ଭୁବନେଶ୍ୱର : ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଆୟୋଜିତ ଛତୁ କନ୍କ୍ଲେଭ୍-୨୦୨୩କୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପସ୍ୱାଇଁ କହିଛନ୍ତି ଯେ ଛତୁଚାଷ ପରି ଅର୍ଥକରୀ ଫସଲ ଚାଷୀର ଆୟବୃଦ୍ଧିରେ ସହାୟକ ହୋଇପାରୁଛି । ପାଳଛତୁ ଚାଷ ପାଇଁ ନଡ଼ା ବ୍ୟବହାର ହେଉଥିବାରୁ ଏହା ଦ୍ୱାରା ବର୍ଜ୍ୟବସ୍ତୁରୁ ସଂପଦ ସୃଷ୍ଟି ହେବା ସହିତ ପରିବେଶ ସୁରକ୍ଷା ହୋଇପାରୁଛି ।
ରାଜ୍ୟ ସରକାର ଛତୁଚାଷକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଛତୁ ମିଶନ ଆରମ୍ଭ କରିଛନ୍ତି । ଏଥି ପାଇଁ ୨୦୨୨-୨୩ରୁ ୨୦୨୬-୨୭ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ୩୨୮ କୋଟି ୮୮ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଏହି ଯୋଜନା ସାଧାରଣ ଛତୁଚାଷୀଙ୍କ ସମେତ ମହିଳା ହିତାଧିକାରୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ନିରନ୍ତର ଆୟକୁ ସୁନିଶ୍ଚିତ କରିବା ସହିତ ଓଡ଼ିଶାକୁ ମିଶନ ଅବଧି ମଧ୍ୟରେ ଛତୁ ରପ୍ତାନୀକାରୀ ରାଜ୍ୟରେ ପରିଣତ କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।
ଏହି ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଯଥାକ୍ରମେ ୭୦ ପ୍ରତିଶତ ଓ ୮୦ ପ୍ରତିଶତ ରିହାତି ପ୍ରଦାନର ବ୍ୟବସ୍ଥା ରହିଛି । ଛତୁଚାଷ ମହିଳାମାନଙ୍କ ଆର୍ଥିକ ପ୍ରଗତି ଓ ସଶକ୍ତିକରଣ ଦିଗରେ ଏକ ପ୍ରମୁଖ କ୍ଷେତ୍ର ଭାବରେ ଉଭା ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଛତୁର ଗୁଣାତ୍ମକ ମୂଲ୍ୟ ସଂପର୍କରେ ସାଧାରଣ ଜନତାଙ୍କୁ ବ୍ୟାପକ ସଚେତନ କରାଇବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରରେ ବ୍ୟାପକ ପ୍ରଚାରପ୍ରସାର ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ ।
ରାଜ୍ୟରେ ପ୍ରାକୃତିକ ଭାବେ ରହିଥିବା ଛତୁକୁ ଉପଯୋଗ କରି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ନୂତନ କିସମ ବିକାଶ କରିବା ସହିତ ଛତୁଚାଷରେ ଉନ୍ନତ ଜ୍ଞାନକୌଶଳର ପ୍ରୟୋଗ ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱ ଦେଇଥିଲେ । ଛତୁଚାଷ ଗବେଷଣା ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ରାଜ୍ୟ ସରକାର ଯନିବାନ ଏବଂ ରାଜ୍ୟରେ ଛତୁ ସମେତ ପଣସ, ଫୁଲ ଓ ମସଲା ନିମନ୍ତେ ଉତ୍କର୍ଷ କେନ୍ଦ୍ର ବିକାଶ ନିମନ୍ତେ ସେ ପରାମର୍ଶ ଦେଇଥିଲେ ।
ସମ୍ମେଳନରେ ସଭାପତିତ୍ୱ କରି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଓଡ଼ିଶାକୁ ଛତୁ ଚାଷର ଏନ୍ତୁଡ଼ିଶାଳ ଭାବରେ ଅଭିହିତ କରିଥିଲେ । ବିଶ୍ୱବିଦ୍ୟାଳୟ ଅଧିନରେ ଥିବା କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ଏ ଦିଗରେ ସ୍ୱତନ୍ତ୍ର ପ୍ରୟାସ କରୁଛନ୍ତି ବୋଲି ସେ କହିଥିଲେ । ବିଗତ ୩ ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩୫୨ ଜଣ ଚାଷୀଙ୍କୁ ଛତୁ ମଂଜି ପ୍ରସ୍ତୁତ ଓ ଛତୁଚାଷ ପ୍ରଣାଳୀ ସଂପର୍କରେ ତାଲିମ ପ୍ରଦାନ କରାଯାଇଛି ବୋଲି କୁଳପତି ଶ୍ରୀ ରାଉଳ କହିଥିଲେ ।
ସମ୍ମେଳନରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଛତୁଚାଷକୁ ବ୍ୟାପକ କରିବା ସହିତ ଅମଳ ପରବର୍ତ୍ତୀ ପରିଚାଳନା, ପରିବହନ ଓ ମୂଲ୍ୟଯୁକ୍ତ କରିବା ଦିଗରେ ସରକାରୀ ସୁବିଧା ଉପରେ ଆଲୋଚନା କରିଥିଲେ । ବିଶିଷ୍ଟ ଛତୁଚାଷ ବୈଜ୍ଞାନିକ ଓ ଓଡ଼ିଶା ଛତୁ ଉତ୍ପାଦକ ମହାସଂଘର ସଭାପତି ଡ. ଅଦୈତ କୁମାର ପାତ୍ର ଛତୁଚାଷରେ ଅଧିକ ସଂଖ୍ୟାରେ ଯୁବକଯୁବତୀ ଓ ନାମମାତ୍ର ଚାଷୀଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ଛତୁ ପ୍ୟାକିଂ ପାଇଁ ଉନ୍ନତ ଜ୍ଞାନକୌଶଳର ବିକାଶ, ସୁବ୍ୟବସ୍ଥିତ ବଜାର ବ୍ୟବସ୍ଥା ଓ ଶୀତଳିକୃତ ପରିବହନ ଉପରେ ଗୁରୁତ୍ୱାରୋପ କରିଥିଲେ ।
ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର ଗବେଷଣା ବିଭାଗର ଅଧ୍ୟକ୍ଷ ଡ. ସଂଗ୍ରାମ କେଶରୀ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଡ. ପ୍ରସନ୍ନଜିତ୍ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଛତୁଚାଷ ପଦ୍ଧତି, ବିହନ ପ୍ରସ୍ତୁତି ଓ ଛତୁର ବିଭିନ୍ନ ସାମଗ୍ରୀକୁ ନେଇ ଆୟୋଜିତ ଏକ ପ୍ରଦର୍ଶନୀ ଉଦ୍ଘାଟନ କରିଥିଲେ । ସମ୍ମେଳନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ ଛତୁ ଉତ୍ପାଦକ ଏବଂ ଛତୁ ଉଦ୍ୟୋଗୀଙ୍କ ସମେତ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ, ନିର୍ଦ୍ଦେଶକ, ଅଧ୍ୟାପକ ଓ ବୈଜ୍ଞାନିକମାନେ ଯୋଗଦେଇଥିଲେ ।