Home General ଜନଗଣନା କେବେ ହେବ?

ଜନଗଣନା କେବେ ହେବ?

ଭୁବନେଶ୍ୱର : କୋଭିଡ୍‍ ମହାମାରୀ ଯୋଗୁ ୨୦୨୧ ମସିହାରେ ହେବାକୁ ଥିବା ଜନଗଣନା କାର୍ଯ୍ୟ ବନ୍ଦ ରହିଥିବାବେଳେ ଏହା ପୁଣି କେବେ ଆରମ୍ଭ ହୋଇ କେବେ ସରିବ ସେଥିଘେନି ଅନିଶ୍ଚିତତା ଦେଖାଦେଇଛି ।

୧୮୮୧ ମସିହାରୁ ଭାରତରେ ଜନଗଣନା ପ୍ରତି ୧୦ବର୍ଷରେ ଥରେ ହୋଇଥାଏ । ଏହି କ୍ରମରେ ୨୦୧୧ ମସିହାରେ ଶେଷ ଜନଗଣନା ହୋଇଥିଲା । ୨୦୨୧ର ଜନଗଣନା ପାଇଁ ପ୍ରସ୍ତୁତିପର୍ବ ଚାଲିଥିବାବେଳେ କୋଭିଡ୍‍ ମହାମାରୀ ଯୋଗୁ ଏଥିରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ୨୦୧୯ ମାର୍ଚ୍ଚ ଓ ଜୁଲାଇ ମାସରେ ଜନଗଣନା ସଂକ୍ରାନ୍ତରେ ଭାରତ ସରକାର ଗେଜେଟ୍‍ ବିଜ୍ଞପ୍ତି ମଧ୍ୟ ଜାରି କରିଥିଲେ । ତେବେ କୋଭିଡ୍‍ ପାଇଁ ଘରକୁ ଘର ବୁଲି ଜନଗଣନା ତଥ୍ୟ ସଂଗ୍ରହ କରିବା ଅସମ୍ଭବପର ଥିବାରୁ ତାହାକୁ କେନ୍ଦ୍ର ସରକାର ସ୍ଥଗିତ ରଖିଥିଲେ । ଫଳରେ ଏଯାବତ୍‍ ନ୍ୟାସନାଲ୍‍ ପପୁଲେସନ୍‍ ରେଜିଷ୍ଟରରେ ଥିବା ପୁରୁଣା ତଥ୍ୟ ସଂଶୋଧିତ ହୋଇପାରୁନାହିଁ ।

କୋଭିଡ୍‍ ପାଇଁ ଜନଗଣନାକୁ ସ୍ଥଗିତ ରଖାଯିବା ଘଟଣାକୁ ସେତେବେଳେ ସ୍ୱାଗତ କରାଯାଇଥିଲା । ତେବେ ଦେଶରେ ଆଉ କୋଭିଡ୍‍ ମହାମାରୀର ଆତଙ୍କ ନଥିବାବେଳେ କେନ୍ଦ୍ର ସରକାର କାହିଁକି ଯେ ପୁଣି ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ କରୁନାହାନ୍ତି ସେଥିଘେନି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆଶଙ୍କା କରାଯାଉଛି ଯେ ୨୦୨୪ର ଲୋକସଭା ନିର୍ବାଚନ ପରେ ଜନଗଣନା କାର୍ଯ୍ୟ ଆରମ୍ଭ କରାଯାଇପାରେ । ଜନସଂଖ୍ୟା ଆଧାରରେ ଆମ ଦେଶରେ ସରକାରୀ ଚାକିରି ଓ ଅନ୍ୟାନ୍ୟ ପ୍ରତିନିଧିମୂଳକ ସଂସ୍ଥାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଲାଗି ୨୨.୫ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା ରହିଛି । ମୋଟ ସ୍ଥାନ ସଂରକ୍ଷଣକୁ ୫୦ପ୍ରତିଶତ ମଧ୍ୟରେ ସୀମିତ ରଖିବା ଲାଗି ସୁପ୍ରିମ୍‍କୋର୍ଟ ଇନ୍ଦ୍ରା ସାହାଣି ମାମଲାରେ ଦେଇଥିବା ରାୟ ଆଧାରରେ କେନ୍ଦ୍ର ସରକାର ପଛୁଆବର୍ଗଙ୍କ ଲାଗି ସଂରକ୍ଷଣ ୨୭ପ୍ରତିଶତରେ ସୀମିତ ରଖିବାକୁ ବାଧ୍ୟ ହୋଇଛନ୍ତି ।

ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତିବର୍ଗଙ୍କ ପାଇଁ ଜନସଂଖ୍ୟା ଅନୁପାତରେ ୩୮.୭୫ ପ୍ରତିଶତ ଆସନ ସଂରକ୍ଷିତ ରହିଛି । ତେବେ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ ଆଣି ପଛୁଆବର୍ଗଙ୍କ ପାଇଁ ୨୭ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ମଧ୍ୟ ଅମର ଛାଟୋଇ ମାମଲାରେ ଆଇନ ଅଦାଲତଙ୍କ ପ୍ରତିକୂଳ ରାୟ ଯୋଗୁ ଏହି ଆଇନ ଅକାମୀ ହୋଇ ପଡିବାରୁ ରାଜ୍ୟ ସରକାର ପୁଣି ଏସ୍‍ଇବିସି ବର୍ଗଙ୍କ ପାଇଁ ସଂରକ୍ଷଣ ହାର ୧୧.୨୫ ପ୍ରତିଶତ ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ, ୧୯୩୧ ମସିହାରେ ଭାରତରେ ଶେଷ ଜାତି ଭିତ୍ତିକ ଜନଗଣନା କରାଯାଇଥିଲା । ୨୦୨୧ର ଜନଗଣନାକୁ ଜାତିଭିତ୍ତିକ କରି ଓବିସିଙ୍କ ସଂଖ୍ୟା ନିରୁପଣ ସହ ଜନସଂଖ୍ୟା ଅନୁପାତରେ ସେମାନଙ୍କ ଲାଗି ସ୍ଥାନ ସଂରକ୍ଷଣ କରିବାକୁ କେତେକ ମହଲରୁ ଦାବି ହେଉଛି । ବିହାର ସରକାର ତାଙ୍କର ନିଜସ୍ୱ ଜାତିଭିତ୍ତିକ ଜନଗଣନା ପାଇଁ ନିଷ୍ପତ୍ତି ନେଇଥିବାବେଳେ ଏହା ବିରୁଦ୍ଧରେ ଆଇନ ଅଦାଲତରେ ମାମଲା ରୁଜୁ ହୋଇଛି । ଓଡ଼ିଶା ସରକାର ବି ପଛୁଆବର୍ଗଙ୍କ ଗଣନା ଏହି ଜନଗଣନାରେ କରିବା ପାଇଁ ଦାବି କରିଆସୁଛନ୍ତି ।

୨୦୨୧ରର ଜନଗଣନା ପାଇଁ ଭାରତ ସରକାର ୮୭୫୪କୋଟି ୨୩ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ମଧ୍ୟ କୋଭିଡ୍‍ ସମୟରୁ ଜନଗଣନା କାର୍ଯ୍ୟ ସ୍ଥଗିତ ରହିଛି । ସାଧାରଣତଃ ଜନଗଣନା କାର୍ଯ୍ୟରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟୋଜିତ କରାଯାଇଥାଏ । ଗତ ଗ୍ରୀଷ୍ମବକାଶରେ ବିଦ୍ୟାଳୟ ଛୁଟି ରହୁଥିବାରୁ ଜନଗଣନା କାର୍ଯ୍ୟ ହୋଇପାରେ ବୋଲି ଆଶା କରାଯାଉଥିଲା । କିନ୍ତୁ ଏଯାବତ୍‍ ଏ ସଂକ୍ରାନ୍ତରେ କୌଣସି ନୂଆ ବିଜ୍ଞପ୍ତି ପ୍ରକାଶ ପାଇନଥିବାରୁ ଜନଗଣନା କାର୍ଯ୍ୟ ଆଗେଇ ପାରୁନାହିଁ । (ତଥ୍ୟ)