Home Environment ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ବିଶ୍ୱ ପାଇଁ ଆହ୍ୱାନ

ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ବିଶ୍ୱ ପାଇଁ ଆହ୍ୱାନ

ଭୁବନେଶ୍ୱର : ଜଳବାୟୁ ପରିବର୍ତ୍ତନ ଓ ଏହାର ଦୀର୍ଘସ୍ଥାୟୀ କୁପ୍ରଭାବ ଆଜି ସମଗ୍ର ବିଶ୍ୱ ପାଇଁ ଏକ ଆହ୍ୱାନ ଓ ବଡ଼ ଚିନ୍ତାର କାରଣ । ଏଥି ପ୍ରତି ସଚେତନ ହୋଇ ଯଦି ଏହାର ସମାଧାନର ପନ୍ଥା ନିର୍ଦ୍ଧାରଣ କରା ନଯାଏ ତେବେ ଆଗାମୀ ଦିନରେ ଆମକୁ ଏହାର ଭୟଙ୍କର ପରିଣତି ଭୋଗିବାକୁ ପଡ଼ିବ । ଅସମୟରେ ବାତ୍ୟା, ବନ୍ୟା ଓ ଗ୍ରୀଷ୍ମପ୍ରବାହ ଏବେ ସବୁଠାରେ ଦେଖିବାକୁ ମିଳୁଛି । ଏଥିରେ ପରିବେଶ ସନ୍ତୁଳନ ବିଗିଡ଼ିବା ସହ ଜନଜୀବନହାନୀ ଘଟୁଛି । ଏଭଳି ପ୍ରାକୃତିକ ବିପର୍ଯ୍ୟୟରୁ ବର୍ତ୍ତିବା ପାଇଁ ଆମକୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ।

ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଓ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ‘ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ଦୀର୍ଘସ୍ଥାୟୀ ସମାଧାନର ପନ୍ଥା ନିର୍ଦ୍ଧାରଣ’ ଓ ‘ଜାତୀୟ ସଂସଦ ବନାମ ପ୍ରାଦେଶିକ, ଆଞ୍ଚଳିକ ଓ ବିକଶିତ ବିଧାନସଭା କ୍ଷମତା ପୃଥକୀକରଣକୁ ସୁରକ୍ଷା ଓ ସଂରକ୍ଷଣ’ ଶୀର୍ଷକ ଆଲୋଚନାରେ ନିଜର ଅଭିଭାଷଣରେ ଏହା କହିଛନ୍ତି ବାଚସ୍ପତି ସୁରମା ପାଢୀ ।

ବାଚସ୍ପତି କହିଛନ୍ତି ଯେ ଓଡ଼ିଶାରେ ୧୯୯୯ ମହାବାତ୍ୟାରେ ୧୦ ହଜାରରୁ ଊଦ୍ଧ୍ୱର୍ ଜୀବନହାନୀ ହେବା ସହ ଏହାର ଦୀର୍ଘସ୍ଥାୟୀ କୁପ୍ରଭାବ ଦୀର୍ଘଦିନ ଧରି ଅନୁଭୂତ ହୋଇଥିଲା । ୨୦୧୩ ମସିହାରେ ଫାଇଲିନ୍‌, ୨୦୧୯ ମସିହା ଫନିର ପ୍ରଭାବକୁ ଆଗୁଆ ଆକଳନ କରି ସରକାର ସବୁପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିବାରୁ କ୍ଷୟକ୍ଷତି ଓ ଜନଜୀବନହାନୀକୁ ରୋକାଯାଇ ପାରିଥିଲା । ଏ କ୍ଷେତ୍ରରେ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ବାଚସ୍ପତି ଶ୍ରୀମତୀ ପାଢ଼ୀ ପୁଣି କହିଥିଲେ ଯେ ଶୁଦ୍ଧବାୟୁ ସୂଚକାଙ୍କରେ ଭୁବନେଶ୍ୱର ହେଉଛି ଭାରତର ପ୍ରମୁଖ ଚତୁର୍ଥ ସହର । ଚିଲିକା ହ୍ରଦର ସୁରକ୍ଷା ଦିଗରେ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହା ରାମ୍‌ସାର କ୍ଷେତ୍ର ମଧ୍ୟରେ ସ୍ଥାନୀତ ହୋଇଛି । ସେହିପରି ଶିମିଳିପାଳର ଜୈବବିବିଧତାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦିଆଯାଉଛି । ଏହା ୟୁନେସ୍କୋ ଦ୍ୱାରା ମାନ୍ୟତା ଲାଭ କରିଛି । ଆଗାମୀ ଦିନରେ ରାଜ୍ୟଗୋଷ୍ଠୀ ରାଜ୍ୟମାନେ ଏ ଦିଗରେ ନିଶ୍ଚିତ ଭାବେ ଦୃଷ୍ଟିଦେବେ ଓ ଏକ ବୃହତ୍ତର ଲକ୍ଷ୍ୟ ନେଇ ସମ୍ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ବାଚସ୍ପତି ପ୍ରକାଶ କରିଥିଲେ ।

ସେହିପରି ଜାତୀୟ ସଂସଦ ବନାମ ପ୍ରଦେଶିକ, ଆଞ୍ଚଳିକ ଓ ବିକଶିତ ବିଧାନସଭା କ୍ଷମତା ପୃଥକୀକରଣକୁ ସୁରକ୍ଷା ଓ ସଂରକ୍ଷଣ ଉପରେ ନିଜର ମତବ୍ୟକ୍ତ କରି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଲେ ଯେ ଭାରତର ଗଣତନ୍ତ୍ର ସବୁବେଳେ କ୍ଷମତାର ବିକେନ୍ଦ୍ରୀକରଣ ଉପରେ ଗୁରୁତ୍ୱ ଦେଇ ଆସିଛି । ଯାହାଫଳରେ ୧୪୦ କୋଟି ଜନସଂଖ୍ୟା ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଏକତା ସୂତ୍ରରେ ସହାବସ୍ଥାନ କରୁଛନ୍ତି । ଭାରତର ସମ୍ବିଧାନ ମଧ୍ୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ କ୍ଷମତା ବିକେନ୍ଦ୍ରୀକରଣର ମୂଳମନ୍ତ୍ର ଉପରେ ଆଧାରିତ ।

ଏକ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସୁସଂପର୍କ ଓ ସୁସମନ୍ୱୟର ଆବଶ୍ୟକତା ରହିଛି । ଭାରତ ସବୁବେଳେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସ୍ୱାର୍ଥ ଓ ସୁରକ୍ଷା ପ୍ରତି ପ୍ରାଧାନ୍ୟ ଦେଉଅଛି । ଫଳରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ଭବ ହୋଇପାରିଛି ବୋଲି ବାଚସ୍ପତି ପ୍ରକାଶ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ହେଉଛି ୫୬ ଦେଶର ସହଭାଗିତାରେ ଏକ ମିଳିତ ମଞ୍ଚ । ରାଜ୍ୟଗୋଷ୍ଠୀର ସଭ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବିଶ୍ୱ ଭ୍ରାତୃତ୍ୱର ଭାବକୁ ଆଗକୁ ବଢ଼ାଇ ନେବାରେ ଏହି ମଞ୍ଚ ସବୁବେଳେ ପ୍ରୟାସରତ ।