ଭୁବନେଶ୍ୱର : ବିପର୍ଯ୍ୟୟ ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ ନିକଟରେ ପ୍ରସ୍ତାବ ଦାଖଲ କରାଯିବା ସହିତ ଏଥିପାଇଁ ୪୫ କୋଟି ଟଙ୍କା ଲୋଡିଛନ୍ତି । ପୁରୀ ଓ ଯାଜପୁର ଜିଲ୍ଲା ପାଇଁ ଜଳସମ୍ପଦ ବିଭାଗ ଦୁଇଟି ଡିପିଆର ଦାଖଲ କରିଥିବା ଜଣାଯାଇଛି ।
ପ୍ରଥମ ପ୍ରସ୍ତାବରେ ବାଧାରହିତ ଜଳପ୍ରବାହ ପାଇଁ ପୁରୀ ଜିଲ୍ଲାର ଲୁଣା ନଦୀରେ ବଡଗୋଠ ଠାରୁ ମାଧିପୁର ପର୍ଯ୍ୟନ୍ତ ୧୭.୫୦ କିଲୋମିଟର ଦୈର୍ଘ୍ୟର ଡ୍ରେନେଜ ବ୍ୟବସ୍ଥା ଏବଂ ଦ୍ୱିତୀୟ ପ୍ରସ୍ତାବରେ ଦଶରଥପୁର ବ୍ଲକର ବ୍ରାହ୍ମଣୀ-ବୈତରଣୀର କାଣୀ ଡ୍ରେନେଜ ବ୍ୟବସ୍ଥାର ସୁଦୃଢୀକରଣ ପ୍ରସ୍ତାବ ରହିଛି । ଜଳସମ୍ପଦ ବିଭାଗ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ପୁରୀ ଜିଲ୍ଲା ପାଇଁ ୩୮.୮୫ କୋଟି ଟଙ୍କା ମାଗିଥିବାବେଳେ ଯାଜପୁର ଜିଲ୍ଲା ପାଇଁ ୯.୧୬ କୋଟି ଟଙ୍କା ଲୋଡିଛନ୍ତି ।
ଡିପିଆର ଅନୁଯାୟୀ ଦୟା ନଦୀର କଣ୍ଟି ଠାରୁ ବାହାରି ଦୟା ନଦୀର ଦୟା, ଭାର୍ଗବୀ ଏବଂ ବଡଗୋଠର ଲୁଣା ଠାରେ ପହଞ୍ଚିବ । ଏହାର ଦୈର୍ଘ୍ୟ ୩୪.୩୦ କିଲୋମିଟର ରହିବ । ଏଥିରେ ଅନେକ ଗୁଡିଏ ଛୋଟ ଛୋଟ ଡ୍ରେନ ରହିବ । ଏହି ଜଳ ପ୍ରବାହ ବ୍ୟବସ୍ଥା ପୁରୀ ଜିଲ୍ଲାର ପିପିଲି, ଡେଲାଙ୍ଗ, କଣାସ ଏବଂ ବ୍ରହ୍ମଗିରିର ଜୀବନରେଖା ଅଟେ । ଏହି ଡ୍ରେନେଜ ଅବବାହିକାର ମୋଟ ଅଞ୍ଚଳ ୫୪,୫୬୮ ହେକ୍ଟର ରହିଛି । ତେବେ ଏଥିପାଇଁ କୌଣସି ଜମି ଅଧିଗ୍ରହଣ କରିବାକୁ ପଡିବ ନାହିଁ ।
ଏହି ପ୍ରକଳ୍ପ ସମାପ୍ତ ହେଲେ ଡେଲାଙ୍ଗ, କଣାସ ଏବଂ ବ୍ରହ୍ମଗିରି ବ୍ଲକର ମାଧିପୁର, ରୁଧିପୁର, ବିଜିପୁର, ଅନ୍ଦଲସିଂ, ଜଗନ୍ନାଥପୁର, ନାଡୁଆପୁର, ପରମାନନ୍ଦପୁର, ନିଖାରଗୋବିନ୍ଦପୁର, ମାନପୁର, କରମଳା ଆଦିର ୨୫ଟି ଗ୍ରାମର ୧୫ହଜାର ଲୋକ ବନ୍ୟା ଦାଉରୁ ରକ୍ଷା ପାଇବେ । ଏଥି ସହିତ ୧୬୩୦ ହେକ୍ଟର ଜମି ଜଳବନ୍ଦୀ ଅବସ୍ଥାରୁ ମୁକ୍ତ ହେବ । ଏହା ଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ କୃଷକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବା ସହିତ ଗ୍ରାମାଞ୍ଚଳର ଶ୍ରମିକମାନଙ୍କ ହାତକୁ ଅଧିକ କାମ ମିଳିପାରିବ ।
ଅନୁରୂପ ଭାବେ ବୈତରଣୀ ନଦୀର ବ୍ରହ୍ମଚାରୀପାଟଣା ଠାରେ କାଣୀ ଡ୍ରେନ କଣ୍ଟାପଡା, ନରଣଗଚ୍ଛ, ନିଜାମପୁର, କୋଟାପୁର, ଦୁଦୁରାନ୍ତ, ଗରସିହ, ଈଶ୍ୱରପୁର ଓ ଅର୍ଦାଲୁଆ ଆଦି ଗ୍ରାମ ଦେଇ ଅତିକ୍ରମ କରିବ । କାଣୀ ଡ୍ରେନର ଉଭୟ ପାଶ୍ୱର୍ରେ ବନ୍ଧ ବ୍ୟବସ୍ଥା ନଥିବାରୁ ପ୍ରତିବର୍ଷ କଣ୍ଟାପଡା ଗ୍ରାମରେ ବନ୍ୟା ସ୍ଥିତି ସୃଷ୍ଟି ହେଉଛି । ବୈତରଣୀ ଅବବାହିକାରେ ବନ୍ୟା ସମୟରେ କଣ୍ଟାପଡା ନିକଟରେ ବକ୍ର ସ୍ଥିତି ନାହିଁ ଯାହାକି ବନ୍ୟା ଜଳକୁ ରୋକିବ ।
ଏହି ସମସ୍ୟାର ସମାଧାନ ପାଇଁ କଣ୍ଟାପଡା ସେତୁ ଠାରୁ କୁଆଁରସାହି ସେତୁର ପର୍ଯ୍ୟନ୍ତ ସୁଦୃଢୀକରଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରକଳ୍ପ ପାଇଁ ଅତି କମ୍ରେ ୧୯ ଏକର ଜମି କଣ୍ଟାପଡା ଏବଂ ନାରଣଗଚ୍ଛ ନିକଟରେ ଅଧିଗ୍ରହଣ କରିବାକୁ ପଡିବ । ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଦଶରଥପୁର ବ୍ଲକର କଣ୍ଟାପଡା, ନାରଣଗଚ୍ଛ, ନିଜାମପୁର, କୋଟପୁର, ଦୁଦୁରାହାଟ, ଗରସିହ, ଈଶ୍ୱରପୁର, ଅର୍ଦୁଳା ବ୍ଲକର ପ୍ରାୟ ୫୦୦୦ ଲୋକ ଉପକୃତ ହେବେ ଏବଂ ପ୍ରାୟ ୩୫୦ ହେକ୍ଟର ଜମି ଜଳବନ୍ଦୀର ରକ୍ଷା ପାଇବ । (ତଥ୍ୟ)