Home General ଛାତ୍ରୀଙ୍କୁ ଶକ୍ତି ଦେବ ‘ଶକ୍ତିଶ୍ରୀ’

ଛାତ୍ରୀଙ୍କୁ ଶକ୍ତି ଦେବ ‘ଶକ୍ତିଶ୍ରୀ’

ଭୁବନେଶ୍ୱର : ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ କାର୍ଯ୍ୟକାରୀ ହେବ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ। ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହା ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ କାର୍ଯ୍ୟ କରିବ। ଏଥିପାଇଁ ଏକ ୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ। ଏହାସହ ଶକ୍ତିଶ୍ରୀ ମୋବାଇଲ ଆପ ମଧ୍ୟ କାର୍ଯ୍ୟ କରିବ। ଯଦି ଛାତ୍ରୀ ଅସୁବିଧାରେ ପଡ଼ନ୍ତି ନାମ ଗୋପନ ରଖି ଏଥିରେ ପଞ୍ଜୀକୃତ କରିପାରିବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାଧାରଣ ଲୋକଙ୍କ ସ୍ୱାର୍ଥର ସୁରକ୍ଷା, ସେମାନଙ୍କ କଲ୍ୟାଣ ତଥା ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରାଥମିକତା। କିନ୍ତୁ ସଫଳତା ହାସଲ କରିବା ପାଇଁ ସବୁ ନାଗରିକଙ୍କ ବ୍ୟକ୍ତିଗତ ଅଧିକାର ଓ ମର୍ଯ୍ୟାଦାର ସୁରକ୍ଷା ଏକ ମୌଳିକ ଆବଶ୍ୟକତା। ବିଶେଷ କରି ମହିଳାମାନଙ୍କ ସୁରକ୍ଷା ଓ ନିରାପତ୍ତା ଏଥିପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ମହିଳା ମାନଙ୍କ ସୁରକ୍ଷା ଓ ସମ୍ମାନ ରକ୍ଷା ପାଇଁ ରାଜ୍ୟ ସରକାର ନୂଆ ନୀତି ଗ୍ରହଣ କରିଛନ୍ତି। ବିଶେଷକରି କଲେଜ ଓ ବିଶ୍ୱବିଦ୍ୟାଳୟ ପରି ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକରେ ଛାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ରାଜ୍ୟ ସରକାର ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’ ଆରମ୍ଭ କରିବେ। 

ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ମାନଙ୍କରେ ଏହା କାର୍ଯ୍ୟକାରୀ କରାଯିବ। ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଏକ ସୁରକ୍ଷିତ ଶୈକ୍ଷିକ ବାତାବରଣକୁ ସୁନିଶ୍ଚିତ କରାଇବା ସହିତ ଅଧ୍ୟୟନରତ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଛାତ୍ରୀମାନଙ୍କର ସଶକ୍ତିକରଣ ଓ  ସର୍ବାଙ୍ଗୀନ ବିକାଶ ଦିଗରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଏକ ସ୍ଥାୟୀ “ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର” ସ୍ଥାପନ କରାଯିବ ଯାହା ଛାତ୍ରୀମାନଙ୍କ ଦ୍ୱାରା ପରିଚାଳିତ ହେବ। ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରରେ ଜଣେ ଛାତ୍ରୀ “ଶକ୍ତିଶ୍ରୀ ସାଥୀ” ଓ ଜଣେ ଅଧ୍ୟାପିକା “ଶକ୍ତିଶ୍ରୀ ସଂଯୋଜିକା” ଭାବରେ ଉକ୍ତ କେନ୍ଦ୍ରର ପରିଚାଳନା କରିବେ। ଏହା ସହିତ ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ହୋଇଥିବା ୫ ଜଣ ବିଶିଷ୍ଟ କାର୍ଯ୍ୟରତ ମହିଳା “ଶକ୍ତି ଅପା” ଭାବରେ କାର୍ଯ୍ୟ କରିବେ। ଏହି “ଶକ୍ତି ଅପା”ମାନେ ପ୍ରତି ୩ ମାସରେ ଥରେ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ ଏବଂ ଛାତ୍ରୀମାନଙ୍କ ପାଇଁ ମେଣ୍ଟର ଭଳି କାର୍ଯ୍ୟ କରିବେ।

ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀ, ଅଧ୍ୟାପିକା ଏବଂ ମହିଳା କର୍ମଚାରୀମାନଙ୍କର ସୁରକ୍ଷା ଓ ସଶକ୍ତିକରଣ ଦିଗରେ ଏହି ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର କାର୍ଯ୍ୟ କରିବ। ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ଏକ ୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବ। ଛାତ୍ରୀମାନଙ୍କୁ ବିଭିନ୍ନ ବ୍ୟାଚ୍‌ରେ ବିଭକ୍ତ କରାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯିବା ସହିତ ଆଇନଗତ ଅଧିକାର ତଥା ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ମଧ୍ୟ ଶିକ୍ଷା ପ୍ରଦାନ କରାଯିବ।

ସେହିଭଳି “ଶକ୍ତିଶ୍ରୀ ଆପ୍‌” ନାମରେ ଏକ ନୂତନ ମୋବାଇଲ ଆପ୍ କାର୍ଯ୍ୟକାରୀ ହେବ। କ୍ୟାମ୍ପସରେ ଛାତ୍ରୀମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବାରେ ଏହା ସହାୟକ ହେବ। ଛାତ୍ରୀମାନଙ୍କର ସଚେତନତା ଓ ଅବଗତି ନିମନ୍ତେ ଶକ୍ତିଶ୍ରୀ ମୋବାଇଲ ଆପ୍‌ ମାଧ୍ୟମରେ କଲେଜମାନଙ୍କରେ ଥିବା ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ଏହାର ନିୟମାବଳୀ ଏବଂ କାର୍ଯ୍ୟ ସମ୍ବନ୍ଧରେ ସମସ୍ତ ସୂଚନା ପ୍ରଦାନ କରାଯିବ। ଏଥିସହ କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କର ଫୋନ୍‌ ନମ୍ବର ମଧ୍ୟ ପ୍ରଦାନ କରାଯିବ। ଯଦି କୌଣସି ଛାତ୍ରୀ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି, ତେବେ ସେ ନିଜର ପରିଚୟକୁ ଗୋପନୀୟ ରଖି ନିଜର ଅଭିଯୋଗକୁ ଟେକ୍ଟ ମେସେଜ, ଅଡିଓ କିମ୍ବା ଭିଡିଓ ମେସେଜ ମାଧ୍ୟମରେ ଆପ୍‌ରେ ପଞ୍ଜିକୃତ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅଭିଯୋଗଟି ଆପ୍‌ରେ ପଞ୍ଜିକୃତ ହୋଇ ସାରିବା ପରେ ଏହା ସିଧାସଳଖ ଉକ୍ତ ଛାତ୍ରୀ ପଢୁଥିବା ଶିକ୍ଷାନୁଷ୍ଠାନର ଆଭ୍ୟନ୍ତରୀଣ କମିଟିର ଅଧ୍ୟକ୍ଷଙ୍କ ନିକଟରେ ପହଂଚିବ। ଛାତ୍ରୀମାନେ ଯଦି ଚାପର ସମ୍ମୁଖୀନ ହୁଅନ୍ତି, ତେବେ ଶକ୍ତିଶ୍ରୀ ମୋବାଇଲ ଆପ୍ ମାଧ୍ୟମରେ ସେମାନେ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ସିଧା ସଳଖ କଥା ହୋଇ ଉପଯୁକ୍ତ ପରାମର୍ଶ ନେଇପାରିବେ। ଏଥିସହ କୌଣସି ଜରୁରୀ ପରିସ୍ଥିତିରେ ଶକ୍ତିଶ୍ରୀ ମୋବାଇଲ ଆପ୍ ରେ ରହିଥିବା ଏସଓଏସ ବଟନକୁ ବ୍ୟବହାର କରି ଛାତ୍ରୀମାନେ, ସିଧାସଳଖ ଶକ୍ତିଶ୍ରୀ ସାଥୀ ଏବଂ ଶକ୍ତିଶ୍ରୀ ସଂଯୋଜିକାଙ୍କ ସହ କଥା ହୋଇପାରିବେ ଓ ତୁରନ୍ତ ସାହାଯ୍ୟ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର କୋଡ଼ ଅଫ୍ କଣ୍ଡକ୍ଟ ଲାଗୁ ହେବ। ଏହା ମାଧ୍ୟମରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଏକ ବାର୍ଷିକ ଅନଲାଇନ୍‌ ଟ୍ରେନିଙ୍ଗ ମଡ୍ୟୁଲକୁ ସମ୍ପୂର୍ଣ୍ଣ କରିବେ, ଯାହାଦ୍ୱାରା ସେମାନଙ୍କ ମଧ୍ୟରେ ମହିଳା ସୁରକ୍ଷା, ଲିଙ୍ଗଗତ ସମ୍ବେଦନଶୀଳତା ତଥା ବୃତିଗତ ଏଥିକ୍ସ ସମ୍ବନ୍ଧରେ ସଚେତନତା ବୃଦ୍ଧି ହୋଇପାରିବ।

ଲିଙ୍ଗଗତ ସମାନତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଏବଂ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ଶକ୍ତିଶ୍ରୀ ଆକ୍ସନ ଫର ଫିମେଲ ଏମପାଓ୍ବାରମେଣ୍ଟ ବା ସେଫ୍ ନାମକ ଏକ କ୍ୟାମ୍ପେନ୍‌ର ଆୟୋଜନ କରାଯିବ। ଏହି କ୍ୟାମ୍ପେନ୍‌ ମାଧ୍ୟମରେ ବାର୍ଷିକ ଦୁଇ ଥର ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର, ମହିଳାଙ୍କ ସୁରକ୍ଷା ଓ ଅଧିକାର ସମ୍ବନ୍ଧୀୟ ସଚେତନତା କର୍ମଶାଳା ଆଦିର ଆୟୋଜନ କରାଯିବ। ଏହା ଛାତ୍ରୀମାନଙ୍କର ଆତ୍ମ ବିଶ୍ୱାସ ବୃଦ୍ଧି କରିବା ସହ ଛାତ୍ରୀମାନଙ୍କୁ ଏକ ସୁରକ୍ଷିତ ଶୈକ୍ଷିକ ପରିବେଶ ପ୍ରଦାନ କରିବାରେ ସହାୟକ ହେବ।

କ୍ୟାମ୍ପସ ସୁରକ୍ଷାକୁ ନେଇ ପ୍ରତ୍ୟେକ କଲେଜ, ନିଜର ଏକ ବାର୍ଷିକ ରିପୋର୍ଟ ପ୍ରତିବର୍ଷ ଡିସେମ୍ବର ମାସ ୩୧ ତାରିଖ ସୁଦ୍ଧା ପ୍ରଦାନ କରିବେ। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କ୍ୟାମ୍ପସ ସୁରକ୍ଷାକୁ ନେଇ ଏକ ବିସ୍ତ୍ରୁତ ବିବରଣୀ ପ୍ରସ୍ତୁତ କରାଯାଇ ଏହି ରିପୋର୍ଟରେ ସ୍ଥାନିତ କରାଯିବ। ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଯିବ, ଯାହାଦ୍ୱାରା କଲେଜ କ୍ୟାମ୍ପସକୁ ୨୪ ଘଣ୍ଟା ମନିଟର କରାଯାଇପାରିବ।

ଏଥିସହ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ରହିବାର ବ୍ୟବସ୍ଥା କରାଯିବ। କଲେଜରେ ରହିଥିବା ଆଭ୍ୟନ୍ତରୀଣ କମିଟି ସଦସ୍ୟ ଏବଂ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର ପରାମର୍ଶ ଅନୁଯାୟୀ, ସିସିଟିଭି କ୍ୟାମେରା ଲଗାଇବାର ସ୍ଥାନ ନିରୂପଣ କରାଯିବ। ବିଭିନ୍ନ ଆଇନ ବାବାଦରେ ଛାତ୍ରୀଙ୍କୁ ଅନଲାଇନ ପାଠକ୍ରମ ମଧ୍ୟ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ସମସ୍ତ ଶକ୍ତିଶ୍ରୀ ସାଥୀ, ଶକ୍ତିଶ୍ରୀ ସଂଯୋଜିକା ଓ ଶକ୍ତି ଅପାମାନଙ୍କ ପାଇଁ ବାର୍ଷିକ ଏକ-ଦିବସୀୟ କର୍ମଶାଳା “ଶକ୍ତି ସ୍ୱରୂପିଣୀ”ର ଆୟୋଜନ କରାଯିବ। ଏହି କର୍ମଶାଳାରେ ମହିଳାମାନଙ୍କର ସାମ୍ବିଧାନିକ ଓ ଆଇନଗତ ଅଧିକାର ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଯିବ । ମହିଳାଙ୍କ ସୁରକ୍ଷାକୁ ନେଇ ରହିଥବା ବିଭିନ୍ନ ଦିଗ ସମ୍ବନ୍ଧରେ ସଚେତନ କରାଇବା, ଡିଜିଟାଲ ସୁରକ୍ଷା ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରିବା ଠାରୁ ଆରମ୍ଭ କରି ଶକ୍ତିଶ୍ରୀ ମୋବାଇଲ ଆପ୍‌ର ପରିଚାଳନା ପର୍ଯ୍ୟନ୍ତ ସବୁ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ।