ଭୁବନେଶ୍ୱର : ନୂତନ ଜଙ୍ଗଲ ସୃଷ୍ଟି ପାଇଁ ରାଜ୍ୟ ସରକାର ବୃକ୍ଷରୋପଣ ବାବଦରେ ବର୍ଷକୁ ୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏହାର ଦେଖାଶୁଣା କରିବାପାଇଁ ଥିବା ପଦବୀଗୁଡିକ କିନ୍ତୁ ବର୍ଷ ବର୍ଷ ଧରି ଖାଲି ପଡୁଛି । ଜଙ୍ଗଲ ବିଭାଗର ତଳୁ ଉପର ପର୍ଯ୍ୟନ୍ତ ମାଳ ମାଳ ପଦବୀ ଖାଲି ପଡିଥିବାରୁ ରାଜ୍ୟରେ ଜଙ୍ଗଲ ମାଫିଆଙ୍କ ପାଇଁ ଏହା ସୁଯୋଗ ସୃଷ୍ଟି କରିଛି ।
ରାଜ୍ୟରେ ୨୦୧୬-୧୭ରୁ ୨୦୨୦-୨୧ ବର୍ଷ ମଧ୍ୟରେ ବନୀକରଣ ପାଇଁ ପ୍ରାୟ ୧୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଅର୍ଥରେ ସାଢେ ଚାରି ଲକ୍ଷ ହେକ୍ଟରରୁ ଅଧିକ ଜମିରେ ବୃକ୍ଷରୋପଣ ହୋଇଛି । ଏହିସବୁ ଗଛରୁ ହାରାହାରି ଭାବେ ୮୪ ପ୍ରତିଶତ ବଞ୍ଚିଥିବା ସରକାରୀ ଭାବେ ଦର୍ଶାଯାଉଛି । ତେବେ ଏହିସବୁ ଗଛକୁ ବଞ୍ଚିବାପାଇଁ ରକ୍ଷଣା ବେକ୍ଷଣ ସହିତ ଏହାର ସୁରକ୍ଷା ମଧ୍ୟ ଜରୁରୀ ।
ହେଲେ ଜଙ୍ଗଲ ବିଭାଗରେ ଯେଭଳି ଶହ ଶହ ସଂଖ୍ୟାରେ ପଦବୀ ଖାଲିପଡିଛି ସେଥିରେ ଏବେ ଜଙ୍ଗଲକୁ ସୁରକ୍ଷାଦେବା କାଠିକରପାଠ ହେଲାଣି । ଜଙ୍ଗଲ ଦେଖାରଖା ସାଧାରଣତଃ ଜଙ୍ଗଲରକ୍ଷୀଙ୍କ ହାତରେ ଥାଏ । ହେଲେ ଏହି ପାହ୍ୟାରେ ୪ହଜାରରୁ ଅଧିକ ପଦବୀ ଖାଲି ପଡିଛି । କର୍ମଚାରୀ ନିଯୁକ୍ତି ହେଉନଥିବାରୁ ଜଣେ ଜଣେ ବନରକ୍ଷୀ ଏକର ଏକର ଜଙ୍ଗଲ ଦାୟିତ୍ୱରେ ରହୁଛନ୍ତି । ଏମାନେ ଜଙ୍ଗଲ ସୁରକ୍ଷା କିଭଳି କରିବେ ତାହା ଜାଣିପାରୁ ନାହାନ୍ତି ।
ଜଙ୍ଗଲ ବିଭାଗରେ କେବଳ ତୃତୀୟଶ୍ରେଣୀ ପାହ୍ୟାରେ ୪ହଜାରରୁ ଅଧିକ ପଦବୀ ଖାଲି ପଡିନାହିଁ । ପ୍ରଥମଶ୍ରେଣୀ ପାହ୍ୟାରେ ଦେଢଶହରୁ ଅଧିକ, ଦ୍ୱିତୀୟଶ୍ରେଣୀ ପାହ୍ୟାରେ ୪ଶହରୁ ଅଧିକ ଏବଂ ଚତୁର୍ଥଶ୍ରେଣୀ ପାହ୍ୟାରେ ବି ସାଢେ ୪ଶହ ପର୍ଯ୍ୟନ୍ତ ପଦବୀ ଖାଲି ପଡିଛି । ମୋଟ୍ ଖାଲି ପଦବୀ ସଂଖ୍ୟା ୫ହଜାରରୁ ଅଧିକ ଥିବାବେଳେ ଏହା ପୂରଣ ନହେଲେ ଜଙ୍ଗଲ ସମ୍ପଦକୁ ସୁରକ୍ଷାଦେବା କାଠିକରପାଠ ହୋଇଯିବ ବୋଲି ପରିବେଶବିତ୍ମାନେ ମତ ଦେଉଛନ୍ତି ।
କ୍ଷେତ୍ର ସ୍ତରରେ ଶହ ଶହ ପଦବୀ ଖାଲି ପଡିବାରୁ ଜଙ୍ଗଲ ମାଫିଆଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି । ସୁବିଧା ଦେଖି ଜଙ୍ଗଲରୁ ମୂଲ୍ୟବାନ ଗଛ କାଟି ନେଉଥିବାବେଳେ ବେଳେ ବେଳେ ନିଆଁ ବି ଲଗାଇ ଦେଉଛନ୍ତି । ଜଙ୍ଗଲ ନିଆଁ ଆୟତରେ ବନରକ୍ଷୀମାନଙ୍କର ପ୍ରମୁଖ ଭୂମିକା ଥିବାବେଳେ ସେମାନଙ୍କ ସଂଖ୍ୟା କମ୍ ଯୋଗୁଁ ରାଜ୍ୟରେ ବନାଗ୍ନି ସଂଖ୍ୟା ବଢିବାରେ ଲାଗିଛି ।
ଜଙ୍ଗଲ ବିଭାଗରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲୁଥିବା ବେଆଇନ୍ କରତକଳ ଓ ଅନୁମତିପ୍ରାପ୍ତ କରତକଳରେ ବେଆଇନ୍ କାଠ କଟାକୁ ରୋକାଯାଇ ପାରୁନାହିଁ । ଉପକୂଳ ଓଡିଶାରେ ଏଭଳି ବେଆଇନ୍ କାଠ କଟା ଜୋରସୋରରେ ଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣ ଜରୁରୀ ହୋଇପଡିଛି । ତେଣୁ ରାଜ୍ୟରେ ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ସରକାରୀ ମଞ୍ଜୁରୀପ୍ରାପ୍ତ ପଦବୀ ପୂରଣ ଲାଗି ମତପ୍ରକାଶ ପାଉଛି । ନହେଲେ ସରକାର କୋଟି କୋଟି ଟଙ୍କା ବ୍ୟୟରେ ଯେତେ ବୃକ୍ଷରୋପଣ କଲେ ବି ମାଫିଆଙ୍କ ନଜରରୁ ତାହାକୁ ରକ୍ଷାକରିବା କଷ୍ଟକର ହୋଇପଡିବ । (ତଥ୍ୟ)