Home Education ଛାତ୍ରଛାତ୍ରୀଙ୍କୁ ସଚେତନ କଲେ ଆନ୍ତର୍ଜାତିକ ବିଶେଷଜ୍ଞ

ଛାତ୍ରଛାତ୍ରୀଙ୍କୁ ସଚେତନ କଲେ ଆନ୍ତର୍ଜାତିକ ବିଶେଷଜ୍ଞ

ଭୁବନେଶ୍ୱର : ମୋ କଲେଜ ଅଭିଯାନ ଏବଂ ଦି ଓଡ଼ିଶା ସୋସାଇଟି ଅଫ୍ ଆମେରିକାସ (ଓସା)ର ମିଳିତ ସହଯୋଗରେ, ଧଉଳି ୱେବିନାର ସିରିଜ ଅନ୍ତର୍ଗତ ‘ବିଶ୍ୱ ତାପମାତ୍ରା ଏବଂ ବରଫ ଉପରେ ଏହାର ପ୍ରଭାବ’ ଶୀର୍ଷକ ଏକ ୱେବିନାର ଆୟୋଜିତ ହୋଇଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ କର୍ମଚାରୀ ଯୋଗଦେଇଥିଲେ।

ୱେବିନାରରେ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ ୱାଶିଂଟନ୍ ଡିସି ଏବଂ ପ୍ୟାରିସସ୍ଥିତ ଇନଷ୍ଟିଚ୍ୟୁଟ୍ ଫର୍ ଗଭର୍ନାନ୍ସ ଆଣ୍ଡ ସଷ୍ଟେନେବଲ୍ ଡେଭଲପମେଣ୍ଟ (ଆଇଜିଏସ୍ଡି) ର ପ୍ରତିଷ୍ଠାତା ପ୍ରଫେସର ଡୁରଉଡ ଜେଲେକ । ଏହି ଅବସରରେ ସେ ପ୍ରଦୂଷଣକାରୀ କାର୍ବନ ଡାଇଅକ୍ସାଇଡକୁ ରୋକିବାକୁ ରଣନୀତି, ସ୍ୱଳ୍ପକାଳୀନ ଜଳବାୟୁ ପ୍ରଦୂଷକ (ଏସଏଲସିପିଜ), ମିଥେନ, ଅଙ୍ଗାରକାମ୍ଳ, ହାଇଡ୍ରୋଫ୍ଲୋରୋ କାର୍ବନ ଏବଂ ଟ୍ରପୋସ୍ଫେରିକ ଓଜନ ବିଷୟରେ ଆଲୋକପାତ କରିଛନ୍ତି।

ସେ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, “ଆଣ୍ଟର୍କଟିକାର ବରଫ ସମୁଦ୍ର ଲୁପ୍ତପ୍ରାୟ ହୋଇଗଲାଣି ଏବଂ ଆଗାମୀ ୧୦-୧୫ ବର୍ଷ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଲୋପ ପାଇଯିବ । ଦକ୍ଷିଣ ପୋଲରେ ଆଣ୍ଟର୍କଟିକା ମହାସାଗର ବରଫ ଆବରଣ ରେକର୍ଡ ମାତ୍ରାରେ ହ୍ରାସ ପାଉଛି ଏବଂ ହିମାଳୟ ପର୍ବତମାଳାର ହିନ୍ଦୁ କୁଶ ଅଞ୍ଚଳରେ ଥିବା ‘ତୃତୀୟ ପୋଲ’ର ଗ୍ଲାସିଆର ଦ୍ରୁତ ଗତିରେ ତରଳୁଛି। ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ସେହି ବରଫର ୮୦ ଭାଗ ତରଳିବାର ସମ୍ଭାବନା ରହିଛି।

ଗ୍ଲାସିୟରଗୁଡ଼ିକ ତରଳିବା କାରଣରୁ ବନ୍ୟା, ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟିଥାଏ । ଏହା ଦ୍ୱାରା ଚାଷ ଜମି ପ୍ରଭାବିତ ହେବା ସହିତ ଏସିଆର କୋଟି କୋଟି ଜନଜୀବନ ପ୍ରଭାବିତ ହୋଇଥା’ନ୍ତି। ଆଣ୍ଟର୍କଟିକ ମହାସାଗରରେ ଗ୍ରୀଷ୍ମ ସମୟରେ ବରଫ ତରଳିବାର କାରଣ ପ୍ରତ୍ୟକ୍ଷ ଭାବରେ ଭାରତୀୟ ଗ୍ରୀଷ୍ମକାଳୀନ ମୌସୁମୀ ସହ ଜଡ଼ିତ। ଏଭଳି ଘଟଣା ‘ଟେଲିକନେକ୍ସନ୍ସ’ ଭାବରେ ଜଣାଯାଏ। ଆଇଏସ୍ଏମ୍ ଅନୁସାରେ ୭୦ ପ୍ରତିଶତ ବୃଷ୍ଟିପାତଏକ ବିଲିୟନରୁ ଅଧିକ ଲୋକଙ୍କ ଜୀବିକା ଉପରେ ସିଧାସଳଖ ପ୍ରଭାବ ପକାଇଥାଏ।“ ବିଶ୍ବ ତାପମାତ୍ରା ପାଇଁ ପ୍ରତ୍ୟେକ ପଦକ୍ଷେପରେ ପରିବର୍ତ୍ତନର ଆବଶ୍ୟକତା ଉପରେ ସେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ବିଭିନ୍ନ ମହାବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ, କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀମାନେ ଅନେକ ଆଲୋଚିତ ପ୍ରସଙ୍ଗରେ ପ୍ରଶ୍ନ ପଚାରିଥିବା ବେଳେ ମୁଖ୍ୟବକ୍ତା ପ୍ରଫେସର ଡୁରଉଡ୍ ଜେଲକେ ସେହି ପ୍ରଶ୍ନ ଗୁଡିକର ଉତ୍ତର ରଖିଥିଲେ। ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ସମସ୍ତଙ୍କୁ ଓସା ଦ୍ୱାରା ଏହି ମାସିକ ୱେବିନାରରେ ଯୋଗଦେବାକୁ ଉତ୍ସାହିତ କରିଥିଲେ ଏବଂ ନିଜର ଦକ୍ଷତା ବୃଦ୍ଧି ନିମନ୍ତେ ଅଂଶଗ୍ରହଣ କରିବାକୁ କହିଥିଲେ।

ଆୟୋଜିତ ଏହି ୱେବିନାରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ଶିକ୍ଷା ବିଭାଗର ଉପଦେଷ୍ଟା ଶ୍ରୀ ଉପେନ୍ଦ୍ର ତ୍ରିପାଠୀ ଉପସ୍ଥିତ ଥିଲେ। ଏହାସହିତ ଇଲେକ୍ଟ୍ରୋନିକ୍ସ ଏବଂ କମ୍ପ୍ୟୁଟର ସାଇନ୍ସ ବିଭାଗର ମୁଖ୍ୟ ଏନଜିଟି ପ୍ରଫେସର ଦୁର୍ଗା ମିଶ୍ର, ପ୍ରଫେସର ଅଜୟ ମହାନ୍ତି ଏବଂ ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର କର୍ମଚାରୀ ଶ୍ରୀ ଆଦିତ୍ୟ ଚୌଧୁରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ମୋ କଲେଜ ଅଭିଯାନର ସମସ୍ତ ଅଧିକାରୀ ୱେବିନାରରେ ଯୋଗ ଦେଇଥିଲେ।