ଭୁବନେଶ୍ୱର : ଜଙ୍ଗଲଜାତ ସାମଗ୍ରୀ ଓ ବନ୍ୟଜନ୍ତୁ ଚୋରା ଚାଲାଣରେ ଯେତେ ସଂଖ୍ୟକ ଲୋକଙ୍କ ନାମରେ ମାମଲା ରୁଜୁ ହେଉଛି ସେମାନଙ୍କ ମଧ୍ୟରୁ ଏକ ପ୍ରତିଶତ ବି ଦଣ୍ଡିତ ହେଉନାହାନ୍ତି । ଗତ ୫ବର୍ଷ ମଧ୍ୟରେ ଏଭଳି ମାମଲାରେ ୬ହଜାରରୁ ଅଧିକ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବାବେଳେ ମାତ୍ର ୧୮ଜଣ ଦଣ୍ଡିତ ହୋଇଛନ୍ତି ।
ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ପ୍ରଶ୍ନର ଉତ୍ତରରେ ଏଭଳି ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ୨୦୧୯ ରୁ ଚଳିତବର୍ଷ ଜୁନ୍ ଶେଷ ପର୍ଯ୍ୟନ୍ତ ଏଭଳି ଚୋରା କାରବାର ୬୭୭୯ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବାବେଳେ ମାତ୍ର ୧୮ଜଣ ଦଣ୍ଡିତ ହୋଇଛନ୍ତି । ୪୫ଜଣ ବ୍ୟକ୍ତି ନିର୍ଦ୍ଦୋଷରେ ଖଲାସ ବି ହୋଇଛନ୍ତି ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୨୦୨୨ ମସିହାରେ ୧୩୬୭ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବାବେଳେ ଜଣେ ହେଲେ କେହି ଦଣ୍ଡିତ ହୋଇନଥିଲେ । ବରଂ ସେହିବର୍ଷ ୧୧ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ଚଳିତବର୍ଷର ଜୁନ୍ ଶେଷ ସୁଦ୍ଧା ୪୩୧ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବାବେଳେ ଜଣେ ହେଲେ ବି ଦଣ୍ଡିତ ହୋଇନାହାନ୍ତି । ତେବେ ୨୦୨୩ ରେ ସର୍ବାଧିକ ୭ଜଣ ଲୋକ ଦଣ୍ଡିତ ହୋଇଛନ୍ତି । ଏହିବର୍ଷ ୧୦୨୨ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା ।
ତେବେ ରାଜ୍ୟର ୫୧ଟି ବନଖଣ୍ଡ ଅଞ୍ଚଳରୁ ଏହିସବୁ ବର୍ଷ ଗୁଡିକରେ ୩ହଜାର କ୍ୟୁବିକ ମିଟରରୁ ଅଧିକ କାଠ, ୨ହଜାର କୁଇଣ୍ଟାଲରୁ ଅଧିକ କେନ୍ଦୁପତ୍ର, ୩୪ କୁଇଣ୍ଟାଲରୁ ଅଧିକ ଚନ୍ଦନକାଠ, ଜଙ୍ଗଲ ଅଞ୍ଚଳରେ ଥିବା ମୂଲ୍ୟବାନ୍ ପଥର, ଲଘୁ ଖଣିଜ ଦ୍ରବ୍ୟ, ବିଭିନ୍ନ ବନ୍ୟଜନ୍ତୁଙ୍କର ୬ଶହରୁ ଉର୍ଦ୍ଧ୍ୱ ଦେହାବଶେଷ ଏବଂ ୨୪୦୦ରୁ ଅଧିକ ଯାନବାହାନ ଜବତ କରାଯାଇଛି ।
ଏତେ ବିପୁଳ ପରିମାଣର ସାମଗ୍ରୀ ଜବତ ଓ ମାମଲାରୁଜୁ ସତ୍ୱେ ଦୋଷୀମାନେ କିନ୍ତୁ ଦଣ୍ଡ ପାଇପାରୁ ନଥିବା ମନ୍ତ୍ରୀଙ୍କ ଉତ୍ତରରୁ ପରିଲକ୍ଷିତ ହୋଇଛି । ଯେତିକି ଲୋକ ଦୋଷୀ ସାବ୍ୟସ୍ତ ହୋଇଦଣ୍ଡ ପାଉଛନ୍ତି ତାହାର ଦୁଇଗୁଣରୁ ଅଧିକ ଲୋକ ନିର୍ଦ୍ଦୋଷରେ ଖଲାସ ହୋଇ ଯାଉଛନ୍ତି । ତେବେ ଜଙ୍ଗଲରୁ ଚୋରି ସାମଗ୍ରୀ ମଧ୍ୟରେ ସର୍ବାଧିକ କାଠ ଓ କେନ୍ଦୁପତ୍ର ଥିବା ଜଣାଯାଇଛି । (ତଥ୍ୟ)