ଭୁବନେଶ୍ୱର :ଜଙ୍ଗଲ ସଂପଦ ହେଉଛି ଏକ ପ୍ରମୁଖ ପ୍ରାକୃତିକ ସଂପଦ । ପୃଥିବୀରେ ମଣିଷ ତଥା ସମସ୍ତ ଜୀବଜଗତର ସ୍ଥିତି ପାଇଁ ଜଙ୍ଗଲର ଆବଶ୍ୟକତା ରହିଛି । ଓଡ଼ିଶାରେ ଉପଲବ୍ଧ ଥିବା ବିପୁଳ ଜଙ୍ଗଲ ସଂପଦ ଆମ ରାଜ୍ୟ ପାଇଁ ପ୍ରକୃତିର ବରଦାନ । ଜଙ୍ଗଲ ଓ ବନ୍ୟଜନ୍ତୁଙ୍କର ସୁରକ୍ଷା ପାଇଁ ନିଷ୍ଠା ଓ ସଚ୍ଚୋଟତା ସହ କାମ କରିବାକୁ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ପରାମର୍ଶ ଦେଇଛନ୍ତିି ।
ଆଜି ଅରଣ୍ୟ ଭବନଠାରେ ରାଜ୍ୟସ୍ତରୀୟ ବନଖଣ୍ଡ ଅଧିକାରୀ ସମ୍ମିଳନୀକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଲେ ଯେ, ବନଖଣ୍ଡ ଅଧିକାରୀମାନେ ବହୁତ ଭଲ କାମ କରୁଛନ୍ତି । ସେମାନଙ୍କ ନିଷ୍ଠା ଓ ପ୍ରୟାସ ଯୋଗୁଁ ଆମ ରାଜ୍ୟରେ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ମଧ୍ୟ ବଢ଼ିଛି । ବନାଗ୍ନିକୁ ଭଲ ଭାବେ ପ୍ରତିହତ
କରିିପାରିଛନ୍ତି । ତଥାପି ଅନେକ କାର୍ଯ୍ୟ କରିବା ବାକୀ ରହିଛି । ଏଥି ପାଇଁ ସମସ୍ତେ ପ୍ରତିଶ୍ରୁତିବଦ୍ଧ ହେବା ଦରକାର ।
ଆଜିର ଏ ପରିବର୍ତ୍ତନଶୀଳ ସମୟରେ ବହୁତ ଆହ୍ୱାନ ରହିଛି । ବିଭିନ୍ନ ସମୟରେ ବୃକ୍ଷରୋପଣ କାର୍ଯ୍ୟର୍କ୍ରମରେ ଦୁର୍ନୀତିର ଅଭିଯୋଗ ଆସୁଛି, ଯାହା ଜଙ୍ଗଲ ବିଭାଗର ଛବିକୁ ମଳିନ କରୁଛି । ଆମ ସରକାରଙ୍କର ଦୁର୍ନୀତି ପାଇଁ ଶୂନ୍ୟ ସହନଶୀଳ ନୀତି ରହିଛି । ଦୁର୍ନୀତି ଓ ବିଶୃଙ୍ଖଳାକୁ କଦାପି ବରଦାସ୍ତ କରାଯିବ ନାହିଁ । ତେଣୁ ବନଖଣ୍ଡ ଅଧିକାରୀମାନେ ସଜାଗ ହେବାର ଆବଶ୍ୟକତା ରହିଛି । ସମସ୍ତ ଉପରିସ୍ଥ ବନ ଅଧିକାରୀଙ୍କର ବ୍ୟାପକ କ୍ଷେତ୍ର ପରିଦର୍ଶନ କରିବା ଦରକାର ।
ପ୍ରଗତି ସହ ତାଳଦେଇ ଜଙ୍ଗଲ, ବନ୍ୟଜନ୍ତୁ ଆବାସସ୍ଥଳୀର ସୁରକ୍ଷା ଓ ସନ୍ତୁଳନକୁ ବଜାୟ ରଖି ଉନ୍ନତିମୂଳକ କାର୍ଯ୍ୟ ପାଇଁ ଜଙ୍ଗଲ ଜମି ଅନୁମୋଦନ କରିବାକୁ ପଡ଼ିବ । ହାତୀ-ମଣିଷ ସଂଘର୍ଷ ସମସ୍ୟାକୁ ସାମ୍ନା କରି ସମାଧାନ ଖୋଜିବା ଅତ୍ୟାବଶ୍ୟକ । ହାତୀମାନଙ୍କ ସୁରକ୍ଷା ସହ ମାନବ ସମାଜର ସୁରକ୍ଷା ଜରୁରୀ ।
ଅନୁକମ୍ପା ସହାୟତା, ଚାଷ କ୍ଷତିପୂରଣ ରାଶି ମଧ୍ୟ ଶୀଘ୍ର ଦେବା ଆବଶ୍ୟକ । ହାତୀମାନଙ୍କ ମୃତୁ୍ୟ, ବାଘ ମାରି ତା’ର ମାଂସ ଖାଇବା ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରୁଛି । ଏଥିପାଇଁ ନିମ୍ନ ବର୍ଗର କର୍ମଚାରୀଙ୍କ ସମେତ ଉପରିସ୍ଥ ବନ ଅଧିକାରୀଙ୍କୁ ମଧ୍ୟ ଉତ୍ତରଦାୟୀ କରାଯିବ । ବାର୍ହା ଏବଂ ମାଙ୍କଡ଼ମାନଙ୍କ ଦ୍ୱାରା ଫସଲ କ୍ଷତିର ସମସ୍ୟା ସମାଧାନର ଆବଶ୍ୟକତା ରହିଛି ।
ଜଙ୍ଗଲ ଚତୁଃପାଶ୍ୱର୍ସ୍ଥ ଜନବସତି, ବିଶେଷ କରି ଜନଜାତିଙ୍କ ପାଇଁ ବିକଳ୍ପ ଜୀବନଜୀବିକା ଯଥା ଛତୁଚାଷ, ମତ୍ସ୍ୟଚାଷ, କୁକୁଡ଼ାପାଳନ, ମହୁମାଛି ଚାଷ, ଫଳଚାରା ରୋପଣ, ଇକୋ-ଟୁରିଜିମ୍ କ୍ଷେତ୍ର ସହ ଜଡିତ ରହିବା ଇତ୍ୟାଦି ଦ୍ୱାରା ସେମାନଙ୍କ ଜୀବନ ଜୀବିକା ସୁରକ୍ଷିତ ହୋଇପାରିବ । ସେମାନଙ୍କ ସହ ସହଭାଗିତା ଭିତ୍ତିରେ ଜଙ୍ଗଲ ସୁରକ୍ଷା ହୋଇପାରିବ । ବନ ଅଧିକାରୀମାନେ ଏ ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ଅଛି ।
ଜଙ୍ଗଲ ଜମି ଅଧିକାର ନିୟମ ଅନୁପାଳନ ଦ୍ୱାରା ଆଦିବାସୀମାନଙ୍କୁ ତ୍ୱରିତ ଜମିପଟ୍ଟା ପ୍ରଦାନ କରାଯିବାର ଆବଶ୍ୟକତା ରହିଛି । ଏହି ସରକାର ଲୋକଙ୍କ ସରକାର । ଯଦି କୌଣସି ଲୋକପ୍ରତିନିଧି କିମ୍ବା ଜନସାଧାରଣ ଆସନ୍ତି ତା’ହେଲେ ତାଙ୍କ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ କରି ଅଭିଯୋଗର ତଦନ୍ତ ସୁଚାରୁ ରୂପେ ସମ୍ପନ୍ନ କରିବା ଜରୁରୀ ।
ଜନପ୍ରତିନିଧି ଓ ଜନସାଧାରଣଙ୍କ ଅକୁଣ୍ଠ ସହଯୋଗରେ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ସମ୍ଭବପର ହେବ ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଆଶାବ୍ୟକ୍ତ କରିଥିଲେ ।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଆରମ୍ଭ କରିଥିବା ‘ଏକ ପେଡ୍ ମା’କେ ନାମ୍’ ଅଭିଯାନରେ ବନଖଣ୍ଡ ଅଧିକାରୀମାନଙ୍କ ଚେଷ୍ଟା ଯୋଗୁଁ ରାଜ୍ୟରେ ୫ କୋଟି ୨୦ ଲକ୍ଷ ଚାରା ରୋପଣ କରାଯାଇଥିବା ପ୍ରଶଂସନୀୟ । ବନଖଣ୍ଡ ଅଧିକାରୀମାନଙ୍କ ଯୋଗୁଁ ରାଜ୍ୟରେ ଜଙ୍ଗଲ ପରିସୀମା ବଢ଼ିଛି । ବନାଗ୍ନି ପ୍ରତିହତ କରିବାରେ ଦେଶର ସର୍ବୋତ୍କୃଷ୍ଟ ସ୍ଥାନରେ ଓଡ଼ିଶା ରହିଛି । ବଣଭୋଜି ସ୍ଥଳଗୁଡ଼ିକୁ ପ୍ଲାଷ୍ଟିକ୍ମୁକ୍ତ କରାଯାଇପାରିଛି ।
ବଜ୍ରପାତରୁ ସୁରକ୍ଷା ପାଇଁ ୨୦ ଲକ୍ଷ ତାଳଗଛ ଲଗାଯାଇଛି । ତେବେ ହାତୀ ମୃତୁ୍ୟ କମିବା ଦିଗରେ ବନ ଅଧିକାରୀମାନେ ନିଷ୍ଠାପର ପ୍ରୟାସ କରନ୍ତୁ । ଜିଲ୍ଲାପାଳ ଓ ଏସ୍ପିଙ୍କ ସହ ମିଶି ଏହା କିପରି କମିପାରିବ ସେ ଦିଗରେ ସୁନିର୍ଦ୍ଦିଷ୍ଟ ପଦକ୍ଷେପ ଗ୍ରହଣ କରନ୍ତୁ । ବନ ଅଧିକାରୀମାନେ ବ୍ୟାପକ ଭାବରେ କ୍ଷେତ୍ର ପରିଦର୍ଶନ କରିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ ।
ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ ସ୍ୱାଗତ ଭାଷଣ ଦେଇ କହିଲେ ଯେ ବନଖଣ୍ଡ ଅଧିକାରୀମାନଙ୍କ ସଫଳତାର କାହାଣୀ ଆଜିର ସମ୍ମିଳନୀରେ ଅନ୍ୟତମ ଆକର୍ଷଣ ହେବ ।
ଏହି ସମ୍ମିଳନୀରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ତଥା ମୁଖ୍ୟ ପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ସୁଶାନ୍ତ ନନ୍ଦ ଓ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ ଡ. ମିତା ବିଶ୍ୱାଳ ଯୋଗଦେଇ ସୁଚିନ୍ତିତ ପରାମର୍ଶ ଦେଇଥିଲେ ।
ଅନୁଗୋଳ, ଢେଙ୍କାନାଳ, ବୋଣାଇ, କେନ୍ଦୁଝର, ଦେବଗଡ଼, ବୌଦ୍ଧ ଆଦି ଜିଲ୍ଲାର ଜିଲ୍ଲା ବନ ଅଧିକାରୀମାନେ କିଛି ଅଭିନବ ପଦକ୍ଷେପ ଏବଂ ସର୍ବୋତ୍ତମ ଅଭ୍ୟାସ ଉପସ୍ଥାପନ କରିଥିଲେ ।
ବିଭାଗୀୟ ସ୍ୱତନ୍ତ୍ର ସଚିବ, ଅତିରିକ୍ତ ଶାସନ ସଚିବ, ସମସ୍ତ ଆର୍ସିସିଏଫ୍, ସମସ୍ତ ବନଖଣ୍ଡ ଅଧିକାରୀ ଓ ପଦାଧିକାରୀବୃନ୍ଦ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।