ଭୁବନେଶ୍ୱର : ବାସପଯୋଗୀ ପ୍ଲଟ ଯୋଗାଇ ଦେବାଲାଗି ଘରୋଇ ସଂସ୍ଥାକୁ ଲୋକେ ୧୫/୨୦ବର୍ଷ ତଳେ ଦାବି ମୁତାବକ ଅର୍ଥ ପ୍ରଦାନ କରିଥିବାବେଳେ ଏଯାବତ୍ ଜମି ମିଳୁନାହିଁ କି ଟଙ୍କା ଫେରସ୍ତ ଦିଆଯାଉନାହିଁ । ଏ ସଂକ୍ରାନ୍ତରେ ଜମି ଯୋଗାଣକାରୀ ସଂସ୍ଥାର ମୁଖ୍ୟଙ୍କୁ ଦୀର୍ଘ ଦିନ ଧରି ଜେଲରେ ରଖିବାପରେ ସୁପ୍ରିମ୍କୋର୍ଟଙ୍କ ହସ୍ତକ୍ଷେପ କ୍ରମେ ତାଙ୍କୁ ଛଡାଯାଇଛି । ତେବେ ଜାମିନ ପ୍ରଦାନର ସର୍ତ୍ତ ମୁତାବକ ସମ୍ପୃକ୍ତ ସଂସ୍ଥା ୬୩କୋଟି ଟଙ୍କାରୁ ଉର୍ଦ୍ଧ ଅର୍ଥ ରାଜ୍ୟ ସରକାରଙ୍କ ନିକଟରେ ପ୍ରାୟ ୪ବର୍ଷ ତଳୁ ଜମା ରଖିଥିଲେ ମଧ୍ୟ ଏଯାବତ୍ ଏହି ଅର୍ଥ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ମିଳୁନାହିଁ ।
ଏ ସଂକ୍ରାନ୍ତରେ କ୍ଷତିଗ୍ରସ୍ତ ଜମାକାରୀମାନେ ସମ୍ପୃକ୍ତ ସଂସ୍ଥ।।ର କର୍ତ୍ତାମାନଙ୍କୁ ଯୋଗାଯୋଗ କଲେ ସେମାନେ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ କଥା ହେବାକୁ କହୁଛନ୍ତି । କଟକ ସ୍ଥିତ ୟୁକୋ ବ୍ୟାଙ୍କ୍ର କଲେକ୍ଟରୀଏଟ୍ ଶାଖାରେ ଏହି ସଂସ୍ଥା ୬୩କୋଟି ୫୫ଲକ୍ଷ ଟଙ୍କା ଏ ବାବଦରେ ଦାଖଲ କରିସାରିଛି ଏବଂ ଆଇନ୍ ଅନୁଯାୟୀ ଏହି ଅର୍ଥ ଭାରପ୍ରାପ୍ତ ଅଧିକାରୀ ଜମାକାରୀମାନଙ୍କୁ ଫେରାଇବା କଥା ବୋଲି ସମ୍ପୃକ୍ତ ସଂସ୍ଥା ସେମାନଙ୍କୁ କହୁଛି ।
ଅନ୍ୟ ପକ୍ଷରେ କ୍ଷତିଗ୍ରସ୍ତ ଜମାକାରୀମାନେ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭକରି କଟକ ଏଡିଏମଙ୍କ ପର୍ଯ୍ୟନ୍ତ ପଦାଧିକାରୀମାନଙ୍କୁ ବାରମ୍ବାର ଗୁହାରୀ କରୁଥିଲେ ବି କିଛି ପ୍ରତିକାର ହେଉନଥିବା ଘେନି ସେମାନେ ଖୋଲା ଅଭିଯୋଗ କରୁଛନ୍ତି । ଏ ପରିପ୍ରେକ୍ଷୀରେ ଯଥାଶୀଘ୍ର ଏହି ଜମାରାଶିର ଅର୍ଥ ସମୂଳ ସୁଧ ସହ ଫେରସ୍ତ ଦେବାଲାଗି ଜମାକାରୀମାନଙ୍କ ପକ୍ଷରୁ ପୁଣି ଗୁହାରୀ କରାଯାଇଛି । ବିଶେଷକରି ମୟୁରଭଞ୍ଜରୁ ମାଲକାନଗିରି ପର୍ଯ୍ୟନ୍ତ ଦୂର ଦୂରାନ୍ତ ଜିଲ୍ଲାର ଯେଉଁ ଜମାକାରୀମାନେ ଅର୍ଥ ଫେରସ୍ତ ପାଇଁ ଆକୁଳ ନିବେଦନ କରୁଛନ୍ତି ସେମାନେ ବାରମ୍ବାର ଭୁବନେଶ୍ୱର, କଟକ ଦଉଡି ବେଶ୍ ଖର୍ଚ୍ଚାନ୍ତ ହେଲେ ବି ସୁଦ୍ଧା ସେମାନଙ୍କ ଦୁଃଖ କେହି ଶୁଣୁନାହାନ୍ତି ବୋଲି କେତେକ ଜମାକାରୀ କ୍ଷୋଭାର ସହ କହୁଛନ୍ତି ।
ଏମାନେ ଅଭିଯୋଗ କରୁଛନ୍ତି ଯେ ରାଜଧାନୀ ସିଷ୍ଟମ ଓ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ ନାମକ ଭୁବନେଶ୍ୱରର ଏକ ସଂସ୍ଥା ଖୋରଧା ଜିଲ୍ଲାରେ ପୁଷ୍ପାଞ୍ଜଳି ଏନକ୍ଲେଭ ନାମରେ ଏକ ଗୃହନିର୍ମାଣ ପ୍ରକଳ୍ପ ମାଧ୍ୟମରେ ବାସପଯୋଗୀ ଜମି ଯୋଗାଇ ଦେବାଲାଗି ବିଜ୍ଞାପନ ପ୍ରକାଶ କରିଥିଲେ ଏବଂ ତଦନୁଯାୟୀ ଅନେକ ଜମାକାରୀ କିସ୍ତି ଆକାରରେ ପ୍ଲଟ ଖଣ୍ଡେ ଖଣ୍ଡେ ପାଇବାଲାଗି ଲକ୍ଷ ଲକ୍ଷ ଟଙ୍କା ସମ୍ପୃକ୍ତ କମ୍ପାନୀ ନିକଟରେ ଜମା କରିଥିଲେ । ବର୍ଷ ବର୍ଷ ଗଡିଗଲେ ବି ଜମି ନମିଳିବାରୁ କେତେକ ନ୍ୟାୟାଳୟର ଆଶ୍ରୟ ନେଇଥିଲେ । ଶେଷରେ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ସଂସ୍ଥା ୬୩କୋଟି ୫୫ଲକ୍ଷ ଟଙ୍କା ବ୍ୟାଙ୍କ୍ରେ ଜମା କରିଛି ଯାହାକି ୨୦୧୯ ମସିହାରୁ ସେଠାରେ ପଡି ରହିଛି ।
ଏହି ଅର୍ଥ ରାଜ୍ୟ ସରକାର ଦେବେ କି ସମ୍ପୃକ୍ତ କମ୍ପାନୀ ଦେବ ସେଥିଘେନି ପରସ୍ପର ଉପରକୁ ଦୋଷ ଖସାଯାଉଥିବାବେଳେ ଇତି ମଧ୍ୟରେ କେତେକ ଜମାକାରୀଙ୍କର ଦେହାନ୍ତ ହୋଇ ସାରିଲାଣି ଏବଂ ସେମାନଙ୍କ ଉତ୍ତରାଧିକାରୀମାନେ ମଧ୍ୟ ଜମା ଅର୍ଥ ସୁଧ ସହ ଫେରସ୍ତ ପାଇଁ ବାରମ୍ବାର ଦାବି କରି ଆସୁଛନ୍ତି ।(ତଥ୍ୟ)