Home News in Odia ଜଳସେଚନ ପ୍ରକଳ୍ପ ସରକାରଙ୍କ ପାଇଁ ବୋଝ

ଜଳସେଚନ ପ୍ରକଳ୍ପ ସରକାରଙ୍କ ପାଇଁ ବୋଝ

ଭୁବନେଶ୍ୱର : ଠିକଣା ସମୟରେ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ସରୁନଥିବାରୁ ଏହାର ବୃଦ୍ଧି ପାଉଥିବା ବ୍ୟୟବରାଦ ଏବେ ସରକାରଙ୍କ ପାଇଁ ବଡ ବୋଝ ପାଲଟିଲାଣି । ଗୋଟିଏ ଗୋଟିଏ ପ୍ରକଳ୍ପର ବ୍ୟୟବରାଦ ୨୪ଗୁଣରୁ ଅଧିକ ବୃଦ୍ଧି ପାଇଛି ।

ଜଳସେଚନ ପ୍ରକଳ୍ପ ବ୍ୟୟବୃଦ୍ଧି କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ବଲାଙ୍ଗିର ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ । ୨୦୦୧ ମସିହାରେ ଏହି ପ୍ରକଳ୍ପ ଆରମ୍ଭ ସମୟରେ ଏହାର ବ୍ୟୟବରାଦ ଥିଲା ୨୧୭ କୋଟି ୧୩ଲକ୍ଷ ଟଙ୍କା । ଏତିକି ଅର୍ଥରେ ପ୍ରକଳ୍ପ କାର୍ଯ୍ୟ ସରିବ ବୋଲି ଅଟକଳ କରାଯାଇଥିଲା । ପ୍ରକଳ୍ପର ସମୟସୀମା ବଢି ବଢି ୨୦୨୬ରେ ପହଞ୍ଚିଥିବାବେଳେ ବ୍ୟୟବରାଦ ୫୨୫୯ କୋଟି ଟଙ୍କାକୁ ଟପିଯାଇଛି । ଦୁଇ ଦଶନ୍ଧି ପରେ ବି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ନହେବା ଏବଂ ବ୍ୟୟବରାଦ ୨୪ଗୁଣରୁ ଅଧିକ ବଢିବା ଏବେ ସରକାରଙ୍କ ପାଇଁ ଆର୍ଥିକ ବୋଝ ପାଲଟିଛି ।

କଟକ ଜିଲ୍ଲାରେ ପ୍ରତିଷ୍ଠା ହେଉଥିବା ହାଡୁଆ ଜଳସେଚନ ପ୍ରକଳ୍ପକୁ ୨୧ବର୍ଷ ପୂରିଥିଲେ ବି ଏହାର କାର୍ଯ୍ୟ ସରୁନାହିଁ । ୨୦୦୬ ମସିହାରେ ୬୧କୋଟି ୪୮ଲକ୍ଷ ଟଙ୍କାରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ୨୦୨୭ରେ ସରିବାର ଲକ୍ଷ୍ୟ ଥିବାବେଳେ ବ୍ୟୟବରାଦ ୬୩୭ କୋଟି ଟଙ୍କାକୁ ଟପିଯାଇଛି । କେନ୍ଦୁଝର ଜିଲ୍ଲାରେ ପ୍ରତିଷ୍ଠା ହେଉଥିବା ସମନ୍ୱିତ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ଅବସ୍ଥା ତଦ୍ରୁପ । ୨୦୦୫ ମସିହାରେ ୫୮୧ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ୨୦୨୭ ମସିହାରେ ସାରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ବ୍ୟୟବରାଦ ବଢି ବଢି ୨୯୯୦ କୋଟି ଟଙ୍କାକୁ ଟପିଗଲାଣି ।

ଗଜପତି ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ଛେଳିଗଡ ପ୍ରକଳ୍ପ ସରିବାକୁ ୨୨ବର୍ଷ ଲାଗିଯାଇଥିଲା । ୨୦୦୩ମସିହାରେ ଏହି ପ୍ରକଳ୍ପ କାର୍ଯ୍ୟ ୫୩ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବାବେଳେ ୨୦୨୫ ମସିହାରେ ଏହା ସରିବା ବେଳକୁ ଖର୍ଚ୍ଚ ପରିମାଣ ୯୩୬ କୋଟି ଟଙ୍କାକୁ ଟପିଯାଇଥିଲା । ରେଙ୍ଗାଳି ଦକ୍ଷିଣ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ୩୦ବର୍ଷ ହେଲା ଜାରି ରହିଛି । ଢେଙ୍କାନାଳ ଜିଲ୍ଲାରେ ଏହି ପ୍ରକଳ୍ପ ୧୯୯୭ ମସିହାରେ ଆରମ୍ଭ ହୋଇଥିଲା ମାତ୍ର ୨୮୩ କୋଟି ୨୫ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ । ପ୍ରକଳ୍ପ ସାରିବାପାଇଁ ୨୦୨୭କୁ ଧାର୍ଯ୍ୟ ହୋଇଥିବାବେଳେ ବ୍ୟୟବରାଦ ପରିମାଣ ୪୮୨୪ କୋଟି ଟଙ୍କାକୁ ଟପିଗଲାଣି ।

କେନ୍ଦୁଝର ଜିଲ୍ଲାରେ ନିର୍ମାଣ ହୋଇଥିବା କାନପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସରିବାକୁ ଲାଗିଯାଇଥିଲା ୨୧ବର୍ଷ । ୨୦୦୪ ମସିହାରେ ଏହି ପ୍ରକଳ୍ପକାର୍ଯ୍ୟ ୮୬ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବାବେଳେ ୨୦୨୫ରେ ଏହା ସରିବା ବେଳକୁ ଖର୍ଚ୍ଚ ହୋଇଥିଲା ୨୪୩୮ କୋଟି ଟଙ୍କାକୁ ଅଧିକ । ସମ୍ବଲପୁର ଜିଲ୍ଲାରେ ଚାଲିଥିଲା ଓଏନ୍‍ଜି ସମ୍ପ୍ରସାରିତ ପ୍ରକଳ୍ପ କାର୍ଯ୍ୟ ୨୦୧୫ ମସହାରୁ ୧୧ବର୍ଷ ଧରି ଚାଲିଛି । ଆସନ୍ତାବର୍ଷ ଏହା ସାରିବାକୁ ଲକ୍ଷ୍ୟ ରହିଛି । ତେବେ ଏହାର ମୂଳ ବ୍ୟୟଅଟକଳ ୨୬.୮୮ କୋଟି ଟଙ୍କାରୁ ବୃଦ୍ଧିପାଇ ୨୨୧ କୋଟି ଟଙ୍କାକୁ ଟପିଗଲାଣି ।

ରାଜ୍ୟରେ ଜଳସେଚନ ପ୍ରକଳ୍ପ ଉପରେ ଗୁରୁତ୍ୱାରୋପ କରାଯାଉଥିବାବେଳେ କୌଣସି ଗୋଟିଏ ହେଲେ ପ୍ରକଳ୍ପ ଧାର୍ଯ୍ୟ ବ୍ୟୟବରାଦ ମଧ୍ୟରେ ସମାପ୍ତ ନହେବା ଏବେ ରାଜ୍ୟରେ ଜଳସେଚନ ପ୍ରକଳ୍ପ ନିର୍ମାଣ ଓ ଜମିକୁ ଜଳସେଚିତ କରିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ଅର୍ଥ ଅପଚୟ ପାଇଁ କିଏ ଦାୟୀ ତାହାକୁ ଖୋଜି ବାହାର କରିବା ସହିତ ସରକାରୀ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଜଳସେଚନ ପ୍ରକଳ୍ପ ନିର୍ମାଣ କରିବା ସହଜ ହେବନାହିଁ ବୋଲି କୁହାଯାଉଛି । (ତଥ୍ୟ)