ଭୁବନେଶ୍ୱର : ପୂଜା ପୂର୍ବରୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ହେବା ଆଶା ଏକ ପ୍ରକାର କ୍ଷୀଣ । ବର୍ତ୍ତମାନ ସୁଦ୍ଧା ଏ ସଂକ୍ରାନ୍ତୀୟ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନଥିବାବେଳେ ହାତରେ ଆଉ ସମୟ ନାହିଁ କହିଲେ ଚଳେ । ଏଥିଯୋଗୁଁ ଆଶାୟୀ ପ୍ରାର୍ଥୀ ଏବଂ ରାଜନୈତିକ ଦଳଗୁଡ଼ିକର ଛାତ୍ର ସଂଗଠନମାନେ ହତାଶ ହେବାରେ ଲାଗିଛନ୍ତି ।
ଦୁର୍ଗା ପୂଜା ପାଇଁ ଚଳିତ ମାସ ୨୫ ତାରିଖରେ ପ୍ରାୟତଃ ଶିକ୍ଷାନୁଷ୍ଠାନରେ ପୂଜା ଛୁଟି ଘୋଷଣା ହେବ । ତେଣୁ ଛୁଟି ଘୋଷଣା ହେବା ଆଗରୁ ଛାତ୍ର ସଂସଦ ନିର୍ବାଚନ ପାଇଁ ହାତରେ ଆଉ ସମୟ ନାହିଁ । କାରଣ ନିର୍ବାଚନ ତାରିଖ ଘୋଷଣା ପରେ ନିର୍ଦ୍ଦିଷ୍ଟ ଦିନରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରି ସେଥିରେ ପ୍ରାର୍ଥୀପତ୍ର ଦାଖଲ, ଯାଞ୍ଚ, ପ୍ରତ୍ୟାହାର, ପ୍ରାର୍ଥୀମାନଙ୍କ ବକ୍ତବ୍ୟ ପ୍ରଦାନ, ଭୋଟ ଗ୍ରହଣ, ଭୋଟ ଗଣନା, ଫଳାଫଳ ଘୋଷଣା ଆଦି କରାଯିବ ।
ବିଭିନ୍ନ ପ୍ରସଂଗକୁ ନେଇ ଏବେ ବହୁ ଶିକ୍ଷାନୁଷ୍ଠାନରେ ସରଗରମ ପରିସ୍ଥିତି ରହିଛି । ଉତ୍କଳ ବିଶ୍ୱବିଦ୍ୟାଳୟରେ ହଷ୍ଟେଲରୁ ଅଣଛାତ୍ରଙ୍କୁ ବିଦା କରିବା ଘଟଣାକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ରାଜଧାନୀ ମହାବିଦ୍ୟାଳୟରେ ପୋଷ୍ଟର ଚିରା ଘଟଣାରେ ଦୁଇ ଗୋଷ୍ଠି ମାରପିଟ୍ ହୋଇଛନ୍ତି । ଏହାକୁ ନେଇ କଲେଜ ପରିସର ଅଶାନ୍ତ ରହିଛି । ଏଭଳି ସ୍ଥିତି ନିୟନ୍ତ୍ରଣ କରିବା ଲାଗି କଲେଜ୍ଗୁଡ଼ିକରେ ପର୍ଯ୍ୟାପ୍ତ ସଂଖ୍ୟକ ଶିକ୍ଷକ ନାହାନ୍ତି ଏବଂ ଅଧିକାଂଶ କଲେଜ୍ରେ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟରେ କୁଳପତି ପଦବୀରେ ନିୟମିତ ନିଯୁକ୍ତି ହୋଇନଥିବାରୁ ଭାରପ୍ରାପ୍ତ ବ୍ୟବସ୍ଥାରେ ଚାଲିଛି । ନିୟମିତ ଶିକ୍ଷକମାନଙ୍କୁ ଛାତ୍ର ସଂସଦ ନିର୍ବାଚନର ବିଭିନ୍ନ ଦାୟିତ୍ୱରେ ରଖାଯିବ । ତେବେ ଅତିଥି ଅଧ୍ୟାପକମାନେ ଏହି ବ୍ୟାପାରରେ ମୁଣ୍ଡ ଖେଳାଇବେ ନାହିଁ ।
ଅନ୍ୟପକ୍ଷରେ ରାଜ୍ୟରେ ପଞ୍ଚାୟତ, ପୌର, ସମବାୟ, ବିଧାନସଭା ଓ ସଂସଦ ପାଇଁ ନିର୍ବାଚନ ହେଉଥିବା ବେଳେ ବର୍ଷବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ହେଉନାହିଁ । ଛାତ୍ର ସଂସଦ ନିର୍ବାଚନକୁ କିନ୍ତୁ ବିଭିନ୍ନ ଆଳ ଦେଖାଇ ଟାଳି ଦିଆଯାଉଛି । ବିଜେଡି ସରକାର ସମୟରେ ପ୍ରାୟ ୫ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବାବେଳେ ୨୦୨୪ ଜୁନ୍ ମାସରେ ଓଡ଼ିଶାରେ ବିଜେପି ସରକାର ଗଢ଼ାଯାଇଥିଲେ ମଧ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବିବୃତି ସତ୍ତ୍ୱେ ଗତବର୍ଷ ନିର୍ବାଚନ ହୋଇନଥିଲା । ଏବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ହେବ ବୋଲି କୁହାଯାଉଥିଲେ ବି ଛାତ୍ର ସଂଗଠନଗୁଡିକ ଏହାକୁ ଚାତକ ଭଳି ଚାର୍ହି ବସିଚନ୍ତି ।
କ୍ଷମତାକୁ ଆସିବା ପରେ ବିଜେପି ସରକାର ଅମଳରେ ଛାତ୍ର ସଂସଦଗୁଡ଼ିକରେ କେଉଁ ଦଳର ଅଧିକ ପତିଆରା ରହିବ ତାହାକୁ ନେଇ ରାଜ୍ୟ ରାଜଧାନୀରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସରଗରମ ରାଜନୀତି ଚାଲିଛି । ଇତି ମଧ୍ୟରେ ତୁରନ୍ତ ଛାତ୍ର ସଂସଦ ନିର୍ବାଚନ କରିବାକୁ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ କହି ସାରିଲାଣି । ଛାତ୍ର ସଂସଦ ଦଖଲ କରିବା ବିଜେପି ପାଇଁ ମର୍ଯ୍ୟାଦାର ପ୍ରଶ୍ନ ହୋଇଥିବା ବେଳେ ବିଜେଡି, କଂଗ୍ରେସ ଓ ବାମପନ୍ଥୀ ଦଳ ସମର୍ଥିତ ଛାତ୍ର ସଂଗଠନଗୁଡ଼ିକ ବି ନିଜ ନିଜର ଲୋକପ୍ରିୟତା ପ୍ରମାଣିତ କରିବା ପାଇଁ ପୂରା ଦମ୍ରେ ଲାଗିଛନ୍ତି । (ତଥ୍ୟ)