କରୋନା ସମୟରେ ବିଦ୍ୟାଳୟକୁ ଆସୁନଥିବା ଛାତ୍ରଛାତ୍ରୀଙ୍କୁ ସରକାର ସେମାନଙ୍କ ଘରେ ମଧ୍ୟାହ୍ନଭୋଜନ ବାବଦରେ ୫୬ହଜାର ଟନ୍ରୁ ଅଧିକ ଚାଉଳ ଓ ୪ଶହ କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦୁଇଟି କିସ୍ତିରେ ଏହା ମିଳିଥିବା ଜଣାଯାଇଛି ।
ଲକ୍ ଡାଉନ୍ ସମୟରେ ବିଦ୍ୟାଳୟ ବନ୍ଦ ଥିବାଯୋଗୁ ଖାଦ୍ୟ ନିରାପତ୍ତା ଆଇନ୍ ଅନୁଯାୟୀ ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୩,୭୭,୭୦୪ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଣ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ତଦନୁଯାୟୀ ମାର୍ଚ୍ଚ ୧୬ତାରିଖରୁ ଜୁନ୍ ୧୩ ତାରିଖ ଏବଂ ଜୁନ୍ ୧୪ ତାରିଖରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ୫୬,୬୮୫ ମେଟ୍ରିକ ଟନ୍ ଚାଉଳ ବଣ୍ଟନ ହୋଇଛି ।
ସବୁଠାରୁ ଅଧିକ ୪୪୩୩ ମେଟ୍ରିକ ଟନ୍ ଚାଉଳ ମୟୁରଭଞ୍ଜ ଜିଲ୍ଲାରେ ବଣ୍ଟନ ହୋଇଥିବାବେଳେ ଗଞ୍ଜାମରେ ୪୧୩୫, ବାଲେଶ୍ୱରରେ ୩୪୫୯, କେନ୍ଦୁଝରରେ ୨୮୮୦, ସୁନ୍ଦରଗଡରେ ୨୫୫୮, କଳାହାଣ୍ଡିରେ ୨୫୫୨, ଯାଜପୁରରେ ୨୫୦୯, ବଲାଙ୍ଗିରରେ ୨୪୩୩, ନବରଙ୍ଗପୁରରେ ୨୪୦୨, ଭଦ୍ରକରେ ୨୦୭୮ ମେଟ୍ରିକ ଟନ୍ ଚାଉଳ ଦିଆଯାଇଛି । ତେବେ ଏହି ସମୟରେ ସବୁଠାରୁ କମ୍ ୪୫୫ ଟନ୍ ଦିଆଯାଇଛି ଦେବଗଡ ଜିଲ୍ଲାରେ ।
ଚାଉଳ ସହିତ ଡାଲି, ପନିପରିବା ଏବଂ ରୋଷେଇ ପାଇଁ ଆବଶ୍ୟକ ପଡିଥିବା ସାମଗ୍ରୀ ବାବଦରେ ସରକାର ୪୦୬କୋଟି ୭୪ଲକ୍ଷ ୧୧ହଜାର ଟଙ୍କା ଯୋଗାଇ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୪୦କୋଟି ୪୯ଲକ୍ଷ ୧୯ହଜାର ଟଙ୍କା ଦିଆଯାଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୬୬କୋଟି ୨୪ଲକ୍ଷ ୯୨ହଜାର ଟଙ୍କା ଯୋଗାଯାଇଛି ।
ମୋଟ୍ ଅର୍ଥ ମଧ୍ୟରୁ ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ୩୧କୋଟି ୪୫ଲକ୍ଷ ୯୦ହଜାର ଟଙ୍କା ଦିଆଯାଇଥିବାବେଳେ ମୟୁରଭଞ୍ଜ ଜିଲ୍ଲାରେ ୨୮କୋଟି ୨୦ଲକ୍ଷ ୧୧ହଜାର ଓ ବାଲେଶ୍ୱର ଜିଲ୍ଲାରେ ୨୪କୋଟି ୭୪ଲକ୍ଷ ୭ହଜାର ଟଙ୍କା ଯୋଗାଇ ଦିଆଯାଇଛି । ଅନ୍ୟ ସମସ୍ତ ଜିଲ୍ଲାରେ ୨୦କୋଟିରୁ କମ୍ ଟଙ୍କା ଯୋଗାଯାଇଥିବାବେଳେ ସବୁଠାରୁ କମ୍ ୩କୋଟି ୧୭ଲକ୍ଷ ୩୫ହଜାର ଟଙ୍କା ଦେବଗଡ ଜିଲ୍ଲାରେ ପ୍ରଦାନ କରାଯାଇଛି ।
ବିଦ୍ୟାଳୟ ଛୁଟି ସମୟରେ ଛାତ୍ରଛାତ୍ରୀମାନେ ଯେଭଳି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବେନାହିଁ ସେଥିପାଇଁ ଯୋଗାଯାଉଥିବା ଚାଉଳ ଓ ଅର୍ଥ ପ୍ରଦାନ ଜାରି ରହିବ ବୋଲି ସରକାରୀ ସ୍ତରରୁ ସୂଚନା ମିଳିଛି ।