ଭୁବନେଶ୍ୱର : ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଶ୍ରୀମତି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗଡ଼ି ଯାଇଛି । କେଉଁ ପରିସ୍ଥିତିରେ ବିଧାୟକ ପ୍ରଶାନ୍ତ ଜଗ୍ଦ୍ଦେବଙ୍କୁ ଉଦ୍ଦେଶମୂଳକ ଭାବେ ଜେଲ ପଠାଯାଇଛି ।
ଏ ବିଷୟକୁ ନେଇ ଗରିବ, ଅସହାୟ ଓ ଖଟିଖିଆ ଗାଡ଼ି ଚାଳକ ବନମାଳୀ ବାବୁଙ୍କୁ ପୋଲିସ କିପରି ହଇରାଣ କରିଛି ତାହା ସମସ୍ତେ ଜାଣିଛନ୍ତି । ୪ ଜଣ ପୋଲିସ କର୍ମଚାରୀ ତାଙ୍କୁ ଧମକ ଦେଇଥିଲେ । ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗିଥିôବା କହିବାକୁ ସେମାନେ ବନମାଳୀଙ୍କ ଦ୍ୱାରା କୁହାଇବାକୁ ଚାହୁଁଥିଲେ । ମାତ୍ର ବନମାଳୀ ସାହାସ ଜୁଟାଇ ଏ ବଷିୟରେ ଗଣମାଧ୍ୟମ ଆଗରେ ସବୁ କହିଦେଇଥିଲେ ।
ବନମାଳୀଙ୍କ ଭିଡିଓ ସମସ୍ତେ ଦେଖିଥିବାବେଳେ ଅପରାଜିତା ଏକ ସିସିଟିଭିର ଏକ ଫୁଟେଜ ସାର୍ବଜନୀନ କରିଛନ୍ତି । ଉକ୍ତ ଫୁଟେଜରେ ଇଭିଏମ୍ ଭାଙ୍ଗିବା ଘଟଣାରେ ଶ୍ରୀ ଜଗଦ୍ଦେବଙ୍କ କୌଣସି ଭୂମିକା ନ ଥିବା ପ୍ରମାଣିତ ହୋଇଛି । ଏହି ଇଭିଏମ୍ ଅନ୍ୟ ଜଣେ ବ୍ୟକ୍ତି ଭାଙ୍ଗିଥିବା ଜଣାପଡ଼ିଛି । ଆଉ ଏକ ଅଡ଼ିଓ ତାଙ୍କର ହସ୍ତଗତ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ଯେଉଁଥିôରେ ଇଭିଏମ୍ ଭାଙ୍ଗିବାରେ ଶ୍ରୀ ଜଗଦ୍ଦେବଙ୍କ କୌଣସି ଭୂମିକା ନାହିଁ ବୋଲି ଜଣେ ବିଜେଡି କର୍ମୀ କହୁଛନ୍ତି ।
ଏହାଛଡ଼ା ଖୋର୍ଦ୍ଧା ଜିଲ୍ଲାର ଜଣେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ତାଙ୍କ ନାମ ଗୋପନ ରଖି କହିଛନ୍ତି, ଏସବୁ ୩ୟ ମହଲାର ନିର୍ଦ୍ଦେଶରେ ହୋଇଛି । ଶ୍ରୀ ଜଗଦ୍ଦେବଙ୍କୁ ଫସାଇବାକୁ କେଉଁ ପ୍ରକାର ଅପଚେଷ୍ଟା କରାଯାଉଛି ସେଥିରୁ ଜଣାପଡୁଛି । ତାଙ୍କ ଲୋକପ୍ରିୟତାକୁ ଡ଼ରି ଏପରି ଷଡ଼ଯନ୍ତ୍ର କରାଯାଉଛି ବୋଲି ଅପରାଜିତା କହିଛନ୍ତି ।
ସିସିଟିଭି ଫୁଟେଜ ରାଜ୍ୟ ସରକାର ସାର୍ବଜନୀନ ନକରି ଜଣେ ବିଧାୟକଙ୍କୁ କିପରି ଗିରଫ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଛେଣ୍ଡିପଡ଼ା ବିଧାୟକ ସ୍ପଷ୍ଟ ଦିବାଲୋକରେ ଲୋକଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଏପରି ପାତରଅନ୍ତର କାହିଁକି କରୁଛନ୍ତି ବୋଲି ଶ୍ରୀମତି ଷଡଙ୍ଗୀ ପ୍ରଶ୍ନ କରିଛନ୍ତି ।