ଭୁବନେଶ୍ୱର : ଜଳବାୟୁ ପରିବର୍ତ୍ତନ କେବଳ ଆମେରିକା କିମ୍ବା ଭାରତ ନୁହେଁ, ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି । ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ମୁକାବିଲା କରିବା ଦେଶଗୁଡିକ ପାଇଁ ସବୁଠାରୁ ବଡ ଆହ୍ୱାନ ହୋଇଥିବାବେଳେ ଅନ୍ୟ ଅଞ୍ଚଳ ପରି ଜଳବାୟୁ ପରିବର୍ତ୍ତନ ଓଡିଶାକୁ ମଧ୍ୟ ବହୁଳ ଭାବେ ପ୍ରଭାବିତ କରୁଥିବା କହିଛନ୍ତି ହାଇଦ୍ରାବାଦ ସ୍ଥିତ ୟୁଏସ୍ କନସୁଲେଟ୍ ଜେନେରାଲ୍ଙ୍କ ଜନସମ୍ପର୍କ ଅଧିକାରୀ ଶ୍ରୀ ଡେଭିଡ୍ ମୋୟର୍ ।
ୟୁଏସ୍ କନସୁଲେଟ୍ ଜେନେରାଲ୍ ହାଇଦ୍ରାବାଦ, ଓଡିଶା ସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଭିଉଜ୍ ସହଭାଗିତାରେ ଆଞ୍ଚଳିକ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କ ପାଇଁ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତରେ କିଭଳି ସର୍ବୋତ୍ତମ ରିପୋର୍ଟ ପ୍ରସ୍ତୁତ ହୋଇପାରିବ ସେ ସଂକ୍ରାନ୍ତରେ ଏକ କର୍ମଶାଳାର ଆୟୋଜନ ହୋଇଥିଲା ।
ଏହି ଦୁଇ ଦିନିଆ କର୍ମଶାଳାକୁ ୟୁଏସ୍ କନସୁଲେଟ୍ ଜେନେରାଲ୍ ଶ୍ରୀ ମୋୟର୍ ଏବଂ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଉଦଘାଟନ କରିଥିଲେ । କର୍ମଶାଳାରେ ଜଳବାୟୁ ପରିବର୍ତ୍ତନ ଉପରେ ବିଶ୍ଳେଷଣାତ୍ମକ ଏବଂ ଗବେଷଣା ଭିତ୍ତିକ ରିପୋର୍ଟ ଲେଖିବା ପାଇଁ ଓଡିଆ ଭାଷାର ସାମ୍ବାଦିକମାନଙ୍କୁ ସାଧନ ଏବଂ ଧାରଣା ଯୋଗାଇ ଦିଆଯିବ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜଳବାୟୁ ପରିବର୍ତ୍ତନ ଏବଂ ସମାଜ ଉପରେ ଏହାର ପ୍ରଭାବକୁ ନେଇ ଗଣମାଧ୍ୟମର ଦକ୍ଷତା ବୃଦ୍ଧି କରିବା ।

କର୍ମଶାଳାରେ ଶ୍ରୀ ମୋୟର୍ ଗତ କିଛି ଦଶନ୍ଧି ମଧ୍ୟରେ ଜଙ୍ଗଲରେ ଅଗ୍ନିକାଣ୍ଡ, ବନ୍ୟା ପରିସ୍ଥିତି ଏବଂ ବାତ୍ୟା ଆଦିର ରିପୋର୍ଟଗୁଡିକ ଆମେ ପଢୁଛୁ । ସାମ୍ବାଦିକମାନେ ଏହି ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିପାରିବେ ଯାହା ଦ୍ୱାରା ବ୍ୟକ୍ତି ଏବଂ ସଂଗଠନ ସମସ୍ତେ ନିଜ ନିଜ ସରକାର ସହିତ ମିଳିତ ଭାବେ କାର୍ଯ୍ୟ କରିପାରିବେ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ କମ୍ କରିବାରେ ସହଯୋଗ କରିପାରିବେ । ସାମ୍ବାଦିକମାନଙ୍କ ପାଇଁ ଏହି କର୍ମଶାଳାର ମୂଳ ଉଦ୍ଦେଶ୍ୟ ସାଧନ ଯୋଗାଇବା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି । ଓଡିଆ ଭାଷାର ସାମ୍ବାଦିକମାନଙ୍କୁ ସମସ୍ତ କୌଶଳ ଯୋଗାଯିବ ଯାହାଦ୍ୱାରା ସେମାନେ ସେମାନଙ୍କର ପାଠକମାନଙ୍କୁ କ୍ଷେତ୍ରସ୍ତରୀୟ ରିପୋର୍ଟ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବର ବିଶ୍ଳେଷଣ ପ୍ରଦାନ କରିପାରିବେ ଯାହା ଦ୍ୱାରା ସ୍ଥାନୀୟ ଅଞ୍ଚଳର ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବ ।
ଜଳବାୟୁ ପରିବର୍ତ୍ତନ ସହ ଜଡିତ ଖବରଗୁଡିକ ପାଇଁ ଗଣମାଧ୍ୟମ ପ୍ରତିଷ୍ଠାନମାନେ ସ୍ୱତନ୍ତ୍ର ଭାବେ ଇଚ୍ଛା ପ୍ରକଟ କରିବା ଆବଶ୍ୟକ । ଜଳବାୟୁ ପରିବର୍ତ୍ତନ କେବଳ ବିଷୟରେ ସୀମିତ ନୁହେଁ ବରଂ ବ୍ୟବସାୟ, ପର୍ଯ୍ୟଟନ ଏବଂ ରାଜନୀତିକୁ ପ୍ରଭାବିତ କରିଥାଏ । ତେଣୁ ସାମ୍ବାଦିକ ଭାବରେ ଏହାକୁ ପ୍ରାଧାନ୍ୟ ଦେବା ଜରୁରୀ ବୋଲି କହିଛନ୍ତି ଶ୍ରୀମତୀ ପଟ୍ଟନାୟକ ।
ଏହି କର୍ମଶାଳାରେ ଉଦବୋଧନ ଦେଇ ନେଚର ଇଣ୍ଡିଆର ମୁଖ୍ୟ ସମ୍ପାଦକ ଶ୍ରୀମତୀ ଶୁଭ୍ରା ପ୍ରିୟଦର୍ଶିନୀ କହିଛନ୍ତି ଯେ ଭାରତର ଆଞ୍ଚଳିକ ଗଣମାଧ୍ୟମରେ ଜଳବାୟୁ ରିପୋର୍ଟ ପ୍ରାୟତଃ କ୍ଷେତ୍ର ସ୍ତରୀୟ ସୂଚନା ଉପରେ ର୍ନିଭର କରେ । ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତରେ ରିପୋର୍ଟ ଲେଖିଲାବେଳେ ବୈଜ୍ଞାନିକ ତଥ୍ୟକୁ ସଠିକ ଭାବେ ବିଶ୍ଲେଷଣ କରିବା ଲେଖାଯିବା ଆବଶ୍ୟକ । ସାମାନ୍ୟ ବର୍ଷା, ଗରମ କିମ୍ବା ଝଡ ବାତ୍ୟା ଭଳି ଘଟଣାକୁ ଜଳବାୟୁ ପରିବର୍ତ୍ତନର ଆଖ୍ୟା ଦିଆଯାଇ ପାରିବ ନାହିଁ । ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ରିପୋର୍ଟ ଲେଖିବାବେଳେ ଅତି କମ୍ରେ ଶହେ ବର୍ଷର ତଥ୍ୟକୁ ବିଶ୍ଲେଷଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଜଳ ପୁରୁଷ ଭାବେ ଜଣାଶୁଣା ପରିବେଶବିତ୍ ରଂଜନ ପଣ୍ଡା କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଉପରେ ସାମ୍ବାଦିକମାନଙ୍କୁ ତାଲିମ ଦେବା ଏକ ଉତ୍ତମ ପଦକ୍ଷେପ । ଜଳବାୟୁ ପରିବର୍ତ୍ତନ ସହିତ ସ୍ଥାନୀୟ ଏବଂ ନିଜସ୍ୱ ଭାଷା ଏବଂ ଅନୁଭୂତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ସେଗୁଡିକ ସମଗ୍ର ବିଶ୍ୱରେ ବିଲୁପ୍ତ ହେବାରେ ଲାଗିଛନ୍ତି । ଏହିପରି ତାଲିମ ସାମ୍ବାଦିକମାନଙ୍କୁ ଜଳବାୟୁ ପ୍ରଭାବ ସଂକ୍ରାନ୍ତରେ ରିପୋର୍ଟ ଲେଖିବାରେ ବେଶ୍ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି ।
ଆଜିର ଏହି କର୍ମଶାଳା ହେଉଛି ୧୦ ଟି କର୍ମଶାଳାର ପ୍ରଥମ ଏବଂ ଓଡିଶା, ଆନ୍ଧ୍ରପ୍ରଦେଶ, ଏବଂ ତେଲେଙ୍ଗାନା ରାଜ୍ୟରେ ତିନୋଟି ଏବଂ ହାଇଦ୍ରାବାଦର ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଏକ ଚୂଡାନ୍ତ କର୍ମଶାଳା ଅନୁଷ୍ଠିତ ହେବ । ଓଡ଼ିଶାରୁ ଖ୍ୟାତିସମ୍ପନ୍ନ ଗଣମାଧ୍ୟମର ମୋଟ ୧୩ଜଣ ଅଂଶଗ୍ରହଣକାରୀ ଏହି ତାଲିମ କର୍ମଶାଳାରେ ଉପକୃତ ହେବେ । କର୍ମଶାଳାରେ ଖ୍ୟାତିସମ୍ପନ୍ନ ବିଶେଷଜ୍ଞମାନଙ୍କ ଦ୍ୱାରା ସାମ୍ବାଦିକମାନଙ୍କୁ ତାଲିମ ଦିଆଯିବ । ଭିଉଜ୍ ପକ୍ଷରୁ ପ୍ରତ୍ୟେକ କର୍ମଶାଳାରେ ସାମ୍ବାଦିକମାନଙ୍କୁ ତାଲିମ ସାମଗ୍ରୀ ଯୋଗାଇବ ଯାହା ବିଷୟର ବୁଝାମଣାକୁ ଆହୁରି ସହଜ କରିବ ।
ଏହି ଅବସରରେ ଭାଷଣ ଦେଇ ଭିଉଜ୍ ଇଣ୍ଡିଆର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ଶ୍ରୀ ଏସ୍ ଭୀମା ରାଓ କହିଛନ୍ତି, ଏହି ପଦକ୍ଷେପରେ ଆମେରିକାର କନସୁଲେଟ୍ ଜେନେରାଲ୍ ହାଇଦ୍ରାବାଦର କାର୍ଯ୍ୟକାରିତା ଅଂଶୀଦାର ହୋଇ ଆମେ ଖୁସି । ମୋର ବିଶ୍ୱାସ ଯେ ଏହି କର୍ମଶାଳାଗୁଡ଼ିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଳବାୟୁ ପ୍ରସଙ୍ଗରେ ସେମାନଙ୍କର ରିପୋର୍ଟକୁ ଗୁଣାତ୍ମକ କରିବାରେ ସହାୟକ ହେବ, ଯାହା ଜଳବାୟୁ ପ୍ରସଙ୍ଗରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ।