ଭୁବନେଶ୍ୱର : ବର୍ଷା ଜଳକୁ ସଂରକ୍ଷଣ କରି ଭୂତଳ ସ୍ତର ବୃଦ୍ଧି ପାଇଁ ଆସନ୍ତା ୫ବର୍ଷରେ ରାଜ୍ୟ ସରକାର ୨୭୦କୋଟି ଟଙ୍କା ବ୍ୟୟ ପାଇଁ ସ୍ଥିର କରିଛନ୍ତି । ପ୍ରଥମ ଥର ପାଇଁ ରାଜ୍ୟ ସରକାର ନିଜସ୍ୱ ଯୋଜନା ମାଧ୍ୟମରେ ଏଭଳି ପଦକ୍ଷେପ ଗ୍ରହଣ କରି ୩୭୩ କୋଟି ଲିଟର ଜଳ ସଂରକ୍ଷଣର ଲକ୍ଷ୍ୟ ରଖିଛନ୍ତି ।
ଏହା ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ହୋଇଥିବାବେଳେ ଏହାର ନାମ କମ୍ୟୁନିଟି ହାର୍ସେନିଂ ଆଣ୍ଡ ହାର୍ଭେଷ୍ଟିଂ ରେନୱାଟର ଆର୍ଟିଫିସିଆଲି ଫ୍ରମ ଟେରାସ ଟୁ ଆକ୍ୟୁଫେର (ଛାତ) ରଖାଯାଇଛି । ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ୨୭୦ କୋଟି ଟଙ୍କା ବ୍ୟୟରେ ଏହି ମେଗା ପ୍ରକଳ୍ପ ୨୦୨୨-୨୩ ରୁ ୨୦୨୬-୨୭ ମଧ୍ୟରେ କାର୍ଯ୍ୟକାରୀ ହେବ । ଏହା ରାଜ୍ୟର ୫୨ଟି ଜଳକ୍ଲିଷ୍ଟ ବ୍ଲକ ଏବଂ ୨୭ଟି ସହରାଞ୍ଚଳରେ ଥିବା ୨୯,୫୦୦ ଘରୋଇ ଏବଂ ୧୯୨୫ ସରକାରୀ କୋଠା ଉପରେ କାର୍ଯ୍ୟକାରୀ ହେବ ।
ଛାତ ଯୋଜନାରେ ବର୍ଷା ଜଳ ସଂରକ୍ଷଣ କରି ସହରାଞ୍ଚଳରେ ଲୋକଙ୍କୁ ସ୍ୱଚ୍ଛ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ଥିବାବେଳେ ଏହାଦ୍ୱାରା ମଧ୍ୟ ତଳକୁ ତଳ ଯାଉଥିବା ଭୁପୃଷ୍ଠ ଜଳସ୍ତର ବୃଦ୍ଧି କରାଯାଇ ପାରିବ । କେତେକ ସହରାଞ୍ଚଳରେ ଯୋଗାଯାଉଥିବା ଜଳର ମାନ ଭଲ ନଥିବାବେଳେ ଛାତ ଯୋଜନାରେ ଜଳର ଗୁଣାତ୍ମକ ମାନ ସୁନିଶ୍ଚିତ ପାଇଁ ଯୋଜନା ହୋଇଛି ।
୨୦୨୦ ମସିହାରେ ଭୂତଳ ଜଳ ସଂକ୍ରାନ୍ତରେ ହୋଇଥିବା ଆକଳନ ସମୟରେ କେତେକ ପୌରାଞ୍ଚଳ ଓ ବ୍ଲକରେ ଜଳର ମାନ ଅତି ଖରାପ ଥିବା ଦୃଷ୍ଟିକୁ ଆସିବାପରେ ସେଠାରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି । ୨୭ଟି ପୌରାଞ୍ଚଳରେ ସରକାରୀ କୋଠାର ଛାତ ଉପରେ ଜଳ ଅମଳ ପ୍ରକଳ୍ପ କାର୍ଯ୍ୟକାରୀ ହେବ ।
ଅନୁରୂପ ଭବେ ୫୨ଟି ବ୍ଲକର ଗ୍ରାମାଞ୍ଚଳରେ ଥିବା ସରକାରୀ କୋଠାରେ ମଧ୍ୟ ଜଳ ଅମଳ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଚିହ୍ନଟ ହୋଇଥିବ ପୌରାଞ୍ଚଳରେ ୨୦୦ ସ୍କୋୟାର ମିଟର କ୍ଷେତ୍ରଫଳ ଓ ତିନି ମହଲାରୁ ଅଧିକ ଉଚ୍ଚତା ନଥିବା କୋଠାରେ ଜଳଅମଳ ପ୍ରକଳ୍ପ ପାଇଁ କୌଣସି ଆଗ୍ରହୀ ବ୍ୟକ୍ତି ଆବେଦନ କରିପାରିବେ । ଭାରପ୍ରାପ୍ତ ଅଧିକାରୀ ପରୀକ୍ଷା ନୀରିକ୍ଷା କଲାପରେ ପ୍ରକଳ୍ପର ସର୍ବାଧିକ ୫୦ ପ୍ରତିଶତ କିମ୍ବା ସର୍ବାଧିକ ୫୫ହଜାର ଟଙ୍କା ସରକାର ଯୋଗାଇଦେବେ ।
ତେବେ ହିତାଧିକାରୀ ନିଜେ ପ୍ରକଳ୍ପର ରକ୍ଷଣାବେକ୍ଷଣ କରିବେ । ତେବେ ସବସିଡ୍ ପାଇବାକୁ ହେଲେ ପ୍ରକଳ୍ପ ଜରିଆରେ ଭୂତଳ ଜଳ ରିଚାର୍ଜ ବାଧ୍ୟତାମୂଳକ କରାଯାଇଛି । ପ୍ରତିବର୍ଷ ଛାତ ଯୋଜନାରେ ହାରାହାରି ୫୪କୋଟି ଟଙ୍କା ବ୍ୟୟ ହେବ । ପ୍ରକଳ୍ପ ପାଇଁ ନିଯୁକ୍ତି ପାଇନଥିବା ଡିପ୍ଲୋମା, ସ୍ନାତକ ଯନ୍ତ୍ରୀ କିମ୍ବା ଜିଓଲୋଜିରେ ସ୍ନାତକ କରିଥିବା ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରାଯିବ । ସେମାନଙ୍କୁ କନସଲଟାଣ୍ଟ ଭାବେ ତାଲିକାଭୁକ୍ତ କରାଯିବ । ପୌରାଞ୍ଚଳ ସ୍ତରରେ ପ୍ରକଳ୍ପ ମନିଟରିଂ କମିଟି ଗଠନ କରାଯିବ ଯିଏକି ଯୋଜନାର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିବା ସହିତ ଜଳସମ୍ପଦ ବିଭାଗ ଏବଂ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରିପୋର୍ଟ ପ୍ରଦାନ କରିବେ । (ତଥ୍ୟ)