Home General ଜବରଦଖଲ ପାଇଁ ସରକାର କଲବଲ

ଜବରଦଖଲ ପାଇଁ ସରକାର କଲବଲ

ଭୁବନେଶ୍ୱର : ରାଜଧାନୀରେ ଜମି ଜବରଦଖଲକାରୀମାନେ ଏବେ ସରକାରଙ୍କୁ କଲବଲ କଲେଣି । ବିଡିଏର ପ୍ରାୟ ୧୦ଏକର ଜମିକୁ ବିକ୍ରି କରିଦେବା ଓ ଏହାକୁ ନେଇ ବିଡିଏ ମାମଲା ରୁଜୁ କରିବାପରେ ସହରରେ ଜବରଦଖଲକାରୀମାନଙ୍କ କାରନାମା ଧିରେ ଧିରେ ପଦାକୁ ଆସିବାରେ ଲାଗିଛି ।

ଏହି ଜବରଦଖଲକାରୀମାନେ କେବଳ ସରକାରୀ ଜମିକୁ ପ୍ଲଟ କରି ବିକ୍ରି କରୁନାହାନ୍ତି, ରାସ୍ତାପାଶ୍ୱର୍ ଜମି, କନଜରଭେନ୍ସି ଆଦିକୁ ବି ବିକ୍ରିକରି ଦେଉଛନ୍ତି । ଏପରିକି ସୁଯୋଗ ପାଇଲେ ଅବ୍ୟବହୃତ ସରକାରୀ କ୍ୱାଟର୍ସକୁ ବି ଭଡାରେ ଲଗାଇ ଦେବାକୁ ପଛାଉ ନାହାନ୍ତି ।

ବିଡିଏ ଏବେ ତାହାର ଜମି ଫେରସ୍ତ ପାଇଁ ମାମଲା ରୁଜୁ କରିଥିବାବେଳେ ଓଡିଶା ରାଜ୍ୟ ଖଦିବୋର୍ଡ କିନ୍ତୁ ନିଜର ଦୁଇ ଏକର ଜମି ଫେରି ପାଇବାପାଇଁ ଦୀର୍ଘଦିନ ଧରି ଧାଁ ଦଉଡ କରୁଛି । ଉଦ୍ୟାଗପୁରୀ ଅଞ୍ଚଳରେ ଥିବା ମୂଲ୍ୟବାନ ଜମିକୁ ମୁକୁଳାଇବାପାଇଁ ସରକାରଙ୍କୁ ବାରମ୍ବାର ଚିଠି ଲେଖିଲେ ମଧ୍ୟ ବିଏମ୍‍ସି, ବିଡିଓ ଓ କମିଶନରେଟ ପୁଲିସ୍‍ ମଧ୍ୟରେ ତାଳମେଳ ନରହିବାକୁ ଏହି ଜମିକୁ ମୁକୁଳାଯାଇ ପାରୁନାହିଁ । ଫଳରେ ଜବରଦଖଲକାରୀମାନେ ଉତ୍ସାହିତ ହୋଇ ଖଦିବୋର୍ଡର ଅବଶିଷ୍ଟ ଜମିକୁ ହାତେଇବା ଚକ୍କରରେ ଅଛନ୍ତି ।

କେବଳ ବିଡିଏ କିମ୍ବା ଖଦିବୋର୍ଡ ନୁହେଁ, ସାଧାରଣ ପ୍ରଶାସନ ଜମିକୁ ବି ଏହି ଜବରଦଖଲକାରୀମାନେ ବିକ୍ରି କରିଦେଉଛନ୍ତି । ସହରର ବିଭିନ୍ନ ୟୁନିଟ୍‍ରେ ରାସ୍ତାପାଶ୍ୱର୍ରେ ଥିବା ଜମିକୁ ବର୍ଗଫୁଟ ଆକାରରେ ବିକ୍ରି କରୁଛନ୍ତି କିମ୍ବା ଏଠାରେ ଘର ତିଆରି କରି ଭଡାରେ ଲଗାଉଛନ୍ତି । ଲୋକସେବା ଭବନ, ରାଜଭବନ ଆଖପାଖରେ ଏଭଳି କାଣ୍ଡ ଘଟୁଥିବାବେଳେ ପ୍ରଶାସନ କିନ୍ତୁ ଏକ ପ୍ରକାର ନିଦା ବିଷ୍ଣୁ ।

ରାସ୍ତାପାଶ୍ୱର୍ ଜମି ଜବରଦଖଲ କରିବା ପରେ ଏବେ ମାଫିଆମାନେ ବିଭିନ୍ନ ୟୁନିଟ୍‍ରେ ଥିବା କନଜରଭେନ୍ସି ଉପରେ ନଜର ପକାଇଛନ୍ତି । ଦୁଇ ସରକାରୀ କ୍ୱାଟର୍ସ ମଝିରେ ସ୍ୱରେଜ ଲାଇନ୍‍ ପାଇଁ ଉଦ୍ଦିଷ୍ଟ ଏହି ଜମିରେ ଘର କରି ଭଡା ଦେଉଛନ୍ତି ନହେଲେ ତାହାକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଛନ୍ତି । ବର୍ତ୍ତମାନ ବିଏମ୍‍ସି କର୍ତ୍ତୃପକ୍ଷ କନଜରଭେନ୍ସିରୁ ଆବର୍ଜନା ହଟାଇ ସେଠାରେ ଟାଇଲ୍‍ ବିଛାଇବା କାର୍ଯ୍ୟ ଚଳାଇଥିବାବେଳେ ଅଧିକାଂଶ ସ୍ଥାନରେ ଜବରଦଖଲ ଯୋଗୁଁ କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଛି ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବେଆଇନ୍‍ ଭାବେ ସରକାରୀ ଜମି ଉପରେ ଗଢି ଉଠୁଥିବା ଘରକୁ ବିଜୁଳି ଓ ପାଣି ସହଜରେ ମିଳି ଯାଉଛି । ସ୍ଥାନୀୟ ଜଳ ଯୋଗାଣ ଦାୟିତ୍ୱରେ ଥିବା କର୍ମଚାରୀମାନେ ରାତାରାତି ଜଳ ସଂଯୋଗ ଦେଉଥିବାବେଳେ ବିଜୁଳି ବିଭାଗର କର୍ମଚାରୀ ବି ଏଥିରେ ସହଯୋଗ କରୁଛନ୍ତି । ଥରେ ବିଜୁଳି ଓ ଜଳ ସଂଯୋଗ ପାଇଗଲେ ଲୋକେ ଆଉ ସ୍ଥାନ ଛାଡିବାକୁ ନାରାଜ । ଏପରିକି ବିଭିନ୍ନ ଆଳ ଦେଖାଇ ସରକାରୀ ଉଚ୍ଛେଦକାରୀ ଟିମ୍‍କୁ ତଡି ଦେଉଛନ୍ତି ।

ରାଜଧାନୀ ସହ ଓ ଏହାର ଆଖପାଖରେ ଜମି ଜବରଦଖଲ ଯୋଗୁଁ ସରକାର ପ୍ରାୟ ଦଶ ହଜାର ମାମଲା ଅଦାଲତରେ ଲଢୁଛନ୍ତି । ଏଥିପାଇଁ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଥିବାବେଳେ ଜବରଦଖଲକାରୀମାନେ କିନ୍ତୁ ଘରଭଡା ଅର୍ଥରେ ମାମଲା ଲଢୁଛନ୍ତି । ବିଡିଏ, ବିଏମ୍‍ସି ଓ ସାଧାରଣ ପ୍ରଶାସନ ବିଭାଗ, ସମସ୍ତଙ୍କର ଜବରଦଖଲ ଉଚ୍ଛେଦ ପାଇଁ ସ୍କ୍ୱାଡ୍‍ ଥିବାବେଳେ ପ୍ରତି ୱାର୍ଡରେ ଏ ସଂକ୍ରାନ୍ତରେ ସୂଚନା ଦେବାପାଇଁ ୱାର୍ଡ ଅଫିସରମାନେ ରହିଛନ୍ତି । ହେଲେ ଏମାନଙ୍କର କୋହଳ ନୀତି ଯୋଗୁଁ ସହରରେ ଏବେ ଜବରଦଖଲ ବୃଦ୍ଧି ପାଇବା ସହିତ ସରକାର କଲବଲ ହେଉଥିବା ଦେଖିବାକୁ ମିଳୁଛି । (ତଥ୍ୟ)