ଭୁବନେଶ୍ୱର : ଜମିଦାରୀ ଓ ରାଜା ରାଜୁଡା ପ୍ରଥା ଆଇନତଃ ଉଚ୍ଛେଦ କରାଯାଇଥିଲେ ମଧ୍ୟ ଏବେ ବି ଜମିଜମାର କାଗଜପତ୍ରରେ ଜମିଦାର ଶବ୍ଦ ବ୍ୟବହୃତ ହେଉଛି ଏବଂ ଯାହାଙ୍କ ନାମରେ ଜମି ରହିଛି ତାଙ୍କୁ ଅପମାନଜନକ ଭାବେ ସରକାରୀ କାଗଜପତ୍ରରେ ସମ୍ବୋଧନ କରାଯାଉଛି । ଏହି ପ୍ରଥାର ବିଲୋପ ପାଇଁ ଦୀର୍ଘ ଦଶନ୍ଧି ଧରି ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏଥିପ୍ରତି ସମ୍ପୂର୍ଣ୍ଣ ଉଦାସୀନ ।
ଜମି ବାଡି ଘେନି ରାଜସ୍ୱ ବିଭାଗର ନିୟନ୍ତ୍ରଣରେ ଥିବା ତହସିଲମାନେ ଯେଉଁ ଖତିୟାନ ବ୍ୟବହାର କରୁଛନ୍ତି ସେଥିରେ ଓଡିଶା ସରକାରଙ୍କୁ ଜମିଦାର ଭାବେ ଦର୍ଶାଯାଉଛି । ଖତିୟାନର ଦ୍ୱିତୀୟ ସ୍ତମ୍ଭରେ ଜମିଦାରଙ୍କ ନାମ ଓ ଖେୱାଟ ବା ଖତିୟାନର କ୍ରମିକ ନମ୍ବର ରହୁଛି । ଏଥିରେ ଜମିଦାର ଭାବେ ଓଡିଶା ସରକାରଙ୍କୁ ଦର୍ଶାଯାଉଛି ।
ରାଜସ୍ୱ ବିଭାଗ ଦେଉଥିବା ଖତିୟାନର ତୃତୀୟ ସ୍ତମ୍ଭରେ ପ୍ରଜାର ନାମ, ପିତାର ନାମ, ଜାତି ଓ ବାସସ୍ଥାନ ରହୁଛି । ଦ୍ୱିତୟ ସ୍ତମ୍ଭରେ ଜମିଦାରଙ୍କ ନାମ ବୋଲି ସସମ୍ମାନ ସମ୍ଭାଷଣ ରହୁଥିବାବେଳେ ତୃତୀୟ ସ୍ତମ୍ଭରେ କିନ୍ତୁ ଅତି ହୀନ ଓ ହେୟ ଦୃଷ୍ଟିରୁ ପ୍ରଜାର ନାମ ଓ ପିତାର ନାମ ବୋଲି ଉଲ୍ଲେଖ ରହୁଛି । ଏହି ଖତିୟାନରୁ ଜମିଦାର ଶବ୍ଦ କଟିବା ପରିବର୍ତ୍ତେ ଜମିଦାରୀକୁ ସମ୍ମାନ ଦେଇ ‘ଜମିଦାରଙ୍କ’ ନାମ ବୋଲି ଲେଖାଯାଉଥିବାବେଳେ ଜମିର ମାଲିକମାନଙ୍କୁ କିନ୍ତୁ ଜମିଦାରଙ୍କ ପ୍ରଜା ବୋଲି ଉଲ୍ଲେଖ ରହୁଛି ଏବଂ ଯେଉଁମାନଙ୍କର ଭୂସମ୍ପତ୍ତି ରହିଛି ସେମାନଙ୍କ ଖତିୟାନରେ ପ୍ରଜାଙ୍କ ନାମ ଓ ତାଙ୍କ ପିତାଙ୍କ ନାମ ଲେଖିବା ପରିବର୍ତ୍ତେ କାହିଁକି ‘ପ୍ରଜାର’ ଓ ‘ପିତାର’ ବୋଲି ବର୍ଷ ବର୍ଷ ଉଲ୍ଲେଖ କରାଯାଉଛି ତାହା ବୁଝିବା ମୁସ୍କିଲ ।
ରାଜସ୍ୱ ପ୍ରଶାସନ ଚାହିଁଲେ ଗୋଟିଏ ବିଜ୍ଞପ୍ତି ମାଧ୍ୟମରେ ଏହି ସମସ୍ୟାର ସମାଧାନ କରି ଚାଷୀ ଓ ଅନ୍ୟ ଜମି ମାଲିକମାନଙ୍କୁ ସମ୍ମାନର ସହ ପଟ୍ଟା/ଖତିୟାନରେ ଉଲ୍ଲେଖ କରିପାରିବେ । କେବଳ ସେତିକି ନୁହେଁ ପ୍ରତିବର୍ଷ ଚାଷୀ ଓ ଅନ୍ୟ ଜମିମାଲିକମାନେ ଭୂ ରାଜସ୍ୱ ଦେବାବେଳେ ସେମାନଙ୍କୁ ଯେଉଁ ଖଜଣା, ପାଉତି ଦିଆଯାଉଛି ସେଥିରେ ବି ‘ପଜାର ନାମ’ବୋଲି ଲେଖାଯାଉଛି ।
ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଜମିଦାର,ରାଜା, ପ୍ରଜା ଆଦି ବ୍ୟବହୃତ ହେଉନଥିବାବେଳେ ମୋଗଲ, ମରହଟ୍ଟା, ଆଫଗାନ ଓ ବ୍ରିଟିଶ ରାଜତ୍ୱ ସମୟରେ ବ୍ୟବହୃତ କରାଯାଉଥିବା ରାଜା, ପ୍ରଜା ଓ ଜମିଦାର ପରମ୍ପରାକୁ ସତେ ଯେମିତି ରାଜସ୍ୱ ପ୍ରଶାସନ ବଞ୍ଚାଇ ରଖିବା ସହିତ ସରକାରଙ୍କୁ ଜମିଦାର ଭାବେ ସସମ୍ମାନେ ଅବହିତ କରିବା ସଂଗେ ସଂଗେ ଚାଷୀ ଓ ଅନ୍ୟ ଜମି ମାଲିକମାନଙ୍କ ପାଇଁ କିନ୍ତୁ ପ୍ରଜାର ଓ ପିତାର ବୋଲି ସରକାରୀ ଖାତା, ଖତିୟାନ ଓ ପାଉତିରେ ଉଲ୍ଲେଖ କରିବା ଘଟଣାକୁ ସାମନ୍ତବାଦୀ ପରମ୍ପରା ବୋଲି ବହୁ କୃଷକ ନେତା କହୁଛନ୍ତି ।
ରାଜ୍ୟ ସରକାର ଏ ଦିଗରେ ଅନୁଧ୍ୟାନ କରି ରାଜା, ଜମିଦାର ଓ ପ୍ରଜା ଶବ୍ଦ ଜମିଜମା ସମ୍ବନ୍ଧୀୟ ସରକାରୀ କାଗଜପତ୍ରରୁ ବାଦ ଦେଇ ସମ୍ମାନର ସହ ଏହାର ବିକଳ୍ପ ଶବ୍ଦ ଉଲ୍ଲେଖ କରିବାପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । (ତଥ୍ୟ)