Home Agriculture ଛତୁ ମିଶନରେ ୮୦ ପ୍ରତିଶତ ରିହାତି

ଛତୁ ମିଶନରେ ୮୦ ପ୍ରତିଶତ ରିହାତି

ଭୁବନେଶ୍ୱର : ମହିଳା ହିତାଧିକାରୀ ଓ ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ଆତ୍ମନିର୍ଭରଶୀଳ କରିବାପାଇଁ ଛତୁ ମିଶନ ଓ ଫୁଲ ମିଶନ କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ ମହିଳା ଗୋଷ୍ଠିର ସଦସ୍ୟା ଓ ସ୍ୱୟଂ ସହାୟକ ଗୋଷ୍ଠି ପାଇଁ ଯଥାକ୍ରମେ ୭୦ ପ୍ରତିଶତ ଓ ୮୦ ପ୍ରତିଶତ ରିହାତି ଦେବାର ବ୍ୟବସ୍ଥା ଅଛି ।

ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଛତୁ ଓ ଫୁଲ ମିଶନ ପାଇଁ ୨୦୨୨-୨୩ ରୁ ୨୦୨୬-୨୭ ବର୍ଷ ପାଇଁ ୩୬୬.୧୯କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ଏହା ରାଜ୍ୟରୁ ଛତୁ ଓ ଫୁଲ ରପ୍ତାନିରେ ସହାୟକ ହେବ ।

ସେହିଭଳି ମସଲା ମିଶନ ଜରିଆରେ କୃଷକଙ୍କ ଆୟ ବୃଦ୍ଧି ପାଇଁ ୨୦୨୨-୨୩ ବର୍ଷରେ ୮୫ କୋଟି ଟଙ୍କା ମିଳିଥିବାବେଳେ ୨୦୨୩-୨୪ ବର୍ଷରେ ୧୮୫.୮୦କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ଏହି ଯୋଜନାରେ ଲଙ୍କା, ଧନିଆ, ଅଦା, ହଳଦୀ ଏବଂ ଲବଙ୍ଗ, ଜାଇଫଳ, ଗୋଲମରିଚ ଓ ଡାଲଚିନି ଭଳି ମସଲାର କ୍ଷେତ୍ର ବିସ୍ତାର ହୋଇପାରିବ ।

ଓଡିଶାର ୯ଟି ଜିଲ୍ଲା ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ରାୟଗଡା, କୋରାପୁଟ, କନ୍ଧମାଳ, ଗଜପତି, ସୁନ୍ଦରଗଡ ଓ ଅନୁଗୁଳରେ ପଣସ ମିଶନ କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ ୧୫୦୦ ହେକ୍ଟରର କ୍ଷେତ୍ର ବିସ୍ତାର, ୩ଟି ଟେକ୍ନୋ ଇନ୍‍କ୍ୟୁବେସନ ସେଣ୍ଟର ପ୍ରତିଷ୍ଠା, ପ୍ରତି ବ୍ଲକରେ ୨ଟି ପ୍ରକ୍ରିୟାକରଣ ୟୁନିଟ୍‍, ଅଂଶୀଦାରମାନˆ ତାଲିମ ଏବଂ ଦକ୍ଷତା ବୃଦ୍ଧି ପାଇଁ ୯୭.୧୬ କୋଟି ଟଙ୍କାର କାର୍ଯ୍ୟକ୍ରମ ରଖାଯାଇଛି । ସେହିଭଳି ୨୦୨୨-୨୩ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା କଫି ମିଶନ ଆରମ୍ଭ ହୋଇଥିବାବେଳେ ଏହା ୧୨୫୦ ଏକର ଜମିରେ ଚାଷ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । (ତଥ୍ୟ)