ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ତଥା ବରିଷ୍ଠ ଆଇଏଏସ୍ ଅଫିସର ଡକ୍ଟର କ୍ରିଷନ କୁମାର ଜଗନ୍ନାଥଙ୍କ ପ୍ରେମରେ ପୁରୀକୁ ଟାଣିହୋଇ ଆସିଛନ୍ତି । ବଡଦାଣ୍ଡରେ ତିନି ରଥ ସମ୍ମୁଖରେ ହାତ ଟେକିବା ସହିତ ରଥ ଟାଣିଥିବା ଦେଖିବାକୁ ମିଳିଛି ।
ଚଳିତବର୍ଷ ଗୁଣ୍ଡିଚା ଯାତ୍ରାରେ ଯେତେବେଳେ ଜଗନ୍ନାଥଙ୍କ ରଥ ଗୋଟିଏ ଦିନରେ ମାଉସୀ ମା’ ମନ୍ଦିରରେ ପହଞ୍ଚିଲା ନାହିଁ ଓ ଦକ୍ଷିଣ ମୋଡ ଦିନ ନନ୍ଦିଘୋଷ ରଥ ବି ନାକଚଣା ଦ୍ୱାର ନିକଟରେ ପହଞ୍ଚି ପାରିଲା ନାହିଁ, ସେତେବେଳେ ଉଭୟ ସେବକ ଓ ଭକ୍ତମାନେ ସଫସଳତାର ସହ ପୁରୀ ରଥଯାତ୍ରା କରିଥିବା ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କୁ ମନେ ପକାଇଥିଲେ ।
ଦୀର୍ଘ ଦୁଇବର୍ଷ ଧରି କୋଭିଡ ସମୟରେ ସଫଳତାର ସହ ରଥଯାତ୍ରା ପରିଚାଳନା କରିଥିବା ଡକ୍ଟର କୁମାର କିଭଳି ବର୍ଷାରେ ଭିଜି ଭିଜି ରଥ ସହିତ ଚାଲୁଥିଲେ ଓ ତିନି ରଥ ସୁରୁଖୁରେ ପହଞ୍ଚିବା ପରେ ଶ୍ରୀଜଗନ୍ନାଥଙ୍କ ଆଗରେ ହାତ ଟେକି ଜଣାଣ ଗାଉଥିଲେ ତାହାକୁ ଏବେ ବି ସେବକ, ଭକ୍ତ ଓ ପୁରୀବାସୀ ଭୁଲିପାରି ନାହାନ୍ତି ।
ଜଗନ୍ନାଥଙ୍କ ପ୍ରତି ସମର୍ପିତ ଏହି ବରିଷ୍ଠ ଅଫିସରଙ୍କ ଚଳିତବର୍ଷ ରଥଯାତ୍ରାରେ ପୁଣିଥରେ ପୁରୀକୁ ଟାଣିହୋଇ ଆସିବା ସହିତ ତିନି ରଥଙ୍କ ଆଗରେ ମୁଣ୍ଡିଆ ମାରିଛନ୍ତି । ତେବେ ହଠାତ୍ ପୂର୍ବତନ ପ୍ରଶାସକଙ୍କୁ ରଥ ସମ୍ମୁଖରେ ଦେଖି ସେବକମାନେ ଆଶ୍ଚର୍ଯ୍ୟ ହେବା ସହିତ ତାଙ୍କୁ ଘେରି ଯାଇ ପାଛୋଟି ନେଇଥିଲେ । ଜଗନ୍ନାଥଙ୍କ ପ୍ରତି ଥିବା ତାଙ୍କର ସମର୍ପଣ ଭାବ ଡକ୍ଟର କୁମାରଙ୍କୁ ପୁଣିଥରେ ରଥଯାତ୍ରା ସମୟରେ ପୁରୀକୁ ଟାଣି ଆସିଛି ବୋଲି ବହୁ ବରିଷ୍ଠ ସେବାୟତ କହିବାକୁ ପଛାଇ ନଥିଲେ ।
ଉଲ୍ଲେଖନୀୟ ଯେ ଡକ୍ଟର କୁମାର ଶ୍ରୀମନ୍ଦିର ପ୍ରଶାସକ ପଦବୀରେ ଥିବାବେଳେ କେନ୍ଦ୍ରକୁ ଡେପୁଟେସନରେ ଯାଇ ଏବେ ଭାରତ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଛନ୍ତି ।