Home Education ଛାତ୍ର ସଂସଦ ନିର୍ବାଚନ ପାଇଁ ସଜବାଜ

ଛାତ୍ର ସଂସଦ ନିର୍ବାଚନ ପାଇଁ ସଜବାଜ

ଭୁବନେଶ୍ୱର : ନୂତନ ଶିକ୍ଷାବର୍ଷରେ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକ ଖୋଲିବାପରେ ଏବେ ସବୁ କ୍ୟାମ୍ପସରେ ଛାତ୍ରସଂସଦ ର୍ନିବାଚନ ପାଇଁ ବିଭିନ୍ନ ଗୋଷ୍ଠି ପକ୍ଷରୁ ଜୋରଦାର ସଜବାଜ ଦେଖିବାକୁ ମିଳୁଛି । ବିଶେଷକରି ବିଭିନ୍ନ ରାଜନୈତିକଦଳର ଛାତ୍ର ସଂଗଠନମାନେ ଏବେ ଠାରୁ ପ୍ରୟାସ ଆରମ୍ଭ କରିଦେଇଥିବାବେଳେ ସମ୍ଭାବ୍ୟ ପ୍ରାର୍ଥୀମାନେ ବି ସମ୍ପର୍କ ବଢାଇବାରେ ଲାଗିଛନ୍ତି ।

ଗତ ସରକାର ଅମଳରୁ ଦୀର୍ଘବର୍ଷ ଧରି ଓଡିଶାରେ ଆଉ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ । ନିର୍ବାଚନ ଯୋଗୁଁ ଉଚ୍ଚଶିକ୍ଷାନୁଷ୍ଠାନ ପରିସରରେ ବାତାବରଣ କଳୁଷିତ ହେଉଥିବା ଦର୍ଶାଇ କେତେବେଳେ ନିର୍ବାଚନ ବନ୍ଦ ରଖାଯାଇଛି ତ ଆଉକେତେବେଳେ କୋଭିଡ ଏବଂ ଆଇନ୍‍ ଶୃଙ୍ଖଳା ଆଳରେ ନିର୍ବାଚନ କରାଯାଉନାହିଁ । ବିରୋଧିଦଳରେ ଥିବାବେଳେ ବିଜେପି ବାରମ୍ବାର ଛାତ୍ର ସଂସଦ ନିର୍ବାଚନ କଥା ଉଠାଉଥିଲା । ବିଜୁ ଛାତ୍ର ଜନତାଦଳର ଏହି ଦାବି ଉଠାଉନଥିବାବେଳେ ଏବିଭିପି, ଏସଏଫ୍‍ଆଇ,ଏଆଇଏସଏଫ୍‍, ଡିଏସ୍‍ଓ, ଛାତ୍ର କଂଗ୍ରେସ ଭଳି ସଂଗଠନମାନେ କିନ୍ତୁ ଲଗାତାର ଭାବେ ଛାତ୍ରସଂସଦ ନିର୍ବାଚନ ପାଇଁ ଦାବିକରି ଆସୁଥିଲେ ।

୨୦୨୪ ଜୁନ୍‍ ମାସରେ ଓଡିଶାରେ ବିଜେପି ସରକାର ଗଠନ କରାଯିବାପରେ ଉଚ୍ଚଶିକ୍ଷାମନ୍ତ୍ରୀ ଛାତ୍ରସଂସଦ ନିର୍ବାଚନ ହେବବୋଲି ଘୋଷଣା କରିଥିଲେ । ତେବେ କୌଣସି କାରଣରୁ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖିଲେ ଏବଂ ନିର୍ବାଚନ ପାଇଁ ପ୍ରସ୍ତୁତି କରିବାପରେ ୨୦୨୫ରେ ଛାତ୍ରସଂସଦ ନିର୍ବାଚନ ହେବବୋଲି ସେତେବେଳେ କୁହାଯାଇଥିଲା । ଏଯାବତ୍‍ ଛାତ୍ରସଂସଦ ନିର୍ବାଚନ ଘେନି ଦିନଧାର୍ଯ୍ୟ ହୋଇନାହିଁ ।

ପୂର୍ବରୁ ସାରା ରାଜ୍ୟରେ ଭିନ୍ନ ଭିନ୍ନ ତାରିଖରେ ପୂଜାଛୁଟି ପୂର୍ବରୁ ଛାତ୍ରସଂସଦ ନିର୍ବାଚନ ହେଉଥିଲା । କିନ୍ତୁ ଏଥିଯୋଗୁଁ ମାସ ମାସ ଧରି ଶୈଖିକ ବାତାବରଣ ନଷ୍ଟ ହେଉଥିବାରୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଛାତ୍ରସଂସଦ ନିର୍ବାଚନ ଲାଗି ଉଚ୍ଚଶିକ୍ଷା ବିଭାଗ କ୍ୟାଲେଣ୍ଡର ପ୍ରସ୍ତୁତ କରିଥିଲା । ଗତ ସାତ ଆଠବର୍ଷ ଧରି ନିର୍ବାଚନ ବନ୍ଦ ରହିଥିବା ପରିପ୍ରେକ୍ଷୀରେ ମନୋନିତ ଛାତ୍ରନେତାମାନଙ୍କ ମାଧ୍ୟମରେ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିଲା । ତେବେ ନାକ୍‍ ପରିଦର୍ଶନକାରୀଦଳ ବାରମ୍ବାର ନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି ।

ଏବେ କଲେଜଗୁଡିକରେ ନାମଲେଖା ପ୍ରକ୍ରିୟା ଜାରି ରହିଛି । ସେହି ଦୃଷ୍ଟିରୁ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରିବାପାଇଁ ଶିକ୍ଷାନୁଷ୍ଠାନ ପରିସରରେ ଓ ବାହାରେ ବିଭିନ୍ନ ଛାତ୍ର ସଂଗଠନ ଓ ଆଶାୟୀ ପ୍ରାର୍ଥୀମାନେ ହେଲ୍ପଡେସ୍କ ସ୍ଥାପନ କରିଛନ୍ତି । ଏହାଛଡା ପୁରାତନ ଛାତ୍ରଛାତ୍ରୀମାନଙ୍କୁ ବି ନିଜ ନିଜ ଆଡକୁ ଟାଣିବାପାଇଁ ଉଦ୍ୟମ ହେଉଛି । ଗୋଟିଏ ପଟେ ସଂଖ୍ୟାଧିକ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକରେ ପର୍ଯ୍ୟାପ୍ତ ସଂଖ୍ୟକ ଶିକ୍ଷକ ନଥିବା ଏମିତିକି ବହୁ ସ୍ଥାନରେ ନିୟମିତ କୁଳପତି ଓ ଅଧ୍ୟକ୍ଷ ନଥିବା ପରିପ୍ରେକ୍ଷୀରେ ଛାତ୍ର ସଂସଦ ନିର୍ବାଚନ ହେଲେ ତାହାକୁ ନିୟନ୍ତ୍ରଣ କରିବା କାଠିକରପାଠ ହେବ ବୋଲି ବହୁ ଅଧ୍ୟାପକ ମତ ଦେଉଛନ୍ତି । ବିଶେଷକରି ଅତିଥି ଅଧ୍ୟାପକମାନେ ଏହି ନିର୍ବାଚନ ପ୍ରକ୍ରିୟାରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଜଡିତ ହେବାର ପ୍ରାବଧାନ ବି ନାହିଁ ।

ଯଦି ଛାତ୍ର ସଂସଦ ନିର୍ବାଚନ ହୁଏ ତେବେ ମାସେ ଦୁଇମାସ ମଧ୍ୟରେ ତାହା ହେବ ଏବଂ ଏଥିଲାଗି ଯେକୌଣସି ସମୟରେ ସରକାର ତାରିଖ ଘୋଷଣା କରିପାରନ୍ତି । ଏହାକୁ ଆଖିଆଗରେ ରଖି ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକର ଛାତ୍ର ରାଜନୀତି ଏବେ ବେଶ୍‍ ଚଳଚଞ୍ଚଳ । କେବଳ ସେତିକି ନୁହେଁ, ବହୁ ସ୍ଥାନରେ ନିଜ ନିଜର ପତିଆରା ଜାହିର କରିବାପାଇଁ ମନ୍ତ୍ରୀ, ସ୍ଥାନୀୟ ବିଧାୟକ ଓ ବିଭିନ୍ନ ଦଳର ନେତାମାନେ ମଧ୍ୟ ସେମାନଙ୍କ ସମର୍ଥିତ ଛାତ୍ରସଂଗଠନ ଓ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇଦେବାର ବ୍ୟବସ୍ଥା କରୁଛନ୍ତି । (ତଥ୍ୟ)