ଭୁବନେଶ୍ବର : ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଜଙ୍ଗଲ ଅଧିକାର ଆଇନ ଅଧୀନରେ ବିଶେଷ ଭାବେ ଅନୁନ୍ନତ ଜନଜାତିଙ୍କୁ ବସତି ଅଧିକାର ପ୍ରଦାନ କରିବାରେ ଓଡ଼ିଶା ସମଗ୍ର ଦେଶରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି।
ଗତ ଅଗଷ୍ଟ ୭ ତାରିଖରେ ଜିଲ୍ଲାସ୍ତରୀୟ କମିଟି (ଡିଏଲସି) ଦ୍ୱାରା କେନ୍ଦୁଝର ଜିଲ୍ଲାରେ ଜୁଆଙ୍ଗମାନଙ୍କର ବସତି ଅଧିକାରକୁ ସ୍ୱୀକୃତି ଦିଆଯାଇଥିଲା । ଭାରତର ଅନ୍ୟ ରାଜ୍ୟ ତୁଳନାରେ ବିଶେଷ ଭାବେ ଅନୁନ୍ନତ ଜନଜାତିଙ୍କ ପାଇଁ ସ୍ୱୀକୃତି ପ୍ରାପ୍ତ ତିନୋଟି ବସତି ଅଧିକାର ଯୋଗାଇ ଓଡ଼ିଶା ଅଗ୍ରଣୀ ରାଜ୍ୟ ହୋଇପାରିଛି । ସ୍ୱୀକୃତି ପ୍ରାପ୍ତ ତିନୋଟି ବସତି ଅଧିକାର ଯୋଗାଇ ଦେବାରେ ଏହା ଭାରତରେ ସର୍ବାଧିକ । ଏହା ପୂର୍ବରୁ ୨୦୨୪ ଅଗଷ୍ଟ ୬ ତାରିଖରେ ଯାଜପୁର ଜିଲ୍ଲାର ଜୁଆଙ୍ଗ ବିଶେଷ ଭାବେ ଅନୁନ୍ନତ ଜନଜାତି ସମ୍ପ୍ରଦାୟର ବସତି ଅଧିକାରକୁ ସମ୍ପୃକ୍ତ ଡିଏଲସି ଅନୁମୋଦନ କରିଥିଲେ ।
ପୂର୍ବରୁ ୨୦୨୪ ମାର୍ଚ୍ଚ ୭ ତାରିଖରେ ଦେବଗଡ଼ ଜିଲ୍ଲାର ପାଉଡ଼ି ଭୂୟାଁ ରାଜ୍ୟର ପ୍ରଥମ ବିଶେଷ ଭାବେ ଅନୁନ୍ନତ ଜନଜାତି ସମ୍ପ୍ରଦାୟ ଭାବେ ବସତି ଅଧିକାର ପାଇଥିଲେ। ବାରକୋଟ ବ୍ଲକ ଅଧୀନରେ ଥିବା ୩୨ଟି ଗାଁରେ ପାଉଡ଼ି ଭୂୟାଁଙ୍କ ବସତି ଅଧିକାରକୁ ସ୍ୱୀକୃତି ମିଳିଥିଲା । ସେଭଳି ସୁକିନ୍ଦା ବ୍ଲକ ଅଧୀନରେ ଥିବା ୧୩ଟି ଗାଁକୁ ଅନ୍ତର୍ଭୁକ୍ତ କରି ଯାଜପୁର ଏବଂ କେନ୍ଦୁଝର ଜିଲ୍ଲାର ଜୁଆଙ୍ଗମାନଙ୍କ ପାଇଁ ବସତି ଅଧିକାରକୁ ସ୍ୱୀକୃତି ମିଳିଛି।
ଆଦିମ ଜନଜାତିମାନେ ସ୍ଥାୟୀ ଜୀବନଯାପନ ଏବଂ ସେମାନଙ୍କର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରି ପିଢ଼ି ପିଢ଼ି ଧରି ସେମାନଙ୍କ ପୈତୃକ ଜମିର ପରିଚାଳକ ହୋଇ ଆସୁଛନ୍ତି । ଏହି ଅନୁମୋଦନ ବିଶେଷ ଭାବେ ଅନୁନ୍ନତ ଜନଜାତିଙ୍କ ଅଧିକାରକୁ ସୁନିଶ୍ଚିତ କରେ । କେବଳ ଏତିକି ନୁହଁ ଆଦିବାସୀ ଜନସଂଖ୍ୟାର ପରମ୍ପରା ଏବଂ ଜୀବନଶୈଳୀକୁ ସମ୍ମାନ ଦେଇ ଏହାକୁ ବଜାୟ ରଖିବାର ଗୁରୁତ୍ୱକୁ ମଧ୍ୟ ସୁଦୃଢ଼ କରେ । FRA ଅଧୀନରେ ବସତି ଅଧିକାରକୁ ସ୍ୱୀକୃତି ମିଳିବା ହେଉଛି ଆଦିବାସୀ ସମ୍ପ୍ରଦାୟର ଅଧିକାରକୁ ସ୍ୱୀକୃତି ଏବଂ ସୁରକ୍ଷା ଦେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ଏହି ବର୍ଗରେ କେନ୍ଦୁଝରର ଜୁଆଙ୍ଗମାନେ ଭାରତରେ ଷଷ୍ଠ ବିଶେଷ ଭାବେ ଅନୁନ୍ନତ ଜନଜାତି ଯେଉଁମାନେ ଜଙ୍ଗଲ ବାସସ୍ଥାନ ଉପରେ ଆଇନଗତ ମାଲିକାନା ଏବଂ ଅଧିକାର ରଖିଛନ୍ତି । ଏହି ବର୍ଗରେ ଜଙ୍ଗଲ ବାସସ୍ଥାନ ଉପରେ ଆଇନଗତ ମାଲିକାନା ଏବଂ ଅଧିକାର ରଖିଥିବା ଅନ୍ୟ ବିଶେଷ ଭାବେ ଅନୁନ୍ନତ ଜନଜାତି ହେଉଛନ୍ତି ଯାଜପୁରର ଜୁଆଙ୍ଗ, ଓଡ଼ିଶାର ଦେବଗଡ଼ର ପାଉଡ଼ି ଭୂୟାଁ, ମଧ୍ୟପ୍ରଦେଶର ଭାରିଆ ଏବଂ ଛତିଶଗଡ଼ର କମାର ଓ ବାଇଗା ସମ୍ପ୍ରଦାୟ ।
କେନ୍ଦୁଝରର ଜୁଆଙ୍ଗ ସମ୍ପ୍ରଦାୟର ବିଶେଷ ଭାବେ ଅନୁନ୍ନତ ଜନଜାତି ଗୋଷ୍ଠୀଙ୍କୁ ବସତି ଅଧିକାର ମିଳିବା ପରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଖୁସି ପ୍ରକାଶ କରି କହିଛନ୍ତି ଯେ, “ଆଦିବାସୀ ସମ୍ପ୍ରଦାୟ ଏବଂ ବିଶେଷଭାବେ ଅନୁନ୍ନତ ଜନଜାତିଙ୍କ ସାମଗ୍ରିକ ବିକାଶ ଦେଖିବା ପାଇଁ ଆମର ଲୋକାଭିମୁଖୀ ସରକାର ସର୍ବଦା ତତ୍ପର ଅଛନ୍ତି ଏବଂ ଏହି ବସତି ଅଧିକାର ସ୍ୱୀକୃତି ସହିତ ଏହା ଅଧିକ ସ୍ପଷ୍ଟଭାବେ ଅନୁଭୂତ ହେବ।”
ବିଶେଷ ଭାବେ ଅନୁନ୍ନତ ଜନଜାତି ମାନଙ୍କ ପାଇଁ ବାସସ୍ଥାନ ହେଉଛି ଏପରି ଏକ ଅଞ୍ଚଳ ଯେଉଁଠାରେ ରହିଛି ଏହି ସମ୍ପ୍ରଦାୟର ଉଭୟ ଆଧ୍ୟାତ୍ମିକ ଏବଂ ଭୌତିକ ସମ୍ପର୍କ । ଆଧ୍ୟାତ୍ମିକ ସମ୍ପର୍କ ହେଉଛି ଏଭଳି ଏକ ସ୍ଥାନ ଯାହା ସମ୍ପ୍ରଦାୟର ସାମାଜିକ-ସାଂସ୍କୃତିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଏହି ଅଞ୍ଚଳରେ ଶ୍ମଶାନ, ଜନ୍ମସ୍ଥାନ, ମନ୍ଦିର, ଦେବାଦେବୀ, ପୈତୃକ ଜମି କିମ୍ବା ପର୍ବପର୍ବାଣୀ ଏବଂ ଶୋଭାଯାତ୍ରା ଅନ୍ତର୍ଭୁକ୍ତ ଭଳି ଅନ୍ୟ କୌଣସି ସାମାଜିକ-ସାଂସ୍କୃତିକ ଉଦ୍ଦେଶ୍ୟରେ ବ୍ୟବହୃତ ଅଞ୍ଚଳ ଅନ୍ତର୍ଭୁକ୍ତ ରହିଛି । ଏହି ଅଞ୍ଚଳରେ ଜୀବିକା ଉତ୍ପାଦନ ପାଇଁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ, ମାଛଧରା ଉତ୍ସ, ଚାଷ ଜମି ଏବଂ ଋତୁକାଳୀନ ପ୍ରବାସୀ ଜମି ପାରମ୍ପରିକ ଜମି ବ୍ୟବହାର ସ୍ଥାନ ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।