ଭୁବନେଶ୍ୱର : ମହାନଦୀର ଶାଖାନଦୀଗୁଡିକ ଏବେ ଶୁଖିଲା ପଡିଥିବାବେଳେ ଛତିଶଗଡର କଲମା ଜଳଭଣ୍ଡାରରେ ଜଳଧାରଣ କ୍ଷମତାର ୬୭ ପ୍ରତିଶତରୁ ଅଧିକ ପାଣି ଜମାହୋଇ ରହିଛି । ସେଠାରେ ଥିବା ଜଳ ନିଷ୍କାସନ ଫାଟକଗୁଡିକରୁ ଗୋଟିଏ ହେଲେ ଛତିଶଗଡ ଖୋଲୁନାହିଁ ।
ମହାନଦୀର ବର୍ତ୍ତମାନ ଓ ଭବିଷ୍ୟତ ସଂକ୍ରାନ୍ତରେ ଏଠାରେ ଆୟୋଜିତ ଏକ କର୍ମଶାଳାରେ ଏଭଳି ସୂଚନା ଦେଇଛନ୍ତି ଇଞ୍ଜିନିୟର ଆଶୁତୋଷ ଦାଶ । ସେ ଆଶଙ୍କାବ୍ୟକ୍ତ କରିଛନ୍ତି ଯେ ଉପରମୁଣ୍ଡରେ ବର୍ଷା ହେଲେ ଛତିଶଗଡର ଜଳଭଣ୍ଡାର ଏକାବେଳକେ ଅଧିକ ଜଳ ନିଷ୍କାସନ ଫାଟକ ଖୋଲିଲେ ଓଡିଶାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ।
ଏଠାରେ ଉଲ୍ଲେଖନୀୟ ଯେ କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ଯୋଜନା ଆଳରେ ଛତିଶଗଡ ହୀରାକୁଦର ଉପରମୁଣ୍ଡରେ ୭୦ରୁ ଅଧିକ ବନ୍ଧ ବାନ୍ଧିଛି । ଫଳରେ ମହାନଦୀକୁ ସଂଯୋଗ କରୁଥିବା ସେଠାକାର ଅନେକ ଉପନଦୀର ଜଳପ୍ରବାହ କମୁଛି । ଜଳସେଚନ ଯୋଜନା ନାମରେ ବନ୍ଧ ବାନ୍ଧି ବାସ୍ତବରେ କିନ୍ତୁ ବିଭିନ୍ନ ଶିଳ୍ପାନୁଷ୍ଠାନକୁ ଜଳ ଦେବାଲାଗି ସେଠାକାର ସରକାର ରାଜିନାମା କରିଛନ୍ତି । ତେବେ ଇତି ମଧ୍ୟରେ ସେଠାରେ ବି କେତେକ କଳକାରଖାନା ବନ୍ଦହୋଇ ଯାଇଥିବାବେଳେ ମହାନଦୀରୁ ଜଳ ଉଠାଣ କମିଯାଇଛି । ଅନ୍ୟ ପକ୍ଷରେ ସେଠାକାର କୃଷକମାନଙ୍କୁ ଚାଷପାଇଁ କିନ୍ତୁ ପାଣି ମିଳୁନାହିଁ ।
ଦୁଇ ବର୍ଷ ତଳେ ଛତିଶଗଡର ଯେଉଁ ଜଳଭଣ୍ଡାରଗୁଡିକରେ ଅତି ବେଶିରେ ୪୨ ପ୍ରତିଶତ ପର୍ଯ୍ୟନ୍ତ ଜଳ ଏପ୍ରିଲ ଭଳି ତିରୋଟ ମାସରେ ମହଜୁଦ ରହୁଥିଲା ସେଠାରେ ଏବେ ୬୭ ପ୍ରତିଶତରୁ ଅଧିକ ଜଳ ମହଜୁଦ ଥିଲେ ବି ତାହାର ଠିକଣା ଉପଯୋଗ ହେଉନାହିଁ । ଅଥଚ ତଳ ମୁଣ୍ଡରେ ପାଣି ଅଭାବରୁ ମହାନଦୀ ଓ ତାହାର ଶାଖାନଦୀଗୁଡିକ ଶୁଖିଲା ପଡିଛନ୍ତି ଏବଂ ଜଳଭଣ୍ଡାରରେ ପର୍ଯ୍ୟାପ୍ତ ପାଣି ନଥିବାରୁ ଓଡିଶାରେ କେନାଲ ଜଳସେଚନ ବ୍ୟାହତ ହେଉଛି ।
ସୁପ୍ରିମକୋର୍ଟଙ୍କ ଆଦେଶ ପରେ ୨୦୧୮ ମସିହା ମାର୍ଚ୍ଚ ୧୧ ତାରିଖରେ ମହାନଦୀ ଜଳବିବାଦ ସମାଧାନ ଟ୍ରିବୁନାଲ କେନ୍ଦ୍ର ସରକାର ଗଠନ କରିଥିଲେ । ଇତି ମଧ୍ୟରେ ଏହି ଟ୍ରିବ୍ୟୁନାଲର କାର୍ଯ୍ୟକାଳ ତିନିଥର ବଢାଗଲାଣି । ଟ୍ରିବ୍ୟୁନାଲ ଗଠନ କରାଯିବାବେଳେ ତିନି ବର୍ଷ ଭିତରେ ଏହି ନଦୀ ବିବାଦ ସମାଧାନ କରିବାକୁ କୁହାଯାଇଥିଲା । ପରିବର୍ତ୍ତୀ ସମୟରେ ଦୁଇବର୍ଷ ଏବଂ ଆଉଥରେ ତିନିବର୍ଷ ଏହି ଟ୍ରିବ୍ୟୁନାଲର କାର୍ଯ୍ୟକାଳ ବଢିସାରିଛି । ଏବେ କେନ୍ଦ୍ର ସରକାର ପୁଣି ଏହାର କାର୍ଯ୍ୟକାଳ ଆଉ ୯ମାସ ବଢାଇଛନ୍ତି ।
ଆଠବର୍ଷ ଭିତରେ ଜଳ ବିବାଦ ସମାଧାନ ହୋଇନାହିଁ କିମ୍ବା ଓଡିଶା ସପକ୍ଷରେ ଟ୍ରିବ୍ୟୁନାଲଙ୍କ ଠାରୁ କୌଣସି ମଧ୍ୟବର୍ତ୍ତୀକାଳୀନ ଆଦେଶ ବି ମିଳିନାହିଁ । ଟ୍ରିବ୍ୟୁନାଲର ସଦସ୍ୟ ଓ ଅନ୍ୟ ଅଧିକାରୀମାନେ ଏକାଧିକବାର ଓଡିଶା ଗସ୍ତରେ ଆସିବା ସହ ଛତିଶଗଡରେ ନିର୍ମିତ ହୋଇଥିବା ବନ୍ଧ ମଧ୍ୟ ଦେଖିଛନ୍ତି । ଏମିତିକି ନିକଟରେ ଏହି ଟ୍ରିବ୍ୟୁନାଲର ସଦସ୍ୟ ଓ ଅଧିକାରୀମାନେ ହୀରାକୁଦ ଜଳଭଣ୍ଡାର ସମେତ ଶ୍ରୀକ୍ଷେତ୍ର ପୁରୀ ଓ ଚିଲିକା ଗସ୍ତରେ ଆସି ସ୍ଥିତି ପରଖି ଫେରିଛନ୍ତି ।
ଏହି ନଦୀଜଳ ବିବାଦ ସଂକ୍ରାନ୍ତରେ ଓଡିଶା ସରକାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗତବର୍ଷ ଡିସେମ୍ବର ମାସରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରିଥିବାବେଳେ ଛତିଶଗଡରେ କିନ୍ତୁ ଏଯାବତ୍ ଏଭଳି କୌଣସି କମିଟି ଗଠିତ ହୋଇନାହିଁ । ଟ୍ରିବ୍ୟୁନାଲରେ ଜଳବିବାଦ ପ୍ରସଙ୍ଗ ଆଠବର୍ଷ ଧରି ଚାଲିଥିବା ପରିପ୍ରେକ୍ଷୀରେ ଓଡିଶା ସରକାର ବି ବିପୁଳ ଅର୍ଥ ବ୍ୟୟ କଲେଣି । ଅନ୍ୟ ପକ୍ଷରେ ଛତିଶଗଡ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ଓଡିଶା ପକ୍ଷରୁ ବାରମ୍ବାର ବକ୍ତବ୍ୟ ଜାରି କରାଯାଉଥିବାବେଳେ ଛତିଶଗଡ କିନ୍ତୁ ଆଲୋଚନା ପାଇଁ ଆଗେଇ ଆସୁନାହିଁ ।(ତଥ୍ୟ)

