Home Assembly ଜଳକର ବାକି ୫୮୯୦ କୋଟି

ଜଳକର ବାକି ୫୮୯୦ କୋଟି

ଭୁବନେଶ୍ୱର : ରାଜ୍ୟ ସରକାର ବର୍ଷକୁ ୮୬୦ କୋଟି ଟଙ୍କାର ଜଳକର ପାଉଥିବାବେଳେ ୫୭ଟି ଶିଳ୍ପସଂସ୍ଥା ଉପରେ ୫୮୯୦ କୋଟି ଟଙ୍କାର ଜଳକର ବକେୟା ପଡିଛି । ଜଳ ବ୍ୟବହାର ଓ ଜଳକର ବକେୟା ସଂକ୍ରାନ୍ତରେ କଂଗ୍ରେସ ବିଧାୟକ ପବିତ୍ର ସାଉଁନ୍ତା ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ଶିଳ୍ପସଂସ୍ଥାମାନେ ରାଜ୍ୟ ସରକାରଙ୍କ ସହିତ କରିଥିବା ଚୁକ୍ତି ଅନୁଯାୟୀ ରାଜ୍ୟର ୭ଟି ନଦୀ ଅବବାହିକାରୁ ଜଳ ନେଇଥାନ୍ତି । ବ୍ରାହ୍ମଣୀ ଅବବାହିକାରୁ ସର୍ବାଧିକ ୫୩୫ କ୍ୟୁସେକ ଜଳ ନେଉଥିବାବେଳେ ମହାନଦୀ ଅବବାହିକାରୁ ୪୯୭ କ୍ୟୁସେକ ଜଳ ନେଇଥାନ୍ତି । ଋଷିକୂଲ୍ୟା ଅବବାହିକାରୁ ମାତ୍ର ୧ କ୍ୟୁସେକରୁ ସାମାନ୍ୟ ଅଧିକ ଜଳ ଶିଳ୍ପସଂସ୍ଥାମାନେ ନେଉଛନ୍ତି । ରାଜ୍ୟ ସରକାର ୧୨୨ଟି ଶିଳ୍ପସଂସ୍ଥା ଠାରୁ ବର୍ଷକୁ ୮୬୦ କୋଟି ଟଙ୍କାର ଜଳକର ଆଦାୟ କରିଥାନ୍ତି । ତେବେ ୫୭ଟି ଶିଳ୍ପସଂସ୍ଥା ଉପରେ ୫୮୯୦ କୋଟି ୬୫ଲକ୍ଷ ଟଙ୍କାର ଜଳକର ବକେୟା ପଡିଛି ।

ଜୟପୁରର ବିଲ୍ଟ ୟୁନିଟ୍‍ ଉପରେ ସର୍ବାଧିକ ୧୫୦୮ କୋଟିର ଜଳକର ବାକି ପଡିଥିବାବେଳେ ଚୌଦ୍ୱାର ସ୍ଥିତ ବଲାରପୁର ଇଣ୍ଡଷ୍ଟ୍ରିଜ୍‍ ଉପରେ ୧୪୫୭ କୋଟି ବାକି ରହିଛି । ପାରାଦୀପ ଠାରେ ଥିବା ଆର୍ସେଲର ମିତ୍ତର ନିପ୍ପନ ସଂସ୍ଥା ଉପରେ ୧୦୮ କୋଟି ବାକି ଥିବାବେଳେ ଢେଙ୍କାନାଳରେ ଥିବା ଟାଟା ଷ୍ଟିଲ୍‍ ବିଏସଏଲ୍‍ ଉପରେ ୧୮୫ କୋଟି, ଆରତୀ ଷ୍ଟିଲ ଉପରେ ୩୦୩ କୋଟି, ରାୟଗଡାର ଜେ କେ ପେପର ଉପରେ ୪୮୯ କୋଟି, ଭୂଷଣ ପାୱାର ଓ ଷ୍ଟିଲ ଉପରେ ୨୪୪ କୋଟିର ବାକି ଗଡୁଛି । (ତଥ୍ୟ)