Home General ଜବରଦଖଲରେ ରେଳବାଇ ଜମି

ଜବରଦଖଲରେ ରେଳବାଇ ଜମି

ଭୁବନେଶ୍ୱର : ଓଡିଶାରେ ଥିବା ପୂର୍ବତଟ ରେଳବାଇର ୧୩ ହେକ୍ଟରରୁ ଅଧିକ ଜମି ଜବରଦଖଲରେ । ସେହିଭଳି ଦକ୍ଷିଣ-ପୂର୍ବ ରେଳବାଇର ମଧ୍ୟ ୧୪୦ ହେକ୍ଟର ଜମିକୁ ଲୋକେ ମାଡି ବସିଛନ୍ତି । ତେବେ ସମଗ୍ର ଦେଶରେ ରେଳବାଇର ପ୍ରାୟ ୭୮୩ ହେକ୍ଟର ଜମି ଜବରଦଖଲ ହୋଇଥିବା ଜଣାଯାଇଛି ।

ରେଳବାଇ ଜମି ଜବରଦଖଲ ନେଇ ମିଳିଥିବା ସୂଚନା ଅନୁଯାୟୀ ୨୦୧୮ ମସିହାରେ ପୂର୍ବତଟ ରେଳବାଇର ୧୪.୨୧ ହେକ୍ଟର ଜମି ଜବରଦଖଲରେ ଥିବାବେଳେ ଗତ ଆର୍ଥିକ ବର୍ଷ ଶେଷସୁଦ୍ଧା ତାହା ୧୩.୦୪ ହେକ୍ଟରରେ ପହଞ୍ଚିଛି । ବର୍ଷକୁ ବର୍ଷ ଏହା ସାମାନ୍ୟ ହ୍ରାସ ପାଇବାରେ ଲାଗିଛି ।

ସେହିଭଳି ଓଡିଶାର କିଛି ଅଞ୍ଚଳରେ ଦକ୍ଷିଣ ପୂର୍ବ ରେଳବାଇ ରହିଛି । ରେଳବାଇର ଏହି ଜୋନ୍‍ରେ ୧୪୦.୬୦ ହେକ୍ଟର ଜମି ଜବରଦଖଲ ହୋଇଛି । ସମଗ୍ର ଦେଶରେ ଏହା ଦ୍ୱିତୀୟ ସର୍ବାଧିକ । ୨୦୧୮ ବେଳକୁ ଦକ୍ଷିଣପୂର୍ବ ରେଳବାଇର ପ୍ରାୟ ୧୪୮ ହେକ୍ଟର ଜମି ଜବରଦଖଲରେ ଥିଲା । ତେବେ ସବୁଠାରୁ ଅଧିକ ଉତ୍ତର ରେଳବାଇର ପ୍ରାୟ ୧୫୮ ହେକ୍ଟର ଜମି ଜବରଦଖଲରେ ଥିବା ସୂଚନା ମିଳିଛି ।

ରେଳବାଇ ପକ୍ଷରୁ ଦର୍ଶାଯାଇଛି ଯେ ଲୋକେ ବେଆଇନ୍‍ ଭାବେ ରେଳବାଇ ଜମି ବିଶେଷକରି ରେଳଲାଇନ୍‍ କଡେ କଡେ ଥିବା ସ୍ଥାନକୁ ଜବରଦଖଲ କରି ଏଠାରେ ବସବାସ କରୁଛନ୍ତି । ତେବେ ଏଭଳି ଜବରଦଖଲ ବଢୁନଥିବା ରେଳବାଇ ପକ୍ଷରୁ କୁହାଯାଇଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ରେଳବାଇ ଆଇନ୍‍ ୧୯୮୯ର ଧାରା ୧୪୭ ଅନୁଯାୟୀ ଏଭଳି ଜବରଦଖଲକାରୀଙ୍କ ପାଇଁ ଥଇଥାନର କୌଣସି ବ୍ୟବସ୍ଥା ନାହିଁ । ଏଥିରେ କେବଳ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବାର ବ୍ୟବସ୍ଥା ରହିଛି ।

ତେବେ ରେଳବାଇ ଜମିରେ ବସବାସ କରୁଥିବା ଲୋକଙ୍କୁ ସେଠାରୁ ଉଚ୍ଛେଦ କରି ବିଭିନ୍ନ ଯୋଜନାରେ ବାସଗୃହ ଯୋଗାଇ ଦିଆଯାଉଛି । ବିଶେଷକରି ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା “ସମସ୍ତଙ୍କ ପାଇଁ ଘର” ଯୋଜନାରେ ଏହି ଗରିବ ଲୋକଙ୍କୁ ବାସଗୃହ ମିଳୁଛି । ଏଥିପାଇଁ କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ଏଥିରେ ସହରାଞ୍ଚଳର ବିଭିନ୍ନ ବର୍ଗର ଗରିବ ଲୋକଙ୍କ ସହିତ ରେଳଲାଇନ୍‍ କଡରେ ବସବାସ କରୁଥିବା ଲୋକଙ୍କୁ ବି ଘର ଯୋଗାଇ ଦିଆଯାଉଛି । ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା କେନ୍ଦ୍ର ସରକାର ସହରାଞ୍ଚଳର ଗରିବ ଲୋକଙ୍କପାଇଁ ୧୨୨ ଲକ୍ଷ ବାସଗୃହ ମଞ୍ଜୁର କରିବା ସହିତ ଏଥିପାଇଁ ପ୍ରାୟ ୨ଲକ୍ଷ କୋଟି ଟଙ୍କା ଯୋଗାଇଛନ୍ତି ।

ତେବେ ଓଡିଶାର ସହରାଞ୍ଚଳ ବିଶେଷକରି ଯେଉଁଠାରେ ରେଳଲାଇନ୍‍ ଯାଇଛି ସେଠାରେ ଏବେ ରାଜ୍ୟ ବାହାରର ଅନୁପ୍ରବେଶକାରୀମାନେ ଆସ୍ଥାନ ଜମାଇବାରେ ଲାଗିଛନ୍ତି । ରାଜ୍ୟ ସରକାର ଏହିସବୁ ସ୍ଥାନରୁ ଉଚ୍ଛେଦ କରୁନଥିବାରୁ ସେମାନେ ଏଠାକୁ ନିରାପଦ ମଣୁଛନ୍ତି । କିଛିଦିନ ସେଠାରେ ରହିବାପରେ ଧିରେ ଧିରେ ଆଧାରକାର୍ଡ ପ୍ରସ୍ତୁତ ଓ ଭୋଟର ତାଲିକାରେ ନିଜ ନାମ ଦରଜ କରି ବିଭିନ୍ନ ସରକାରୀ ସୁବିଧା ସୁଯୋଗ ହାତଉଛନ୍ତି । ରେଳବାଇ ଜମି ଜବରଦଖଲ ପରିମାଣ ବଢୁନଥିଲେ ମଧ୍ୟ ସେଠାରେ ବସବାସ କରୁଥିବା ଅନୁପ୍ରବେଶକାରୀଙ୍କ ସଂଖ୍ୟା କିନ୍ତୁ ବଢୁଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)