ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ସମଗ୍ର ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ସବୁଠାରୁ ଅଧିକ ବର୍ଷା ହୋଇଛି ଜଗତ୍ସିଂହପୁର ଜିଲ୍ଲାରେ । ଏହି ଜିଲ୍ଲାରେ ସର୍ବାଧିକ ହାରାହାରି ୧୩୨.୮ ମିଲିମିଟର ବର୍ଷା ହୋଇଥିବାବେଳେ ଏରସମା ବ୍ଲକରେ ବର୍ଷା ପରିମାଣ ୨୧୫ ମିଲିମିଟର ରେକର୍ଡ ହୋଇଥିବା ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦପ୍ତର ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ସୂଚନା ଅନୁଯାୟୀ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୫୪.୫ ମିଲିମିଟର ବର୍ଷା ହୋଇଥିବାବେଳେ ସର୍ବାଧିକ ବର୍ଷା ଜଗତ୍ସିଂହପୁର ଜିଲ୍ଲାରେ ହୋଇଛି । ଏହା ପଛକୁ ସୁନ୍ଦରଗଡ ଜିଲ୍ଲାରେ ହାରାହାରି େ୧୦୦.୩ ମିଲିମିଟର ବର୍ଷା ହୋଇଥିବାବେଳେ ପୁରୀରେ ୯୨ ମି.ମି, ସୁବର୍ଣ୍ଣପୁରରେ ୭୫, କଟକରେ ୭୪, ସମ୍ବଲପୁରରେ ୬୯.୧, ବରଗଡରେ ୬୩.୩, କେନ୍ଦୁଝରରେ ୬୨.୩ ମି.ମି ବର୍ଷା ରେକର୍ଡ କରାଯାଇଛି ।
ଜଗତ୍ସିଂହପୁର ଜିଲ୍ଲାରେ ଏରସମା ବ୍ଲକରେ ସର୍ବାଧିକ ୨୧୬ ମି.ମି ବର୍ଷା ରେକର୍ଡ ହୋଇଥିବାବେଳେ ସୁନ୍ଦରଗଡ ଜିଲ୍ଲାରେ ହେମଗିରି ବ୍ଲକରେ ୨୦୦.୪ ମି.ମି ବର୍ଷା ହୋଇଛି । କଟକ ଜିଲ୍ଲାର ବାଙ୍କି-ଡମପଡା, କଣ୍ଟାପଡା ଓ ନିଆଳିବ୍ଲକରେ ଯଥାକ୍ରମେ ୧୬୨, ୧୨୨ ଓ ୧୧୮ ମି.ମି ବର୍ଷା ରେକର୍ଡ ହୋଇଛି ।
ରାଜ୍ୟର ଦୁଇଟି ବ୍ଲକରେ ୨୦୦ ମି.ମିରୁ ଅଧିକ, ୨୫ଟି ବ୍ଲକରେ ୧୦୦ ମି.ମି ରୁ ଅଧିକ, ୧୨୨ଟି ବ୍ଲକରେ ୫୦ରୁ ୧୦୦ ମି.ମି ମଧ୍ୟରେ ବର୍ଷା ହୋଇଛି ।
ଏସ୍ଆରସିଙ୍କ ଦପ୍ତରରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଲଗାଣ ବର୍ଷା ଓ ବନ୍ୟାରେ ସମ୍ବଲପୁର ଜିଲ୍ଲାର ୭ଟି ବ୍ଲକ, କଟକ ଜିଲ୍ଲାର ୩ଟି, କନ୍ଧମାଳର ୪ଟି, ସୁବର୍ଣ୍ଣପୁରର ୩ଟି, ଜଗତ୍ସିଂହପୁରର ୮ ଓ କୋରାପୁଟର ୨ଟି ବ୍ଲକ ପ୍ରଭାବିତ ହୋଇଛନ୍ତି ।
ସମ୍ଭାବ୍ୟ ବ୍ୟା ମୁକାବିଲା ପାଇଁ ଇତି ମଧ୍ୟରେ ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡା, ଖୋରଧା ଓ କଟକ ଜିଲ୍ଲାକୁ ୭ଟି ଓଡ୍ରାଫ, ୩ଟି ଏନ୍ଡିଆରଏଫ୍ ଓ ୧୨ଟି ଅଗ୍ନିଶମ ବାହିନୀ ପଠାଯାଇଛି । ଏଥି ମଧ୍ୟରେ ଖୋରଧ ଓ କଟକ ଜିଲ୍ଲାକୁ ମାତ୍ର ଗୋଟିଏ କରି ଓଡ୍ରାଫ ଟିମ୍ ଯାଇଛନ୍ତି ।