ଭୁବନେଶ୍ୱର : ନାଗାଲାଣ୍ଡ ସରକାରଙ୍କର ଏକ ପ୍ରତିନିଧି ଦଳ ଆଜି ପୂର୍ବାହ୍ନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତଙ୍କୁ ସାକ୍ଷାତ କରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନର ବିଭିନ୍ନ କ୍ଷେତ୍ର ଏବଂ ଦୁଇ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ସମ୍ଭାବନା ସଂପର୍କରେ ଆଲୋଚନା କରିଛନ୍ତି ।
ଇମାନୁୟାଲ୍ ଜମିରକରଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧିଦଳ ନାଗାଲାଣ୍ଡ ସରକାରଙ୍କ ଜଙ୍ଗଲ ସୁରକ୍ଷା ଓ ସମୃଦ୍ଧି, ତାହା ସହ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ନେଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ମନ୍ତ୍ରୀ
ଶ୍ରୀ ଅମାତଙ୍କୁ ଅବଗତ କରାଇଥିଲେ । ସେହିପରି ମନ୍ତ୍ରୀ ଶ୍ରୀ ଅମାତ ପ୍ରତିନିଧି ଦଳଙ୍କୁ ଜଙ୍ଗଲ ଓ ହେନ୍ତାଳବଣ ଅଭିବୃଦ୍ଧି, ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ ।
ଦୁଇ ରାଜ୍ୟର ଯୁବପିଢ଼ି, ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ଏକତି୍ରତ କରି ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଗଲେ ଉଭୟ ରାଜ୍ୟ ଉପକୃତ ହୁଅନ୍ତେ ବୋଲି ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ ।
ପ୍ରତିନିଧି ଦଳ ମନ୍ତ୍ରୀ ଶ୍ରୀ ଅମାତଙ୍କୁ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପ୍ରେରିତ ପତ୍ର, ଉପଢୌକନ ଓ ଉତ୍ତରୀୟ ଉପହାର ଦେଇଥିଲାବେଳେ ମନ୍ତ୍ରୀ ଶ୍ରୀ ଅମାତ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପ୍ରତିନିଧିଙ୍କ ମାଧ୍ୟମରେ ଓଡ଼ିଶାର ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ଚାରୁକଳା ପ୍ରେରଣ କରିଛନ୍ତି ।
ବରୁଣେଇଠାରେ ଅବସ୍ଥିତ କେଟି ଗ୍ଲୋବାଲ ସ୍କୁଲ, ଜଳବାୟୁ ପରିବର୍ତ୍ତନ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରତିନିଧି ଦଳ ଅଂଶଗ୍ରହଣ କରି ଏହାର ଉଚ୍ଚ ପ୍ରଶଂସା କରିଛନ୍ତି । କେଟି ଗ୍ଲୋବାଲ ସ୍କୁଲର ନିର୍ଦ୍ଦେଶକ ଓ ମାଷ୍ଟରପିସ୍ ଇଣ୍ଡିଆର ସଂଯୋଜକ ଡ. ମନୋରଞ୍ଜନ ମିଶ୍ର ଆଜିର ସାକ୍ଷାତ ଆଲୋଚନାକୁ ସଫଳ କରାଇଥିଲେ ।