Home General ଜବରଦଖଲ ଉଚ୍ଛେଦ କଥା ଭୁଲିଗଲେ

ଜବରଦଖଲ ଉଚ୍ଛେଦ କଥା ଭୁଲିଗଲେ

ଭୁବନେଶ୍ୱର : ମଶା ଦାଉରୁ ରକ୍ଷା ସହିତ ଜବରଦଖଲକାରୀଙ୍କ କବଳରୁ ସୁରକ୍ଷା ପାଇଁ କନଜରଭେନ୍ସିରୁ ଜବରଦଖଲ ଉଠାଇବା ପାଇଁ ବିଏମ୍‍ସିର ଘୋଷଣା ଏବେ ନାଲିଫିତା ତଳେ । ବିଏମ୍‍ସି କିମ୍ବା ସାଧାରଣ ପ୍ରଶାସନ ଏ ଦିଗରେ ଧ୍ୟାନ ଦେଉନଥିବାରୁ କନଜରଭେନ୍ସିରେ ଜବରଦଖଲ ଦିନକୁ ଦିନ ବଢିବା ସହିତ ଏଠାରେ ଲକ୍ଷ ଲକ୍ଷ ଟଙ୍କାର ଜମି କିଣା ବିକା ବେଧଡକ ଭାବେ ଚାଲିଛି ।

ରାଜଧାନୀରେ ମଶାବଂଶ ବୃଦ୍ଧିର ଅନ୍ୟତମ କାରଣ କନଜରଭେନ୍ସିଂ ପାଲଟିଛି । ସରକାରୀ କ୍ୱାଟର୍ସ ପଛପଟେ ଥିବା ଏହି ଇଲାକାକୁ ଲୋକେ ଆବର୍ଜନା ଫୋପାଡିବା ସ୍ଥାନରେ ପରିଣତ କରିଦେଇଛନ୍ତି । ସେହିଭଳି ବହୁ ସ୍ଥାନରେ ଏହି ଅଞ୍ଚଳ ଜବରଦଖଲ ହୋଇ ସେଠାରେ ଅସ୍ଥାୟୀ ଶୌଚାଳୟ ନିର୍ମାଣ ହେବା ଯୋଗୁଁ ମଶାବଂଶ ବୃଦ୍ଧି ପାଉଛି ।

ବିଏମ୍‍ସି ନଜରକୁ ଏହା ଆସିବାପରେ ରାଜଧାନୀର କନଜରଭେନ୍ସିଂରେ ଥିବା ଜବରଦଖଲକୁ ହଟାଯିବା ବୋଲି ଘୋଷଣା ହୋଇଥିଲା । ଆଶା କରାଯାଉଥିବା ବିଶ୍ୱକପ୍‍ ହକି କିମ୍ବା ଏହା ପରେ ଏହି ଜବରଦଖଲ ହଟିବ । ହେଲେ ଫଳ ଓଲଟା ହେଲା । ବିଶ୍ୱକପ୍‍ ହକି ସମୟରେ ବିଏମ୍‍ସି, ବିଡିଏ ଓ ସାଧାରଣ ପ୍ରଶାସନର ମିଳିତ ଟିମ୍‍ ଯେଉଁସବୁ ରାସ୍ତାକଡ ବ୍ୟବସାୟୀ ଓ ଜବରଦଖଲକାରୀମାନଙ୍କୁ ହଟାଇଲେ ସେମାନେ ତୁରନ୍ତ ଆସି ବିଭିନ୍ନ ସ୍ଥାନରେ କନଜରଭେନ୍ସିରେ ଆସ୍ଥାନ ଜମାଇଲେ ।

ସେମାନଙ୍କୁ ଆଉ ଏବେ ହଟାଇବାକୁ କାହାର ନଜର ନାହିଁ । ଫଳରେ କନଜରଭେନ୍ସିଂରେ ଏବେ ରାତାରାତି ଘର ର୍ନିମାଣ ହୋଇ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛି । କନଜରଭେନ୍ସିଂରେ ଥିବା ସ୍ୱରେଜ ଲାଇନ୍‍ ଉପରେ ଅସ୍ଥାୟୀ ପାଇଖାନା ଓ ଗାଧୁଆଘର ନିର୍ମାଣ ହେଉଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଏଠାରେ ରାତାରାତି ଗଢି ଉଠୁଥିବା ବେଆଇନ୍‍ ଘରକୁ ତୁରନ୍ତ ବିଦ୍ୟୁତ୍‍ ଓ ପାନୀୟଜଳ ସଂଯୋଗ ମିଳିଯାଉଛି । ସ୍ଥାନୀୟ ବିଦ୍ୟୁତ୍‍ ଦପ୍ତରର କିଛି କର୍ମଚାରୀ ଏଭଳି ବେଆଇନ୍‍ ଘରକୁ ସଂଯୋଗ ଦେଇ ମାଲାମାଲ ହେଉଥିବାବେଳେ ଜଳଯୋଗାଣ ବିଭାଗର କର୍ମଚାରୀମାନେ ବି ପାଣି ସଂଯୋଗ ଦେଇ ଦେଉଛନ୍ତି । ତେବେ ଏହିସବୁ ସ୍ଥାନରେ ସ୍ୱରେଜ ସଂଯୋଗ ନଥିବାରୁ ପାଣି ଜମାହୋଇ ମଶାବଂଶ ବିସ୍ତାରର ଅନ୍ୟତମ କାରଣ ପାଲଟିଛି ।

କନଜରଭେନ୍ସିଂଗୁଡିକରେ ଏଭଳି ଜବରଦଖଲ ଓ ବେଆଇନ୍‍ କିଣା ବିକା ଚାଲିଥିବାବେଳେ ଏହି ଅଞ୍ଚଳର ଅସଲ ମାଲିକ ପୂର୍ତ୍ତ ବିଭାଗ ବି ନିରବତା ଅବଲମ୍ବନ କରୁଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ଜବରଦଖଲ ଯୋଗୁଁ ଯେଉଁସବୁ କ୍ୱାଟର୍ସରେ ସ୍ୱରେଜ ସମସ୍ୟା ଦେଖାଦେଉଛି ତାହାକୁ ସଜାଡିବା ପାଇଁ ବି କର୍ମଚାରୀ ସେଠାକୁ ପଶିପାରୁ ନାହାନ୍ତି ।

ପରିମଳ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କନଜରଭେନ୍ସିରୁ ଜବରଦଖଲ ହଟାଇବା ସହିତ ସେଠାରେ ଟାଇଲ ବିଛାଇବାକୁ ବି ଯୋଜନା ହୋଇଥିଲା । ହେଲେ ଏହି ଯୋଜନା ସରକାରୀ ନାଲିଫିତା ତଳେ ରହିଯିବା ଯୋଗୁଁ ଏବେ ଜବରଦଖଲକାରୀମାନେ ଏଠାରେ ଭଲ ବ୍ୟବସାୟ ଚଳାଇଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)