ଭୁବନେଶ୍ୱର : ଏସ୍ଇବିସି ବର୍ଗଙ୍କ ପାଇଁ ଓଡ଼ିଶାରେ ସରକାରୀ ଚାକିରି କ୍ଷେତ୍ରରେ ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଥିବାବେଳେ ଏହି ବର୍ଗର ଜନସଂଖ୍ୟା କିନ୍ତୁ ରାଜ୍ୟର ମୋଟ ଲୋକସଂଖ୍ୟାର ଅନ୍ୟୁନ ୪୦ ପ୍ରତିଶତ ବୋଲି ଅନୁମାନ କରାଯାଉଛି । ତେବେ ବେସରକାରୀ ଭାବେ ଏମାନଙ୍କ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ବୋଲି ଦାବି କରାଯାଉଛି ।
ଏବେ ରାଜ୍ୟ ସରକାର ଏହି ବର୍ଗଙ୍କ ପାଇଁ ଶିକ୍ଷାନୁଷ୍ଠାନରେ ୧୧.୨୫ ପ୍ରତିଶତ ଆସନ ସଂରକ୍ଷଣ ଲାଗୁ କରୁଛନ୍ତି । ଏହାଛଡ଼ା ପୌର ଓ ପଞ୍ଚାୟତ ନିର୍ବାଚନରେ ଏହି ବର୍ଗଙ୍କ ପାଇଁ ଆସନ ସଂରକ୍ଷଣ ବ୍ୟବସ୍ଥା ଥିବାବେଳେ ଏଯାବତ କିନ୍ତୁ ଓଡ଼ିଶା ସମେତ ସାରା ଦେଶରେ ବିଧାନସଭା ଓ ଲୋକସଭା ପାଇଁ ଏସ୍ଇବିସିଙ୍କ ଲାଗି ଆସନ ସଂରକ୍ଷଣ ବ୍ୟବସ୍ଥା କରାଯାଇ ନାହିଁ ।
୨୦୨୩ ବର୍ଷରେ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ ପକ୍ଷରୁ ଏସ୍ଇବିସିଙ୍କ ସ୍ଥିତି ସଂକ୍ରାନ୍ତରେ ତଥ୍ୟ ଅନୁସନ୍ଧାନ କରାଯାଇଥିଲା । ଏହି ତଥ୍ୟ ମୁତାବକ ସେ ସମୟରେ ଏସ୍ଇବିସି ସର୍ଭେରେ ପାଖାପାଖି ୧ କୋଟି ୯୫ ଲକ୍ଷ ଲୋକ ଅଂଶଗ୍ରହଣ କରିଥିଲେ । ଏସ୍ଇବିସି ବର୍ଗର ଏହି ଲୋକମାନେ ୫୩,୯୬,୧୩୨ ଘର ବା ପରିବାରରେ ବସବାସ କରୁଥିବା ସେ ସମୟରେ ଜଣାପଡିଥିଲା ।
ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଜନସଂଖ୍ୟା ଅନୁପାତରେ ସାରା ଦେଶରେ ଏସ୍ସି ଓ ଏସ୍ଟି ବର୍ଗଙ୍କ ଲାଗି ୨୨.୫ ପ୍ରତିଶତ ଆସନ ସଂରକ୍ଷଣ ରହିଛି । ସରକାରୀ ଚାକିରି, ନିର୍ବାଚନ ଓ ଶିକ୍ଷାନୁଷ୍ଠାନରେ ଏହି ବର୍ଗଙ୍କ ଲାଗି ସ୍ଥାନ ସଂରକ୍ଷଣ ପ୍ରଚଳିତ ରହିଛି । ତେବେ ଚାକିରି ଏବଂ ପଞ୍ଚାୟତ ଓ ପୌର ନିର୍ବାଚନ କ୍ଷେତ୍ରରେ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଟପିପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ରୁଲିଂ ଯୋଗୁ ଗତ ଶତାବ୍ଦୀର ୯୦ ଦଶକରେ ଏସ୍ଇିବିସିଙ୍କ ପାଇଁ ଜାତୀୟ ସ୍ତରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଥିଲା । ଏହା ଏବେ ବି ବଳବତ୍ତର ରହିଛି ।
ଅନ୍ୟପକ୍ଷରେ ସେ ସମୟରେ ଓଡ଼ିଶା ସରକାର ଜଷ୍ଟିସ ନବକିଶୋର ଦାସ କମିଶନ ବସାଇଥିଲେ ଏବଂ ଏହି କମିଶନ ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟ ମୁତାବକ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ସୀମା ୧୨ ପ୍ରତିଶତ ଭିତରେ ରଖଥିଲେ । ଏଠାରେ ଉଲ୍ଲେଖନୀୟ ଯେ ସେତେବେଳେ ଓଡ଼ିଶାରେ ଏସ୍ସି ଓ ଏସ୍ଟି ବର୍ଗଙ୍କ ପାଇଁ ୩୮ ପ୍ରତିଶତ ସ୍ଥାନ ସଂରକ୍ଷଣ ଥିଲା । ପରବର୍ତ୍ତୀ ଜନଗଣନା ଆଧାରରେ ଏସ୍ସି ବର୍ଗଙ୍କ ପାଇଁ ୧୬.୨୫ ପ୍ରତିଶତ ଓ ଏସ୍ଟି ବର୍ଗଙ୍କ ପାଇଁ ୨୨.୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖାଯିବାରୁ ଏସ୍ଇବିସିଙ୍କ ଲାଗି ସଂରକ୍ଷଣ ୧୧.୨୫ ପ୍ରତିଶତ ରଖିବାକୁ ପଡ଼ିଥିଲା ।
ତେବେ ଓଡ଼ିଶା ସରକାର ଦୁଇଥର ଏହି ବର୍ଗଙ୍କ ପାଇଁ ସଂରକ୍ଷଣ ସୀମା ଜାତୀୟ ହାର ସହ ସମାନ କରି ୨୭ ପ୍ରତିଶତକୁ ବଢ଼ାଇଥିଲେ ମଧ୍ୟ ତାହା ହରପ୍ରିୟା ଦାସ ଓ ଅମର ଛାଟୋଇ ମାମଲାରେ କାଟ୍ ଖାଇଯିବାରୁ ପୁଣି ୨୦୧୪ ମସିହାରୁ ରାଜ୍ୟ ସରକାର ଏହାକୁ ୧୧.୨୫ ପ୍ରତିଶତକୁ ହ୍ରାସ କରିଛନ୍ତି ।
ତଥ୍ୟ ମୁବାତକ ନୟାଗଡ଼ ଜିଲ୍ଲାରେ ଏସ୍ଇବିସିଙ୍କ ସଂଖ୍ୟା ସର୍ବାଧିକ ୫୮ ପ୍ରତିଶତ ଥିବାବେଳେ ବୌଦ୍ଧ, ଗଞ୍ଜାମ, କେନ୍ଦ୍ରାପଡ଼ା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଏହି ବର୍ଗଙ୍କ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ବୋଲି କୁହାଯାଉଛି । ଏହାଛଡ଼ା ଅନୁଗୁଳ, ଖୋର୍ଦ୍ଧା, କଳାହାଣ୍ଡି, ଯାଜପୁର, ବାଲେଶ୍ୱର, ବରଗଡ଼, କଟକ ଓ ଦେବଗଡ଼ ଆଦି ଜିଲ୍ଲାରେ ଏସ୍ଇବିସି ଜନସଂଖ୍ୟା ୩୦ରୁ ୪୫ ପ୍ରତିଶତ ହେବ ବୋଲି କୁହାଯାଉଛି । ଅନ୍ୟ ଜିଲ୍ଲାଗୁଡ଼ିକରେ ଏହି ବର୍ଗର ସଂଖ୍ୟା ୧୫ରୁ ୩୦ ପ୍ରତିଶତ ରହିଛି । ଏ ପରିପ୍ରେକ୍ଷୀରେ ଏସ୍ଇବିସିଙ୍କ ପାଇଁ ସଂରକ୍ଷଣ ସୀମା ବୃଦ୍ଧି ହୋଇପାରିବ କି ନାହିଁ ତାହା ଏବେ ବି ଚର୍ଚ୍ଚାର ବିଷୟ ହୋଇ ରହିଛି । (ତଥ୍ୟ)

