Home Education ଛାତ୍ରଛାତ୍ରୀଙ୍କୁ ହେଉନି ସ୍କୁଲ ପୋଷାକ

ଛାତ୍ରଛାତ୍ରୀଙ୍କୁ ହେଉନି ସ୍କୁଲ ପୋଷାକ

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ପୋଷାକ ବାବଦରେ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ମିଳୁଥିବା ପୋଷାକ କିନ୍ତୁ ପିଲାମାନଙ୍କୁ ଠିକଣା ଭାବେ ହେଉନାହିଁ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ଏହା ଜାଣୁଥିଲେ ମଧ୍ୟ ଭୟରେ ମୁହଁ ଖୋଲୁ ନାହାନ୍ତି ।

ରାଜ୍ୟ ସରକାର ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ବିଦ୍ୟାଳୟ ପୋଷାକ ଯୋଗାଇଥାନ୍ତି । ଏଥିପାଇଁ ବିଭିନ୍ନ ସଂସ୍ଥାଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥାଏ । ସମ୍ପୃକ୍ତ ସଂସ୍ଥାମାନେ ପିଲାଙ୍କ ମାପ ନେବା ବଦଳରେ ଆନୁମାନିକ ଭାବେ ପୋଷାକ ତିଆରି କରି ପିଲାଙ୍କ ସଂଖ୍ୟା ଅନୁଯାୟୀ ଯୋଗାଣ କରିଥାନ୍ତି । ଏହି ପୋଷାରୁ ଅନେକ ବଛାବଛି ପରେ କିଛି ପୋଷାକ ପିଲାଙ୍କୁ ହୁଏ ନାହିଁ । କାହାର ପ୍ୟାଣ୍ଟର ଗୋଡ ଛୋଟ ତ ଆଉ କାହାର ସାର୍ଟ ଛୋଟ ହୋଇଥାଏ । କିଛି ପିଲା ଏହାକୁ ଆଡଜଷ୍ଟ କରିଥାନ୍ତି । ହେଲେ ସରକାରଙ୍କ ଠାରୁ ପୋଷାକ ବାବଦ ଅର୍ଥ ପାଉଥିବା ସଂସ୍ଥା ପୋଷାକ ଦେଇସାରିଲା ପରେ ଆଉ କିଛି ଶୁଣିନଥାଏ ।

ପୂର୍ବରୁ ପୋଷାକ ପାଇଁ ରାଜ୍ୟ ସରକାର ୪୦୦ ଟଙ୍କା ପ୍ରଦାନ କରୁଥିାବବେଳେ ଏବେ ପୋଷାକ ଓ ଜୋତା ପାଇଁ ପିଲା ପିଛା ୧୦୦୦ ଟଙ୍କା କରି ଯୋଗାଉଛନ୍ତି । ସମଗ୍ର ଶିକ୍ଷା ଓ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରେ ଏହି ଅର୍ଥ ପ୍ରଦାନ କରାଯାଉଛି । ସମଗ୍ର ଶିକ୍ଷା ଯୋଜନାରେ ପୋଷାକ ଓ ଜୋତା ପାଇଁ ୨୦୨୦-୨୧ ବର୍ଷରେ େ୨୩୧ କୋଟି ୮୦ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିାବବେଳେ ୨୦୨୨-୨୩ ରେ ଏହି ପରିମାଣ ୩୧୩ କୋଟି ଟଙ୍କାକୁ ଟପିଯାଇଥିଲା । ୨୦୨୩-୨୪ ବର୍ଷରେ ଏହି ପରିମାଣ ୨୬୩ କୋଟି ଟଙ୍କାରୁ ଅଧିକ ରହିଛି ।

ସେହିଭଳି ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରେ ୨୦୨୧-୨୨ ବର୍ଷରେ ୧୬ କୋଟି ଟଙ୍କାରୁ ଅଧିକ ଯୋଗାଇ ଦିଆଯାଇଥିବାବେଳେ ୨୦୨୩-୨୪ ବର୍ଷରେ ଏହା ୧୮୮ କୋଟି ଟଙ୍କାକୁ ଟପିଥିଲା । ସେହିଭଳି ୨୦୨୩-୨୪ ବର୍ଷରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ମଧ୍ୟ ୧୦୫ କୋଟି ଟଙ୍କାରୁ ଅଧିକ ଅର୍ଥ ଯୋଗାଇଥିଲେ ।

ତେବେ ଏତେ ପରିମାଣର ଅର୍ଥ ଯୋଗାଣ ସତ୍ୱେ ପୋଷାକରେ ଯେଭଳି ଉନ୍ନତି ଆସିବାକଥା ବହୁ ସ୍ଥାନରେ ତାହା ହୋଇପାରୁ ନାହିଁ । ଏଥିପାଇଁ ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ପୋଷାକ ଯୋଗାଣକାରୀ ସଂସ୍ଥାକୁ ଦାୟୀ କରୁଥିବାବେଳେ ବିଦ୍ୟାଳୟ ପରିଚାଳନା କମିଟି କିନ୍ତୁ ବହୁ କ୍ଷେତ୍ରରେ ନିରବତା ଅବଲମ୍ବନ କରୁଥିବାରୁ ସ୍ଥିତିରେ ସେଭଳି ସୁଧାର ଆସିପାରୁ ନାହିଁ ।

ପୋଷାକ ଯୋଗାଣ ସହିତ ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟପୁସ୍ତ ଯୋଗାଣ ବାବଦରେ ୨୦୨୧-୨୨ ବର୍ଷରେ ୭୨କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରିଥିବାବେଳେ ୨୦୨୨-୨୩ ରେ ଏହା ୯୦ କୋଟି ଏବଂ ୨୦୨୩-୨୪ ବର୍ଷରେ ଏହା ୧୧୫ କୋଟି ଟଙ୍କାକୁ ଅତିକ୍ରମ କରିଥିବା ଜଣାଯାଇଛି । (ତଥ୍ୟ)