Home Administration ଜଳସାଥୀଙ୍କ ସଶକ୍ତୀକରଣ କର୍ମଶାଳା

ଜଳସାଥୀଙ୍କ ସଶକ୍ତୀକରଣ କର୍ମଶାଳା

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ପୌର ସଂସ୍ଥା ମାନଙ୍କର ୱାର୍ଡ଼ ସମୂହରେ ପ୍ରଭାବୀ ଲୋକସେବା ପ୍ରଦାନ ନିମନ୍ତେ ମିଶନ୍ ଶକ୍ତି ଗୋଷ୍ଠୀ ପରି ସହଭାଗୀ ମାନଙ୍କର ସଶକ୍ତୀକରଣ ପ୍ରକ୍ରିୟା ତ୍ଵରାନ୍ଵିତ କରାଯାଉଛି।

ସହରାଞ୍ଚଳ ଜଳ ଯୋଗାଣ ବ୍ୟବସ୍ଥାକୁ ମିଶନ୍ ଶକ୍ତି ଗୋଷ୍ଠୀ ନେତୃତ୍ଵରେ ଆଗେଇ ନେବା ପାଇଁ ୨ ନଭେମ୍ବର ୨୦୨୨ ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଜଳସାଥୀ ମାନଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିଲା ଯେଉଁଥିରେ ଜଳ ଯୋଗାଣ ସୁବ୍ୟବସ୍ଥିତ କରିବା ପାଇଁ ଭୁବନେଶ୍ଵର, କଟକ ଓ ପୁରୀର ୨୪୪ ଜଣ ଜଳସାଥୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ସମ୍ପ୍ରସାରିତ କରାଯାଇ ଅନୁଗୁଳ, କଟକ ଓ ଭୁବନେଶ୍ଵର ଡିଭିଜନ୍ ଅନ୍ତର୍ଗତ ୨୧ ଟି ପୌରସଂସ୍ଥା ଅଧୀନରେ କାର୍ଯ୍ୟରତ ଜଳସାଥୀ ମାନଙ୍କର ପ୍ରଶିକ୍ଷଣ କର୍ମଶାଳା ଆଜି ଭୁବନେଶ୍ଵର ଠାରେ ଅନୁଷ୍ଠିତ ହୋଇଥିଲା। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ଶାରଦା ପ୍ରସାଦ ପଣ୍ଡା ଏଥିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ 5T ସୁଶାସନ ମନ୍ତ୍ରରେ ଅନୁପ୍ରାଣିତ ହୋଇଥିବା ଜଳସାଥୀ କାର୍ଯ୍ୟକ୍ରମ ସହରାଞ୍ଚଳ ଜଳ ଯୋଗାଣ ବ୍ୟବସ୍ଥାକୁ ସୁସଂଯୋଜିତ କରିବା ପାଇଁ ମିଶନ୍ ଶକ୍ତି ଗୋଷ୍ଠୀ ନେତୃତ୍ଵରେ ସଂଚାଳିତ ଏକ ଲୋକାଭିମୁଖୀ ଯୋଜନା ବୋଲି ଅଭିହିତ କରିଥିଲେ।

ବିକେନ୍ଦ୍ରୀକରଣ ଓ ଗୋଷ୍ଠୀ ସହଭାଗିତା ‘ଅର୍ବାନ୍ ଓଡ଼ିଶା ମଡେଲ୍’ ର ଦୁଇ ଚକ୍ଷୁ ସଦୃଶ ବୋଲି ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପର ଅବତାରଣା କରିବା ସହ ବିଭିନ୍ନ ଦେୟ ଆଦାୟ ଓ ଅଭିଯୋଗ ସମାଧାନ ଦିଗରେ ମିଶନ୍ ଶକ୍ତି ଗୋଷ୍ଠୀ ମାନେ ଏବେ ଗୁରୁଦାୟିତ୍ଵ ତୁଲାଉଥିବାରୁ ଆଗାମୀ ଦିନରେ ଏଲ୍.ଇ.ଡ଼ି ଓ ସ୍ଵଛ ପାନୀୟ ଜଳ ଯୋଗାଣକୁ ଏମାନେ ଉଚ୍ଚତର ସୋପାନକୁ ନେଇଯିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ବିଭାଗର ପ୍ରମୁଖ ଯନ୍ତ୍ରୀ ଶ୍ରୀ ଆର୍. ଏନ୍ . ନାୟକ ତଥା ପରାମର୍ଶଦାତା ଶ୍ରୀ ବସନ୍ତ ସେନାପତି ନିଜ ବକ୍ତବ୍ୟରେ ଜଳସାଥୀ ମାନେ ଏବେ ଲୋକସେବା ପ୍ରଦାନ ଦିଗରେ ଗୋଷ୍ଠୀ ଓ ସରକାରଙ୍କ ମଧ୍ୟରେ ସଂଯୋଗ ସେତୁ ରୂପେ କାମ କରୁଛନ୍ତି ନବୋଲି କହିଥିଲେ। ବୈଷୟିକ ସହଯୋଗ ଦେଉଥିବା ସଂସ୍ଥା ‘ସୁଯୋଗ’ ଓ ‘ଇଜିଟ୍ୟାପ୍’ ସହାୟତାରେ ଜଳସାଥୀ ମାନଙ୍କ ଦ୍ଵାରା ଏମ୍ . ପି . ଓ . ଏସ୍ ମେସିନ୍ ସାହାଯ୍ୟରେ ଦେୟ ଆଦାୟ ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା ।

ପ୍ରଶିକ୍ଷଣ କର୍ମଶାଳାର ଶେଷ ଅଧିବେଶନରେ ଜଳସାଥୀ ମାନଙ୍କ ଦ୍ଵାରା ବାରମ୍ବାର ପଚରାଯାଉଥିବା ପ୍ରଶ୍ନାବଳୀ ର ଉତ୍ତର ରାଜ୍ୟ ଜଳସାଥୀ ଟିମ୍ ପକ୍ଷରୁ ଦିଆଯାଇଥିଲା । ସାରା ରାଜ୍ୟରେ ଜଳସାଥୀ ମାନଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାନ ଚାଲିଛି ଏବଂ ‘ଟିମ୍ ଅର୍ବାନ୍ ଓଡ଼ିଶା’ ଦ୍ୱାରା ପ୍ରସ୍ତୁତ କ୍ୟାଲେଣ୍ଡର ଭିତ୍ତିରେ କ୍ଲଷ୍ଟର୍ ଅନୁସାରେ ସମସ୍ତ ଜଳସାଥୀଙ୍କ ପ୍ରଶିକ୍ଷଣ ପର୍ଯ୍ୟାୟ କ୍ରମେ ସମ୍ପନ୍ନ ହେବ ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଥିଲେ।