Home News in Odia ଜନସ୍ୱାସ୍ଥ୍ୟରେ ଯନ୍ତ୍ରୀ ଅଭାବ

ଜନସ୍ୱାସ୍ଥ୍ୟରେ ଯନ୍ତ୍ରୀ ଅଭାବ

ଭୁବନେଶ୍ୱର : ସହରାଞ୍ଚଳରେ ସେବା ଯୋଗାଣ ପାଇଁ ଥିବା ଯନ୍ତ୍ରୀ ପଦବୀ ମଧ୍ୟରୁ ୮ଶହରୁ ଖାଲି ପଡିଛି । ଏହି ପଦବୀ ପୂରଣ ପାଇଁ ପ୍ରାୟ ଦୁଇବର୍ଷ ଧରି ଉଦ୍ୟମ ଚାଲିଛି ।

ମିଳିଥିବା ସୂଚନା ଅନୁଯାୟୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଜନସ୍ୱାସ୍ଥ୍ୟ ଯନ୍ତ୍ରୀ ବର୍ଗରେ ୨୦୦୭ଟି ବିଭିନ୍ନ ପାହ୍ୟାର ପଦବୀ ଥିବାବେଳେ ଏଥିରୁ ୮୪୨ ଟି ପଦବୀ ଖାଲି ପଡିଛି । କ୍ଷେତ୍ର ସ୍ତରରେ ଅଧିକ ଜରୁରୀ ଥିବା କନିଷ୍ଠ ଯନ୍ତ୍ରୀ ପାହ୍ୟାରେ ଥିବା ୭୯୧ ପଦବୀରୁ ୪୧୯ଟି ପଦବୀ ଖାଲି ପଡିଛି । ଏଥି ମଧ୍ୟରୁ ୩୬୫ ଟି ପଦବୀ ପୂରଣ ପାଇଁ ୨୦୨୪ ଫେବୃୟାରୀ ମାସରୁ ଓଡିଶା କର୍ମଚାରୀ ଚୟନ ଆୟୋଗଙ୍କୁ ପତ୍ର ଲେଖାଯାଇଛି ।

ସେହିଭଳି ୪୦୪ଟି ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ ମଧ୍ୟରୁ ୧୫୫ଟି ପଦବୀ ଖାଲି ପଡିଥିବାବେଳେ ଏଥିରୁ ୮୦ଟି ପଦବୀ ପୂରଣ ପାଇଁ ନୋଡାଲ ବିଭାଗ ଜଳସମ୍ପଦ ବିଭାଗକୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛ । ଅବଶିଷ୍ଟ ଖାଲି ପଦବୀ ପୂରଣ ପାଇଁ ବିଭାଗୀୟ ପଦୋନ୍ନତି କମିଟି ଦ୍ୱାରା ସହକାରୀ ଯନ୍ତ୍ରୀରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦକୁ ପଦୋନ୍ନତି ଦେବାପାଇଁ ପ୍ରକ୍ରିୟା ଜାରି ରହିଛି ।

ସେହିଭଳି ୨୪୩ ସହକାରୀ ଯନ୍ତ୍ରୀ ପଦବୀ ପୂରଣ ପାଇଁ ବିଭାଗୀୟ ପଦୋନ୍ନତି କମିଟି ଦ୍ୱାରା କନିଷ୍ଠ ଯନ୍ତ୍ରୀରୁ ସହକାରୀ ଯନ୍ତ୍ରୀ ପଦକୁ ପଦୋନ୍ନତି ଦେବାପାଇଁ ପ୍ରକ୍ରିୟା ଜାରି ରହିଛି । ଖାଲିଥିବା ୧୮ ନିର୍ବାହୀ ଯନ୍ତ୍ରୀ ଓ ୭ ଅଧୀକ୍ଷଣ ଯନ୍ତ୍ରୀ ପଦବୀ ପୂରଣ ନିମନ୍ତେ ପଦୋନ୍ନତି ପ୍ରକ୍ରିୟା ବି ଚାଲୁ ରହିଛି । ତେବେ ୩ଟି ସର୍ବୋଚ୍ଚ ଯନ୍ତ୍ରୀ, ୭ଟି ମୁଖ୍ୟଯନ୍ତ୍ରୀ ଓ ୨୧ଟି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପାହ୍ୟାର ସମସ୍ତ ପଦବୀ ପୂରଣ ଅଛି ।

ରାଜ୍ୟର ସହରାଞ୍ଚଳଗୁଡିକରେ ଏବେ ଏକାଧିକ କେନ୍ଦ୍ରୀୟ ଓ ରାଜ୍ୟ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏଥିରେ ଯନ୍ତ୍ରୀମାନଙ୍କର ବିଶେଷକରି କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ହେଲେ ଏହି ଦୁଇ ପଦବୀରେ ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ଅଧାରୁ ଅଧିକ ଖାଲି ପଡିଥିବାରୁ ବିଭିନ୍ନ ସ୍ତରରେ କାର୍ଯ୍ୟ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି । ଏହିସବୁ ପଦବୀଗୁଡିକ ପୂରଣ ପାଇଁ ସରକାରୀ ସ୍ତରରେ ବର୍ଷାଧିକକାଳ କସରତ ଚାଲିଥିଲେ ମଧ୍ୟ ନୂତନ ନିଯୁକ୍ତି କିମ୍ବା ପଦୋନ୍ନତି ହୋଇପାରୁ ନାହିଁ ।

ଗୋଟିଏ ପଟେ ଅଣବୈଷୟିକ ଖାଲି ପଦବୀରେ ଆଉଟସୋର୍ସିଂ ନିଯୁକ୍ତିକୁ ନେଇ ହଟଚମଟ ଚାଲିଥିବାବେଳେ ଅନ୍ୟପଟେ ଯନ୍ତ୍ରୀ ପଦବୀ ଖାଲି ଏବେ ସହରାଞ୍ଚଳ ବିକାଶରେ ବାଧା ବୋଲି ପୁରୁଖା ଅଧିକାରୀମାନେ ମତ ଦେଉଛନ୍ତି । ତେଣୁ ସରକାରୀ ତୁରନ୍ତ ଖାଲି ପଡିଥିବା ଯନ୍ତ୍ରୀ ପଦବୀଗୁଡିକ ପୂରଣ ନକଲେ କେବଳ ଯୋଜନା ଅର୍ଥ ବ୍ୟୟ ବିଳମ୍ବ ହେବନାହିଁ ବହୁ ପ୍ରକଳ୍ପର କାର୍ଯ୍ୟ ମଧ୍ୟ ଆଗେଇ ପାରିବ ନାହିଁ ବୋଲି କୁହାଯାଉଛି । (ତଥ୍ୟ)