ଭୁବନେଶ୍ୱର : ଗୁଟ୍ଖା ବ୍ୟବସାୟ ଜାରି ରଖିବାପାଇଁ ବଡ ବଡ ଗୁଟ୍ଖା କାରବାରୀମାନେ ଏବେ ଛୋଟ ଛୋଟ ଦୋକାନୀଙ୍କୁ ମୋହରା କରିଛନ୍ତି । ଛୋଟ ଦୋକାନୀମାନଙ୍କୁ ମତାଇ ସରକାରଙ୍କ ବିରୁଦ୍ଧରେ ବୟାନ ଦେବାକୁ ବାଧ୍ୟ କରୁଛନ୍ତି । ଏଥିପାଇଁ ସୋସିଆଲ ମିଡିଆର ସହାୟତା ନିଆଯାଉଥିବାବେଳେ ପେଟ ପାଟଣାର ଆଳ ଦେଖାଇ ଛୋଟ ଦୋକାନୀମାନେ ବି ସରକାରୀ ବାବୁମାନଙ୍କୁ ବିରୋଧ କରିବାକୁ ପଛାଉ ନାହାନ୍ତି ।
ରାଜ୍ୟରେ ଗୁଟ୍ଖା ପ୍ରସ୍ତୁତି, ମହଜୁଦ ଓ ବିକ୍ରି ଉପରେ ୧୨ବର୍ଷ ତଳେ ଅର୍ଥାତ୍ ୨୦୧୩ ମସିହାରେ ସ୍ୱାସ୍ଥ୍ୟ ବିଭାଗ କଟକଣା ଜାରି କରିଥିଲେ । ହେଲେ ସେହି କଟକଣା ଏକ ପ୍ରକାର ନାଲିଫିତା ତଳେ ରହିଯାଇଥିଲା । ସେହି ସ୍ୱାସ୍ଥ୍ୟ ବିଭାଗ ଏବେ ପୁଣିଥରେ ଅନୁରୂପ କଟକଣା ଥିବା ବିଜ୍ଞପ୍ତି ଜାରି କରିଛନ୍ତି । ଏଥର କିନ୍ତୁ ବିଜ୍ଞପ୍ତି ଜାରି ପରେ ପ୍ରଶାସନ ପୂରା ଦମ୍ରେ ଗୁଟ୍ଖା ବିକ୍ରି ଉପରେ ଚଢାଉ ଜାରି ରଖିଛି ।
ପ୍ରଶାସନର କଡା ମନୋଭାବ ଦେଖିବା ପରେ ପାଇକାରୀ ଗୁଟ୍ଖା ବ୍ୟବସାୟୀମାନେ ନିଜର ବେପାର ବଞ୍ଚାଇବାପାଇଁ ଛୋଟ ଛୋଟ ବେପାରୀଙ୍କ ସହାୟତା ନେଉଛନ୍ତି । ଫଳରେ ଯେଉଁଠାରେ ଗୁଟ୍ଖା ବେପାର ଉପରେ ଚଢଉ ହେଉଛି ସେଠାରେ ଛୋଟ ଛୋଟ ବ୍ୟବସାୟୀମାନେ ସେମାନଙ୍କୁ ଧରି ଫାଇନ୍ ଆଦାୟ ବଦଳରେ ବଡ ବେପାରୀମାନଙ୍କୁ ଧରିବାପାଇଁ କହୁଛନ୍ତି । ସେମାନଙ୍କ ଏହି ଯୁକ୍ତି ସମ୍ବଳିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛି ଲୋକ ମଧ୍ୟ ସେମାନଙ୍କ କଥାରେ ଦମ୍ ଅଛି ବୋଲି କହି ବଡ ବ୍ୟବସାୟୀଙ୍କୁ ଧରିବାକୁ ମତ ଦେଉଛନ୍ତି ।
ସାଧାରଣ ଲୋକଙ୍କ ଏଭଳି ମନୋଭାବକୁ ଠଉରାଇ ବଡ ବ୍ୟବସାୟୀମାନେ ଖସିବାକୁ ସୁଯୋଗ ଖୋଜୁଛନ୍ତି । ସେମାନେ ହଠାତ୍ ବଜାରରୁ ନିଜ ନିଜ ଗୁଟ୍ଖାକୁ ଲୁଚାଇ ଦେଇଛନ୍ତି । ଯେଉଁସବୁଠାରେ ବଡ ଗୁଟ୍ଖା ବେପାରୀଙ୍କ ସାମଗ୍ରୀ ଜବତ ହେଉଛି ତାହା ରାଜ୍ୟରେ ମହଜୁଦ ଥିବା ଗୁଟ୍ଖାର କାଣିଚାଏ ବୋଲି କୁହାଯାଉଛି ।
ଉଲ୍ଲେଖନୀୟ ଯେ ରାଜ୍ୟରେ ଯେତିକି ଗୁଟ୍ଖା ଓ ତମାଖୁ ଜାତୀୟ ପାନମସଲା ବିକ୍ରି ହେଉଛି ସେଥିରୁ ରାଜ୍ୟ ସରକାର ବର୍ଷକୁ ପ୍ରାୟ ୧୦୦୦ କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି । ସ୍ୱାସ୍ଥ୍ୟ ବିଭାଗ କଟକଣା ଜାରି କରିଥିଲେ ମଧ୍ୟ ଅର୍ଥ ବିଭାଗ ଟିକସ ଆଦାୟ କରୁଛନ୍ତି । ଦେଶର ୧୭ଟି ରାଜ୍ୟରୁ ଓଡିଶାକୁ ଗୁଟ୍ଖା ଆସୁଥିବାରୁ ଏହି ବିପୁଳ ପରିମାଣର ରାଜସ୍ୱ ଆଦାୟ ହେବାରେ ଲାଗିଛି ।
ବର୍ତ୍ତମାନ ଏହି ବଡ ବଡ ଗୁଟ୍ଖା ବେପାରୀମାନେ କୌଣସି ପ୍ରକାରେ ବ୍ୟବସାୟ ଚଳାଇବାପାଇଁ ଉଦ୍ୟମ କରୁଛନ୍ତି । ପ୍ରଥମେ ଗୁଟ୍ଖା ଲୁଚାଇ ଚଢା ଦରରେ ବଜାରକୁ ଛାଡୁଥିବାବେଳେ ସରକାରଙ୍କ କଡା ଆଭିମୁଖ୍ୟକୁ ଦେଖି ଏବେ ଛୋଟ ଛୋଟ ଦୋକାନୀଙ୍କୁ ମୋହରା କରିଛନ୍ତି । ଇତି ମଧ୍ୟରେ କିଛି ବଡ ବେପାରୀ ଛୋଟ ବ୍ୟବସାୟୀଙ୍କୁ ଧରି ଆଇନ୍ଗତ ଲଢେଇ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଆଗାମୀ ଦିନରେ ସରକାରଙ୍କର ଆଭିମୁଖ୍ୟ କିଭଳି ରହିବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । (ତଥ୍ୟ)

