ଭୁବନେଶ୍ୱର : ରାଜଧାନୀ ଓ ଏହାର ଆଖପାଖର ୭୦ରୁ ଅଧିକ ଡାକଘରେ ଟଙ୍କା ରଖିଥିବା ଜମାକାରୀମାନେ ଏବେ ନିଜର ଜମା ଅର୍ଥ ପାଇବାପାଇଁ ହଟହଟା ହେଉଛନ୍ତି । ବିଶେଷକରି ଜମା ଟଙ୍କା ଉଠାଣ ପାଇଁ ସେମାନଙ୍କୁ ମାମାଧିକ ସମୟ ଲାଗିଯାଉଛି ।
ଡାକଘରେ ବିଭିନ୍ନ ସଞ୍ଚୟ ଯୋଜନାରେ ଲୋକେ ସେମାନଙ୍କ ଅର୍ଥକୁ ଦୀର୍ଘମିଆଦୀ ସୂତ୍ରରେ ଜମା କରିଥାନ୍ତି । ତେବେ ଯେଉଁ ଜମାକାରୀମାନେ ୮/୧୦ ବର୍ଷ ତଳେ ଅର୍ଥ ଜମା କରିଥିଲେ ଏବେ ସେମାନଙ୍କର ମିଆଦ ପୂରଣ ହେଉଥିବାରୁ ଲୋକେ ପାଇଥିବା ସାର୍ଟିଫିକେଟ ଦେଖାଇ ଅର୍ଥ ନେବାକୁ ଆସୁଛନ୍ତି । ତେବେ ସେମାନେ ଜମା ରଖିଥିବା ଡାକଘର ତତ୍କାଳ ଜମା ଅର୍ଥ ଦେବା ବଦଳରେ ଏହାକୁ ଅନୁମୋଦନ ପାଇଁ ମୁଖ୍ୟ ଡାକ ଘର (ଜିପିଓ)କୁ ପଠାଇ ଦେଉଛନ୍ତି ।
କିଛଦିନ ହେଲା ଜିପିଓ ପକ୍ଷରୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି ପରେ ଏଭଳି ସ୍ଥିତି ଉପୁଜିଛି । ଏପରିକି ଯେଉଁମାନଙ୍କର ମିଆଦ ଅର୍ଥ ସେମାନଙ୍କ ଡାକଘର ସଞ୍ଚୟ ଖାତାରେ ଜମା କରାଯିବ ସେମାନଙ୍କୁ ବି ଦୀର୍ଘଦିନ ଅପେକ୍ଷା କରିବାକୁ ପଡୁଛି । ଫଳରେ ଲୋକେ ଏବେ ନିଜର ଅର୍ଥ ପାଇବା ସଂକ୍ରାନ୍ତରେ ଜାଣିବାପାଇଁ ମୁଖ୍ୟ ଡାକଘରକୁ ଦଉଡିବାରେ ଲାଗିଛନ୍ତି ।
ପୂର୍ବରୁ ଲୋକେ ଅର୍ଥ ଜମା ରଖିଥିବା ଡାକଘର କର୍ତ୍ତୃପକ୍ଷ ସେମାନଙ୍କର ସଞ୍ଚୟ ସାର୍ଟିଫିକେଟ ଦେଖି ଦିନେ କିମ୍ବା ଦୁଇଦିନ ମଧ୍ୟରେ ଅର୍ଥ ପ୍ରଦାନ କରି ଦେଉଥିଲେ । ଏପରିକି ଯେଉଁ ଜମାକାରୀଙ୍କର ଉକ୍ତ ଡାକଘରେ ସଞ୍ଚୟଖାତା ରହିଛି ସେମାନଙ୍କ ଅର୍ଥ ସଂଗେ ସଂଗେ ସଞ୍ଚୟଖାତାରେ ଜମା ହୋଇଯାଉଥିଲା । ଏଥିପାଇଁ ଉପରିସ୍ଥ ଅଧିକାରୀଙ୍କ ଅନୁମୋଦନ ଆବଶ୍ୟକ ହେଉନଥିଲା ।
ହେଲେ କୌଣସି କାରଣରୁ ଜିପିଓ ପକ୍ଷରୁ ସମସ୍ତ ଜମାରାଶିର ଦେୟ ପଇଠ ପାଇଁ ମୁଖ୍ୟ ଡାକଘର କର୍ତ୍ତୃପକ୍ଷଙ୍କ ଅନୁମୋଦନ ଆବଶ୍ୟକ ବୋଲି ନିର୍ଦ୍ଦେଶନାମା ଜାରି ପରେ ଏବେ ରାଜଧାନୀ ଆଖପାଖରେ ଥିବା ୭୦ରୁ ଅଧିକ ଛୋଟ ବଡ ଡାକଘରୁ ଏନଏସି, କେଭିପି ଭଳି ସଞ୍ଚୟ ସାର୍ଟିଫିକେଟ ଆସି ଜିପିଓରେ ପହଞ୍ଚିବାରେ ଲାଗିଛି । ଗୋଟିଏ ପଟେ କର୍ମଚାରୀଙ୍କ ସଂଖ୍ୟ କମ୍ ଥିବାବେଳେ ଅନ୍ୟ ପଟେ ହଜାର ହଜାର ସାର୍ଟିଫିକେଟ ଅନୁମୋଦନ ପାଇଁ ଆସି ପହଞ୍ଚିବା ଏବେ ବିଚିତ୍ର ଅବସ୍ଥା ସୃଷ୍ଟି କରିଛି ।
ଦୂର ଦୂରାନ୍ତର ଡାକଘର ତ ଦୂରରକଥା ବିଧାନସଭା ଡାକଘରୁ ଅନୁମୋଦନ ପାଇଁ ଯାଉଥିବା ସଞ୍ଚୟ ସାର୍ଟିଫିକେଟକୁ ବି ଦୁଇ ସପ୍ତାହ ପାଖାପାଖି ସମୟ ଲାଗି ଯାଉଛି । ଏଭଳି ସ୍ଥିତିରେ ଯେଉଁ ଜମାକାରୀମାନଙ୍କର ଅର୍ଥର ଜରୁରୀ ଆବଶ୍ୟକ ରହିଛି ସେମାନେ ଜିପିଓରେ ପହଞ୍ଚି ନିଜର ଅର୍ଥ ମିଳିବା ସଂକ୍ରାନ୍ତରେ ପଚାରି ବୁଝିବାରେ ଲାଗିଛି । ତେଣୁ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହିତ ପୂର୍ବଭଳି ଜମାକାରୀଙ୍କୁ ସେମାନେ ଅର୍ଥ ଜମା ରଖିଥିବା ଡାକଘରେ ହିଁ ତତ୍କାଳ ଅର୍ଥ ପ୍ରଦାନର ବ୍ୟବସ୍ଥା କରିବାକୁ ମତପ୍ରକାଶ ପାଉଛି । ଏହା ନହେଲେ ଜମାକାରୀମାନେ ଡାକଘର ଛାଡି ବ୍ୟାଙ୍କ୍ ମୁହାଁ ହେବେ ବୋଲି କୁହାଗଲାଣି । (ତଥ୍ୟ)