Home Forest ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଏଆଇ ପ୍ରକଳ୍ପ

ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଏଆଇ ପ୍ରକଳ୍ପ

ଭୁବନେଶ୍ୱର : ଜଙ୍ଗଲ ନିଆଁ ନିୟନ୍ତ୍ରଣ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (ଏଆଇ)ର ପ୍ରୟୋଗ କରି ଓଡ଼ିଶାରେ ବିଶେଷ ସଫଳତା ହାସଲ କରାଯାଇଥିôବାରୁ କେନ୍ଦ୍ର କ୍ୟାବିନେଟ୍‍ ସଚିବ ରାଜୀବ ଗୌଭାଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସର୍ବଭାରତୀୟ ସମୀକ୍ଷା ବୈଠକରେ ପ୍ରଶଂସା କରାଯାଇଛି ।

ଏଠାରେ ଉଲ୍ଲେଖନୀୟ ଯେ, ଶିମିଳିପାଳ ଅଭୟାରଣ୍ୟକୁ ଓଡ଼ିଶା ସରକାର ଏ ପ୍ରସଙ୍ଗରେ ଏକ ପାଇଲଟ୍‍ ପ୍ରୋଜେକ୍ଟ ଭାବେ ନେଇଛନ୍ତି । ଏଥିଲାଗି ୨୩କୋଟି ଟଙ୍କାର ଅଟକଳ ଥିବାବେଳେ ସ୍ୱତନ୍ତ୍ର ରିଲିଫ କମିଶନର ୮କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଯଦି କୌଣସି ସ୍ଥାନରେ ଜଙ୍ଗଲରେ ନିଆଁ ଲାଗେ ତେବେ ଏଆଇ ମାଧ୍ୟମରେ ତୁରନ୍ତ ତାହାର ଠାବ କରାଯାଇ ନିକଟବର୍ତ୍ତୀ ଜଙ୍ଗଲ ରେଞ୍ଜ ଅଫିସକୁ ଖବର ଦେବାର ବ୍ୟବସ୍ଥା ହୋଇଛି । ଫଳରେ ସଙ୍ଗେ ସଙ୍ଗେ ଜଙ୍ଗଲ ବିଭାଗ କର୍ତ୍ତୃପକ୍ଷ ଅଗ୍ନିଶମ ସେବାସଂସ୍ଥା ଓ ଅନ୍ୟମାନଙ୍କ ସହଯୋଗରେ ନିଆଁ ବ୍ୟାପିବା ପୂର୍ବରୁ ଏହାକୁ ନିୟନ୍ତ୍ରଣ କରିପାରିବେ ।

ଜଙ୍ଗଲ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମୁଖ୍ୟ ବନସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ ଓ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସୁଶାନ୍ତ କୁମାର ନନ୍ଦ ଶିମିଳିପାଳ ଅଭୟାରଣ୍ୟର ଏହି ପାଇଲଟ୍‍ ପ୍ରୋଜେକ୍ଟର ସଫଳତା ପାଇଁ କାମ କରୁଛନ୍ତି । ଏ କାର୍ଯ୍ୟରେ ଜଙ୍ଗଲ ବିଭାଗର ଅନ୍ୟ ସମ୍ପୃକ୍ତ ଅଧିକାରୀମାନଙ୍କୁ ଯୋଡା ଯାଇଛି ।

ସମ୍ପ୍ରତି ସାରା ଦେଶରେ ଗ୍ରୀଷ୍ମ ଲହର ଚାଲୁଥିବା ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବ, ଜଙ୍ଗଲ ବିଭାଗ ସଚିବ ଏବଂ ଅନ୍ୟାନ୍ୟ ବିଭାଗୀୟ ସଚିବ ଓ ଅଧିକାରୀମାନଙ୍କ ସହ କେନ୍ଦ୍ର କ୍ୟାବିନେଟ ସଚିବ ଶ୍ରୀ ଗୌଭା ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ସମୀକ୍ଷା ବୈଠକ କରିଥିଲେ । ଓଡ଼ିଶାରେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ ପାଇଁ ଶିମିଳିପାଳ ପ୍ରକଳ୍ପର ଢାଞ୍ଚାକୁ ବୈଠକରେ ପ୍ରଶଂସା କରାଯାଇଥିବା ଜଣାପଡିଛି ।

ସେହିପରି ଓଡ଼ିଶା ଓ ଗୁଜୁରାଟର ଡାକ୍ତରଖାନା ଗୁଡିକରେ ଯେଭଳି ଅଗ୍ନି ନିରାପତ୍ତା ବ୍ୟବସ୍ଥାର ବାରମ୍ବାର ଅଡିଟ୍‍ କରାଯାଇ ରୋଗୀମାନଙ୍କ ନିରାପତ୍ତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ତାହାକୁ ବି ଏହି ବୈଠକରେ ପ୍ରଶଂସା କରାଯାଇଛି । ଓଡ଼ିଶା ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ସୁଧାଂଶୁ ଷଡଙ୍ଗୀ ଡାକ୍ତରଖାନା ଗୁଡିକର ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ କରାଇବା ଲାଗି କ୍ଷେତ୍ର ଅଧିକାରୀମାନଙ୍କୁ ବାରମ୍ବାର ତାଗିଦ୍‍ କରିବା ସହିତ ନିୟମିତ ବ୍ୟବଧାନରେ ସମୀକ୍ଷା କରୁଛନ୍ତି ।

ଜଙ୍ଗଲ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ପର୍ଯ୍ୟାୟକ୍ରମେ ରାଜ୍ୟର ଅନ୍ୟ ଜଙ୍ଗଲ ଗୁଡିକରେ ଏଆଇର ଉପଯୋଗ କରାଯିବା ସହିତ ଭିତ୍ତିଭୂମିର ବିକାଶ ଏବଂ ଜନସହଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି । ଏବେ ଜଳବାୟୁ ପରିବର୍ତ୍ତନ ଏକ ବଡ ସମସ୍ୟା ଭାବେ ଦେଖାଦେଇଥିବାବେଳେ ଜଙ୍ଗଲର ସୁରକ୍ଷା ଓ ସମୃଦ୍ଧି ଉପରେ ଭାରତ ସରକାର ବିଶେଷ ଗୁରୁତ୍ୱାରୋପ କରୁଛନ୍ତି ।

ଏହାସତ୍ତ୍ୱେ ବି କେତେକ ରାଜ୍ୟରେ ଖରାଦିନେ ବନାଗ୍ନି ବ୍ୟାପି ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ହେଉଥିବାରୁ ପରିବେଶପ୍ରେମୀମାନେ ଉଦ୍‍ବେଗ ପ୍ରକାଶ କରିବା ସ୍ୱାଭାବିକ । ଏ ପରିପ୍ରେକ୍ଷୀରେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଓଡ଼ିଶାର ଶିମିଳିପାଳ ସଂରକ୍ଷିତ ଜଙ୍ଗଲ ପ୍ରକଳ୍ପରେ ଏଆଇ ପ୍ରୟୋଗ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । (ତଥ୍ୟ)