Home General ଜଳ ଜୀବନ ମିଶନରେ ମିଳିଲାଣି ୭୭୧୨ କୋଟି

ଜଳ ଜୀବନ ମିଶନରେ ମିଳିଲାଣି ୭୭୧୨ କୋଟି

ଭୁବନେଶ୍ୱର : ଜଳ ଜୀବନ ମିଶନ ଯୋଜନାର କେନ୍ଦ୍ର ସରକାର ଓଡିଶାକୁ ୭୭୧୨ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଏହି ଅର୍ଥ ୨୦୧୯-୨୦ ରୁ ୨୦୨୪-୨୫ ମଧ୍ୟରେ ରାଜ୍ୟକୁ ମିଳିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭି ସୋମାନ୍ନା ।

ରାଜ୍ୟରେ ପାନୀୟ ଜଳ ଯୋଗାଣ ସଂକ୍ରାନ୍ତରେ ବିଜେଡି ସାଂସଦ ମୁନ୍ନା ଖାଁ ରାଜ୍ୟସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ୨୦୧୯ ମସିହାରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଜଳ ଜୀବନ ମିଶନ- ହର ଘର ଜଳ ଯୋଜନା । ଓଡିଶା ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଯୋଜନା ଆରମ୍ଭ ସମୟରେ ରାଜ୍ୟର ଗ୍ରାମାଞ୍ଚଳର ୩.୧୧ ଲକ୍ଷ ପରିବାର ଅର୍ଥାତ୍‍ ମାତ୍ର ୩.୫୧ ପ୍ରତିଶତ ପରିବାରକୁ ପାଇପ୍‍ ଯୋଗେ ପାନୀୟଜଳ ମିଳୁଥିଲା । ଚଳିତବର୍ଷ ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟର ୮୮.୬୫ ଲକ୍ଷ ପରିବାରକୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଇପାରିଛି ।

କେବିକେ ଅଞ୍ଚଳରେ ଥିବା ଲୋକଙ୍କୁ ପାନୀୟଜଳ ଯୋଗାଣ ପାଇଁ ଓଡିଶା ସରକାର ଏକକ ଓ ଏକାଧିକ ଗ୍ରାମ୍ୟ ପାଇଁ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହିତ ସୌରଶକ୍ତି ଚାଳିତ ପାଇପ୍‍ ଜଳ ଯୋଗାଣ ପ୍ରକଳପ କାର୍ଯ୍ୟକାରୀ କରୁଛନ୍ତି । ଏହା ସହିତ ସୌରଶକ୍ତି ଚାଳିତ ନଳକୂଳ ଓ ହସ୍ତଚାଳିତ ନଳକୂପ ମଧ୍ୟ କାର୍ଯ୍ୟକାରୀ ହେଉଛି ।

କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ ୮ଟି ଜଳସେଚନ ପ୍ରକଳ୍ପକୁ ରାଜ୍ୟରେ ଅଗ୍ରାଧିକାର ଦିଆଯାଉଛି । ଏହିସବୁ ପ୍ରକଳ୍ପ ମଧ୍ୟରେ ରହିଛି ଅପର ଇନ୍ଦ୍ରାବତୀ, ରୁକୁରା-ଟ୍ରିବାଲ, ରେତ ଜଳସେଚନ ପ୍ରକଳ୍ପ, ତେଲେଙ୍ଗିରି, ଲୋୟର ଇନ୍ଦ୍ର, ସୁବର୍ଣ୍ଣରେଖା, ଆନନ୍ଦପୁର ବ୍ୟାରେଜ ଓ କାନପୁର ଜଳସେଚନ ପ୍ରକଳ୍ପ । ଏହିସବୁ ପ୍ରକଳ୍ପ ପାଇଁ ୨୦୧୬ରୁ ବର୍ତ୍ତମାନ ସୁଦ୍ଧା ଓଡିଶାକୁ ୧୨୦୮ କୋଟି ଟଙ୍କା ମିଳିସାରିଲାଣି ।

ଗୋଟିଏ ପଟେ ରାଜ୍ୟରେ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ ପାଇଁ ମେଗା ପାନୀୟଜଳ ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଥିବାବେଳେ ଅନ୍ୟପଟେ କେତେକ ଅଞ୍ଚଳରେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ତେଣୁ ଭୂତଳ ଜଳସ୍ତର ରିଚାର୍ଜ ପାଇଁ ରାଜ୍ୟରେ ୨୨ହଜାର ଢାଞ୍ଚା ପ୍ରସ୍ତୁତ କରାଯାଉଛି । କେନ୍ଦ୍ର ଭୂତଳ ଜଳ ବୋର୍ଡ ପକ୍ଷରୁ ଏହାର ସମୀକ୍ଷା କରାଯିବା ସହିତ ଜଳସ୍ତର ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।
ଜାତୀୟ ଜଳ ନୀତି ଅନୁଯାୟୀ ବର୍ଷା ଜଳ ସଂରକ୍ଷଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଉଛି । ସହରାଞ୍ଚଳରେ କୌଣସି ଛୋଟ କିମ୍ବା ବଡ ଘର ନିର୍ମାଣ ସମୟରେ ବର୍ଷାଜଳ ସଂରକ୍ଷଣକୁ ବାଧ୍ୟତାମୂଳକ କର।।ଯାଇଛି । ଏହାଛଡା ଗୋଷ୍ଠି ସହଭାଗିତାରେ ନଦୀ, ନଦୀ କୂଳିଆ ଅଞ୍ଚଳରେ ଜଳ ସଂରକ୍ଷଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଉଛି । (ତଥ୍ୟ)