ଭୁବନେଶ୍ୱର : କଳା କାରଖାନା ପାଇଁ ଜମି ଖଣ୍ଡିଏ ଯୋଗାଇବାକୁ ସରକାର ନାକେଦମ ହେଉଥିବାବେଳେ ଲକ୍ଷ ଲକ୍ଷ ଏକର ସରକାରୀ ଜମିକୁ ଜବରଦଖଲକାରୀମାନେ ମାଡି ବସୁଛନ୍ତି । କେବଳ ୧୫ଟି ଜିଲ୍ଲାରେ ସାଢେ ୫ଲକ୍ଷ ଏକରରୁ ଅଧିକ ସରକାରୀ ଜମି ଜବରଦଖଲ ହୋଇଥିବାବେଳେ ଏଥିରୁ ଅତି ନଗଣ୍ୟ ପରିମାଣ ଫେରୁଛି ।
ମିଳିଥିବା ସୂଚନା ଅନୁଯାୟୀ ଗତ ୧୦ବର୍ଷ ମଧ୍ୟରେ ୧୫ଟି ଜିଲ୍ଲାରେ ୨ଲକ୍ଷ ୫୭ହଜାର ଏକରରୁ ଅଧିକ ସରକାରୀ ଜମି ଜବରଦଖଲ ହୋଇଯାଇଛି । ଏହିସବୁ ଜମିକୁ ୬,୩୮,୧୨୮ ଜଣ ଜବରଦଖଲ କରିଥିବାବେଳେ ଏଥିପାଇଁ ପାଖପାଖି ୬୦ହଜାର ମାମଲା ରୁଜୁ ହୋଇଛି । ଏହିସବୁ ଜିଲ୍ଲାଗୁଡିକ ହେଲା କେନ୍ଦୁଝର, ଅନୁଗୁଳ, ବରଗଡ, ଗଜପତି, ଜଗତ୍ସିଂହପୁର, ଯାଜପୁର, କେନ୍ଦ୍ରାପଡା, କୋରାପୁଟ, ନୟାଗଡ, ସମ୍ବଲପୁର, ଗଞ୍ଜାମ, ପୁରୀ, କଳାହାଣ୍ଡି, ଖୋରଧା ଓ ଢେଙ୍କାନାଳ ।
ତେବେ ଏହିସବୁ ଜିଲ୍ଲାରେ ୨୦୧୦ରୁ ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ୬୭ହଜାର ଏକରରୁ ଅଧିକ ଜମି ଜବରଦଖଲ ହୋଇଥିବାବେଳେ ୨୦୦୯ ସୁଦ୍ଧା ୨ଲକ୍ଷ ୮୩ହଜାରରୁ ଅଧିକ ଏକର ଜମି ବି ଜବରଦଖଲ ହୋଇଥିଲା । ତେଣୁ ବର୍ତ୍ତମାନ ସୁଦ୍ଧା ସାଢେ ମୋଟ୍ ୫ଲକ୍ଷ ହେକ୍ଟର ଜମି ମାଫିଆଙ୍କ ହାତକୁ ଯାଇଥିବାବେଳେ ସେଥିରୁ ମାତ୍ର ୨୬,୭୨୮ ଏକର ଜମି ସରକାରୀ ଖାତାକୁ ଫେରିଛି ।
ତେବେ ସରକାରୀ ଜମି ଜବରଦଖଲ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି କୋରାପୁଟ ଜିଲ୍ଲା । ଏହି ଜିଲ୍ଲାରେ ୭୮ହଜାର ଏକରରୁ ଅଧିକ ଜମି ମାଫିଆଙ୍କ ହାତକୁ ଯାଇଥିବାବେଳେ ବରଗଡ ଜିଲ୍ଲାରେ ୩୫ହଜାରରୁ ଅଧିକ ଏବଂ କେନ୍ଦୁଝରରେ ୨୮ହଜାର ଏକରରୁ ଅଧିକ ଜମି ଜବରଦଖଲ ହୋଇଛି । କେନ୍ଦ୍ରାପଡାରେ ୨୧ହଜାର ଏକରରୁ ଅଧିକ ଜମି ଜବରଦଖଲ ହୋଇଥିବାବେଳେ ଗଞ୍ଜାମରେ ଏହା ୧୨ହଜାର ଏକରରୁ ଅଧିକ ରହିଛି ।
ସରକାରୀ ଜମି ଜବରଦଖଲମୁକ୍ତ କରିବାପାଇଁ ରାଜ୍ୟ ସରକାର ହଜାର ହଜାର ମାମଲା ରୁଜୁ କରିବା ସହିତ ଏ ବାବଦରେ ଲକ୍ଷାଧିକ ଟଙ୍କା ରାଜକୋଷରୁ ବ୍ୟୟ କରୁଛନ୍ତି । ତେବେ ମାମଲାରେ ବିପୁଳ ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ ଯେଉଁ ହାରରେ ସରକାରୀ ଜମି ଜବରଦଖଲମୁକ୍ତ ହେବାକଥା ତାହା ହେଉନାହିଁ ।
ଅନ୍ୟ ପକ୍ଷରେ ରାଜ୍ୟ ସରକାର ଶିଳ୍ପପତି ଓ ନିବେଶକାରୀମାନଙ୍କୁ ଜମି ଯୋଗାଇବା କ୍ଷେତ୍ରରେ ସଙ୍କଟର ସମ୍ମୁଖୀନ ହେବାପରେ ଏବେ ଜମି ବ୍ୟାଙ୍କ୍ ପ୍ରତିଷ୍ଠା କରିଛନ୍ତି । ତେବେ ଜବରଦଖଲରେ ଥିବା ସରକାରୀ ଜମିକୁ ଏହି ବ୍ୟାଙ୍କ୍କୁ ଫେରାଇ ଅଣାଯିବାକୁ ମତପ୍ରକାଶ ପାଉଛି ।