Home Education ଛାତ୍ରଛାତ୍ରୀଙ୍କୁ ମିଳିବ ତ୍ରୁଟିଶୂନ୍ୟ ନୂଆ ପାଠ୍ୟପୁସ୍ତକ

ଛାତ୍ରଛାତ୍ରୀଙ୍କୁ ମିଳିବ ତ୍ରୁଟିଶୂନ୍ୟ ନୂଆ ପାଠ୍ୟପୁସ୍ତକ

ଭୁବନେଶ୍ୱର : ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ଶିକ୍ଷା ବର୍ଷ ୨୦୨୬-୨୭ରୁ ନୂତନ ଭାବରେ ପ୍ରସ୍ତୁତ ପାଠ୍ୟପୁସ୍ତକଗୁଡ଼ିକରେ ତ୍ରୁଟି ପ୍ରସଙ୍ଗରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମ୍ବୋଧନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡ. ଏନ୍‌. ତିରୁମାଲା ନାୟକ । ଯଥା ଶୀଘ୍ର ତ୍ରୁଟିଶୂନ୍ୟ ନୂତନ ପାଠ୍ୟ ପୁସ୍ତକ ଯୋଗାଇ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟପୁସ୍ତକଗୁଡ଼ିକରେ ତ୍ରୁଟି ଥିବା ସରକାରଙ୍କ ନଜରକୁ ଆସିଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାର ଗୁରୁତ୍ୱକୁ ହୃଦୟଙ୍ଗମ କରି ପାଠ୍ୟପୁସ୍ତକରେ ଦେଖାଯାଇଥିବା ତ୍ରୁଟି କିପରି ହୋଇଥିଲା ଓ କେଉଁମାନେ ଏଥିରେ ଦାୟୀ ସେ ସମ୍ବନ୍ଧରେ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନକରି ବିଚାର କରିବାପାଇଁ ନିର୍ଦେଶ ଦେଇଥିଲେ ।

 କମିଟିର ସୁପାରିଶ କ୍ରମେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇସାରିଛନ୍ତି ଏବଂ ପରବର୍ତ୍ତୀ ସମୟରେ ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିଷ୍ପତ୍ତି ନେଇଛନ୍ତି । ପାଠ୍ୟପୁସ୍ତକରେ ଦେଖାଯାଇଥିବା ତ୍ରୁଟିକୁ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଗୁରୁତର ସହିତ ନେଇଛନ୍ତି ଓ ଛାତ୍ରଛାତ୍ରୀମାନଙ୍କୁ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ମାଧ୍ୟମରେ ଶିକ୍ଷା ପ୍ରଦାନ କରିବାପାଇଁ ନିର୍ଦେଶ ଦେଇଛନ୍ତି ।

ଶାସନ ସଚିବ ଡ. ନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବର୍ତ୍ତମାନ ଏହି ତ୍ରୁଟିଗୁଡିକୁ ତର୍ଜମା କରାଯାଉଛି ଓ ବିଶେଷଜ୍ଞମାନଙ୍କର ପରାମର୍ଶ ନିଆଯାଉଛି । ଖୁବଶୀଘ୍ର ସଂଶୋଧିତ ବହି ବିଭାଗୀୟ ୱେବସାଇଟରେ ଶିକ୍ଷାବିତ ତଥା ଜନସାଧାରଣଙ୍କ ମତାମତ ନିମନ୍ତେ ଦିଆଯିବ । ସମସ୍ତଙ୍କର ମତାମତକୁ ବିଚାରକରି ଛାତ୍ରଛାତ୍ରୀମାନଙ୍କୁ ସଂଶୋଧିତ ବହି ପ୍ରଦାନ କରାଯିବ।

ରାଜ୍ୟର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସମ୍ପୂର୍ଣ ତ୍ରୁଟିଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ଏବଂ ନୂତନ ପାଠ୍ୟପୁସ୍ତକ ଯୋଗାଇଦେବା ପର୍ଯ୍ୟନ୍ତ ସଂଶୋଧିତ ତଥ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ପ୍ରଦାନ କରାଯାଇ ପାଠ ପଢା ଚାଲୁ ରହିବ । ସରକାର ଯଥା ଶୀଘ୍ର ପୁନର୍ବାର ତ୍ରୁଟିଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି ଶାସନ ସଚିବ ଡ. ନାୟକ ସୂଚନା ଦେଇଛନ୍ତି।