୬୮ଲକ୍ଷରୁ ଅଧିକ ପରିବାରକୁ ପାନୀୟଜଳ ସଂଯୋଗ ହୋଇଥିବାବେଳେ ଏବେ ବି ୨୦ଲକ୍ଷରୁ ଅଧିକ ପରିବାର ପାନୀୟଜଳ ସଂଯୋଗ ଅପେକ୍ଷାରେ ରହିଛନ୍ତି । ଏମାନଙ୍କୁ ପାନୀୟଜଳ ସଂଯୋଗ ପାଇଁ ଧାର୍ଯ୍ୟ ଲକ୍ଷ୍ୟର ସୀମାକୁ ସରକାର ବାରମ୍ବାର ବୃଦ୍ଧି କରୁଛନ୍ତି । ବହୁ ସଂଖ୍ୟକ ମେଗା ପାନୀୟଜଳ ପ୍ରକଳ୍ପ ଅଧାପନ୍ତରିଆ ସ୍ଥିତିରେ ରହିଛି । ଏହିସବୁ ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଥିବା ସଂସ୍ଥାକୁ ଠିକଣା ସମୟରେ ଅର୍ଥ ପ୍ରଦାନ ଜରୁରୀ ହୋଇ ପଡିଥିବାବେଳେ କେନ୍ଦ୍ରର ଅର୍ଥ ପ୍ରଦାନରେ ଅହେତୁକ ବିଳମ୍ବ ଏବେ ଏ କ୍ଷେତ୍ରରେ କଣ୍ଟା ସାଜିଛି ।
କେନ୍ଦ୍ର ସରକାର ଯଦି ତୁରନ୍ତ ଏହି ଯୋଜନାରେ ଅର୍ଥ ପ୍ରଦାନ ନକରନ୍ତି ତେବେ ଅନେକ ପ୍ରକଳ୍ପର କାର୍ଯ୍ୟ ଠପ୍ ହୋଇଯିବ ଏବଂ ଧାର୍ଯ୍ୟ ସମୟ ମଧ୍ୟରେ ପାନୀୟଜଳ ଯୋଗାଇବା ସମ୍ଭବପର ହେବନାହିଁ । ଉଲ୍ଲେଖନୀୟ ଯେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଏହି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରୁଥିବାବେଳେ କେନ୍ଦ୍ରରୁ ଅର୍ଥ ନମିଳିବା ବିଭାଗ ପାଇଁ ବଡ ଆହ୍ୱାନ ହୋଇଛି । (ତଥ୍ୟ)