Home Election ଛୋଟ ମୋବାଇଲ କିଣୁଛନ୍ତି ନେତା

ଛୋଟ ମୋବାଇଲ କିଣୁଛନ୍ତି ନେତା

ଭୁବନେଶ୍ୱର : ନିର୍ବାଚନ ସମୟରେ ମୋବାଇଲ ସିମ୍‍ ବଦଳାଇ ଧମକ ଚମକ ଦିଆଯାଉଥିବାର ଅଭିଯୋଗ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପହଞ୍ଚିବା ପରେ ଏବେ ନେତାଙ୍କ ଠାରୁ ଆରମ୍ଭ କରି ସେମାନଙ୍କ କର୍ମୀମାନଙ୍କ ମଧ୍ୟରେ ଛନକା ପଶିଛି । ବିଶେଷକରି ନିଜ ନିଜ ମୋବାଇଲରେ କଥା ହେବାକୁ ଏବେ ଏମାନେ ଶହେଥର ଚିନ୍ତା କରିବା ସହିତ ଛୋଟ ମୋବାଇଲ୍‍ ଫୋନ୍‍ ସହିତ ନୂଆ ସିମ୍‍ ଖରିଦରେ ଲାଗି ପଡିଛନ୍ତି ।

ନିର୍ବାଚନ ସମୟରେ ନିଜ ନିଜ ମୋବାଇଲ୍‍ ନମ୍ବରରେ କଥା ହେଲେ କାଳେ ଜାଣିଦେବ ତାହାକୁ ନେଇ କିଛି ଦିନ ହେଲା ଗୁଜବ ଚାଲିଥିଲା । ଏହାକୁ ଅନେକ ବିଶ୍ୱାସ କରୁନଥିଲେ । ହେଲେ ଏଭଳି ଅଭିଯୋଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପହଞ୍ଚିଲା ପରେ ଏବେ ରାଜନୈତିକ ନେତାମାନେ ସତର୍କ ହୋଇ ଉଠିଛନ୍ତି ।

ତେଣୁ ନେତା ଓ ସେମାନଙ୍କ ପାଖ ଲୋକମାନେ ଏବେ ବଡ ବଡ ସ୍ମାର୍ଟଫୋନ୍‍ ବଦଳରେ ଦେଢ ରୁ ୨ହଜାର ଟଙ୍କିଆ ଛୋଟ ଛୋଟ ଫୋନ୍‍ ଖରିଦ କରୁଛନ୍ତି । ଏଥି ସହିତ ସେମାନେ ମଧ୍ୟ ନିଜ ନାମରେ ଓ ନିଜ ନିଜ ସମ୍ପର୍କୀୟଙ୍କ ନାମରେ ନୂଆ ଫୋନ୍‍ ସଂଯୋଗ ନେଉଥିବା ଲକ୍ଷ୍ୟ କରାଯାଉଛି । ଏପରିକି ସ୍ମାର୍ଟଫୋନ୍‍ ଧରିଥିବା ନେତାମାନେ ଏବେ ସେମାନଙ୍କ ଆଖପାଖରେ ଥିବା କର୍ମୀଙ୍କର ଏହି ଛୋଟ ଛୋଟ ମୋବାଇଲରେ କଥା ହେଉଥିବା ଦେଖିବାକୁ ମିଳୁଛି ।

ଇତି ମଧ୍ୟରେ ଆଉ କିଛି ନେତା ଓ କର୍ମୀ ସେମାନଙ୍କ ସ୍ମାର୍ଟଫୋନ୍‍ରୁ ସିଧାସଳଖ କଥା ହେବା ପରିବର୍ତ୍ତେ ବିଭିନ୍ନ ପ୍ରକାର ଆପ୍‍ ବ୍ୟବହାର କରୁଛନ୍ତି । କିଏ ହ୍ୱାଟ୍‍ସ ଆପ୍‍ରେ କଥା ହେଉଛି ତ ଆଉ କିଏ ଟେଲିଗ୍ରାମରେ କଥା ହେବାକୁ ପସନ୍ଦ କରୁଛନ୍ତି । ଯେଉଁମାନେ ଫୋନ୍‍ରୁ ସିଧାସଳଖ ଫୋନ୍‍ କରୁଛନ୍ତି ସେମାନଙ୍କୁ ବିଭିନ୍ନ ଆପ୍‍ ଜରିଆରେ ଫୋନ୍‍ କରିବାକୁ ନେତାମାନେ ତାଗିଦ କରୁଛନ୍ତି ।

ରାଜଧାନୀରେ ଏବେ ବି ଟିକଟ ଆଶାରେ ଥିବା ବିଭିନ୍ନ ଦଳର ନେତାମାନେ ଅତି ଜରୁରୀ ନଥିଲେ ଫୋନ୍‍ରେ କଥା ହେଉନାହାନ୍ତି । କାଳେ ଖବର ପ୍ରଘଟ ହେବ ତେଣୁ ପ୍ରଥମେ ମୋବାଇଲ୍‍ରେ ମେସେଜ ଦେଉଛନ୍ତି । ଯେଉଁ ଠିକଣାରେ ଦେଖା କରିବାକୁ ନିର୍ଦ୍ଦେଶ ମିଳୁଛି ସେଠାରେ ସିଧାସଳଖ ଯାଇ ନିଜ ନିଜର ଦଳର ନେତାମାନଙ୍କୁ ଭେଟୁଛନ୍ତି । ଏପରିକି ଦୂର ଦୂରାନ୍ତର ଜିଲ୍ଲାରୁ ଆସିଥିବା ବଡ ବଡ ନେତାମାନେ ସାଙ୍ଗରେ ଗାଡିମୋଟର ସହିତ ଦୁଇ ଚାରି ଜଣ ଦୂତ ଧରି ଆସିଥିବା ଦେଖିବାକୁ ମିଳୁଛି । ଏମାନେ ଯେତେ ସମ୍ଭବ ପାରୁଛନ୍ତି ଫୋନ୍‍ରେ କଥା ହେବାକୁ ଏଡାଇ ଯାଉଛନ୍ତି ।

ହଠାତ୍‍ ରାଜ୍ୟରେ ଛୋଟ ଛୋଟ ଫୋନ୍‍ ସହିତ ନୂଆ ସିମ୍‍ର ଚାହିଦା ବଢିବା ଫଳରେ ଏହାର ବ୍ୟବସାୟୀମାନଙ୍କ କାରବାର ବୃଦ୍ଧି ପାଇଛି । କିଛି ଫୋନ୍‍ ଦୋକାନୀ ତ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟାରେ ଛୋଟ ଛୋଟ ଶସ୍ତା ମୋବାଇଲ୍‍ ସେଟ୍‍ ମଗାଇବା ଆରମ୍ଭ କରିଛନ୍ତି । ତେବେ ନୂଆ ସିମ୍‍ ନେବାପାଇଁ କାଗଜପତ୍ର ଦାଖଲକୁ କଡାକଡି କରାଯାଇ ଥିବାରୁ କେବଳ ନିଜ ସହିଜ ବିଭିନ୍ନ ପରିଚୟପତ୍ର ଓ ଠିକଣା ପ୍ରମାଣପତ୍ର ରଖିଥିବା ବ୍ୟକ୍ତି ହିଁ ଏହା ହାସଲ କରୁଥିବା ଲକ୍ଷ୍ୟ କରାଯାଇଛି । (ତଥ୍ୟ)