Home General ଛାନିଆ ହେଲେଣି ଆଶ୍ରମ ଜବରଦଖଲକାରୀ

ଛାନିଆ ହେଲେଣି ଆଶ୍ରମ ଜବରଦଖଲକାରୀ

ଭୁବନେଶ୍ୱର : ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମକୁ ନେଇ ଏବେ ବିଭିନ୍ନ ମହଲରେ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ ବେଆଇନ୍‍ ଭାବେ ସରକାରୀ ଜମି ଜବରଦଖଲ କରି ଯେଉଁମାନେ ଆଶ୍ରମ ଚଳାଉଛନ୍ତି ଏବଂ ଆଉ ଯେଉଁମାନେ ଭଗବାନଙ୍କ ନାଁ ନେଇ ଅଲୌକିକ ଚିକିତ୍ସା କରୁଛନ୍ତି ସେମାନଙ୍କ ଭିତରେ ଛନକା ପଶିଛି ।

ବୈକୁଣ୍ଠଧାମ ଆଶ୍ରମର ପ୍ରତିଷ୍ଠାତା ଓ ତାଙ୍କ ପୁଅଙ୍କୁ ନେଇ ଏବେ ଥାନା ଠାରୁ ଆରମ୍ଭକରି ଗଣମାଧ୍ୟମ ପର୍ଯ୍ୟନ୍ତ ସମସ୍ତେ ବ୍ୟସ୍ତ । ଏହି ଆଶ୍ରମର ପ୍ରତିଷ୍ଠାତା ରାଜ୍ୟ ଭିତରେ ଓ ବାହାରେ ଆଧ୍ୟାତ୍ମିକ ପ୍ରବଚନ ଦେଇ ଆସୁଥିଲେ । ତେବେ ତାଙ୍କ ନାବାଳକ ପୁଅକୁ ପ୍ରାୟ ୧୦ବର୍ଷ ତଳୁ କିଛି ଲୋକ ଭଗବାନ ଶ୍ରୀଜଗନ୍ନାଥଙ୍କ ଅବତାର ଭାବେ ପୂଜା କରିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଶ୍ରମର ପ୍ରତିଷ୍ଠାତା କିନ୍ତୁ କହିଛନ୍ତି ଯେ ସେ କେବେ ତାଙ୍କ ପୁଅକୁ ଭଗବାନ ବୋଲି ଘୋଷଣା କରିନାହାନ୍ତି । ତାଙ୍କ ଅନୁଗାମୀମାନେ କହୁଛନ୍ତି ଯେ ବାବାଙ୍କୁ ବଦନାମ କରିବାପାଇଁ ଏଭଳି ଷଡଯନ୍ତ୍ର ଚାଲିଛି ।

ଛୋଟ ପିଲାକୁ ନେଇ ଏଭଳି ବିବାଦ ଚାଲିଥିବାବେଳେ ଶିଶୁ ଅଧିକାର ସୁରକ୍ଷା କମିଶନ ଏ ପ୍ରସଙ୍ଗରେ ନୋଟିସ୍‍ ଜାରି କରିଛନ୍ତି । ପୁଲିସ୍‍ ମଧ୍ୟ ବ୍ୟାପକ ତଦନ୍ତ ଚଳାଇଛି । ତେବେ ଏଯାବତ୍‍ ଏହି ଘଟଣାରେ କାହାକୁ ଗିରଫ କରାଯାଇନାହିଁ । ରାଜଧାନୀର ଛାତି ଉପରେ ବୈକୁଣ୍ଠ ଆଶ୍ରମ ପାଇଁ ସରକାରୀ ଜମି ଜବରଦଖଲ କରି ସୌଧ ନିର୍ମାଣ ହୋଇଥିବା ଘେନି କେତେକ ଖୋଲା ଅଭିଯୋଗ କରିବାପରେ ଏହି ଜମି କାହାର ସେଥିଘେନି ଖୋଳତାଡ ଚାଲିଛି । ଏମିତିକି ଏଠାରେ ନିର୍ମାଣକାର୍ଯ୍ୟ ପାଇଁ ବିଏମ୍‍ସି ଓ ବିଡିଏ ଅନୁମତି ଦେଇଛନ୍ତି କି ନାହିଁ ସେ ବିଷୟରେ ବି ଘାଣ୍ଟ ଚକଟ ହେଉଛି ।

ଏହି ଗଟଣା ପରେ ଏବେ ବିଭିନ୍ନ ଅଞ୍ଚଳରେ ଧାର୍ମିକ ସଂସ୍ଥା ନାଁରେ ରାଜଧାନୀରେ କୋଟି କୋଟି ଟଙ୍କାର ଜମି ଜବରଦଖଲ ହୋଇଥିବା ଘେନି ନୂଆ ନୂଆ ଅଭିଯୋଗମାନ ଶୁଣିବାକୁ ମିଳୁଛି । ଏହି ସଂସ୍ଥାଗୁଡିକ ସହିତ ବହୁ ରାଜନୈତିକ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ସମ୍ପର୍କ ଥିବାରୁ କାର୍ଯ୍ୟାନୁଷ୍ଠାନ ମାପିଚୁପି ହେଉଛି ।

ଗୁଣି ଗାରେଡିଆଦି ରୋକିବାପାଇଁ ସରକାର ସ୍ୱତନ୍ତ୍ର ଆଇନ୍‍ ପଣୟନ କରିଛନ୍ତି । ଏହା ସତ୍ୱେ ଅଲୌକିକ ଦିବ୍ୟ ଚକିତ୍ସା ମାଧ୍ୟରେ ବିନା ଡାକ୍ତରୀ ଔଷଧରେ କେତେକ ବାବା ରୋଗ ଭଲ କରୁଥିବା ଘେନି ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ହେଉଥିବାରୁ ରାଜ୍ୟ ଭିତର ଓ ବାହାରର ବହୁ ଲୋକ ବ୍ୟାପକ ଖର୍ଚ୍ଚାନ୍ତ ହୋଇ ଭୁବନେଶ୍ୱର ଦୌଡୁଛନ୍ତି ।

ଖୋଲାଖୋଲି ଭାବେ କେତେକ ଅଞ୍ଚଳରେ ଏଭଳି କାରବାର ଚାଲୁଛି ଏବଂ ପୁଲିସ୍‍ ପିସିଆର ମଧ୍ୟ ଏ ସବୁ ଦେଖୁଛି । ତେବେ ଏହି ଦିବ୍ୟ ଚିକିତ୍ସାକେନ୍ଦ୍ର ଗୁଡିକ ଠିକ୍‍ ନା ଭୁଲ୍‍ ସେ ସଂକ୍ରାନ୍ତରେ ଏଯାବତ୍‍ ରାଜ୍ୟ ସରକାର କୌଣସି ଘୋଷଣା କରିନାହାନ୍ତି । ଆଇନ୍‍ ସତ୍ୱେ କେବଳ ରାଜଧାନୀ କାହିଁକି ର‌୍ୟା ତମାମ ରୋଗବ୍ୟାଧିରୁ ନିସ୍ତାର ଲାଗି କାଳିସୀଙ୍କ ହୁକୁମ, କାଟପାଣି, ଝଡାଫୁଙ୍କା ଆଦି ଚାଲୁଛି । ଏମିତିକି କେତେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରୋଗୀଙ୍କୁ ଡାକ୍ତରଖାନାରୁ ନେଇଯାଇ ଏମାନଙ୍କ ଶରଣାପନ୍ନ ହେଉଛନ୍ତି । ବହୁ କ୍ଷେତ୍ରରେ ଏଭଳି ଠକାମୀର ଶିକାର ହେଉଥିବା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ସେମାନଙ୍କୁ ପୁଣି ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି ।

ଧାର୍ମିକ ସଂସ୍ଥାଗୁଡିକ ଲୋକଙ୍କ ବିଶ୍ୱାସର କେନ୍ଦ୍ରବିନ୍ଦୁ ହୋଇଥିବା ଦୃଷ୍ଟିରୁ କେଉଁ ସଂସ୍ଥା ଠିକ୍‍ ଓ କେଉଁସଂସ୍ଥା ଭୁଲ୍‍ ସେ ସଂକ୍ରାନ୍ତରେ ଅନୁଶୀଳନ କରିବା ସହିତ ଯେଉଁମାନେ ବେଆଇନ୍‍ କାର୍ଯ୍ୟକଳାପରେ ଲିପ୍ତ ସେମାନଙ୍କ ବିରୁଦ୍ଧରେ ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠୁଛି । (ତଥ୍ୟ)