ଭୁବନେଶ୍ୱର : ରାଜ୍ୟରେ ଏବେ ବି ଛଅ ହଜାରରୁ ଅଧିକ ପରିବାରଙ୍କ ନିକଟରେ ଘରଡିହ ଖଣ୍ଡେ ନାହିଁ । ଏହି ତାଲିକାରେ ସବୁଠାରୁ ଆଗରେ ବଲାଙ୍ଗିର ଜିଲ୍ଲା ଥିବାବେଳେ ୧୨ଟି ଜିଲ୍ଲାରେ ସମସ୍ତଙ୍କ ନିକଟରେ ଘରଡିହ ରହିଥିବା ଜଣାଯାଇଛି ।
ରାଜ୍ୟରେ ଘରଡିହହୀନ ବ୍ୟକ୍ତିଙ୍କ ସଂକ୍ରାନ୍ତରେ ନିକଟରେ ରାଜ୍ୟ ବିଧାନସଭାରେ ରାଜସ୍ୱ ଓ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଦେଇଥିବା ସୂଚନାରୁ ଏହା ଜଣାଯାଇଛି । ମନ୍ତ୍ରୀ କହିଛନ୍ତି ଯେ ୨୦୧୮ ମସିହାରେ ହୋଇଥିବା ସର୍ବେକ୍ଷଣ ଅନୁଯାୟୀ ରାଜ୍ୟରେ ମୋଟ୍ ୫୭,୧୧୭ ପରିବାର ଘରଡିହ ଶୂନ ଥିଲେ । ତେବେ ଗତବର୍ଷ ଶେଷ ସୁଦ୍ଧା ୫୦,୯୯୩ ପରିବାରକୁ ରାଜ୍ୟ ସରକାର ଘରଡିହ ପାଇଁ ରାଜ୍ୟ ସରକାର ସରକାରୀ ଜମି ଯୋଗାଇ ଦେଇଛନ୍ତି । ଫଳରେ ଏବେ ରାଜ୍ୟର ୬୧୨୪ ପରିବାର ବିନା ଘରଡିହରେ ବସବାସ କରୁଛନ୍ତି ।
ଘରଡିହ ନଥିବା ପରିବାର ମଧ୍ୟରେ ସବଠାରୁ ଅଧିକ ୧୭୯୮ ପରିବାର ବଲାଙ୍ଗିର ଜିଲ୍ଲାରେ ଥିବାବେଳେ ଏହା ପଛକୁ ବରଗଡ ଜିଲ୍ଲାରେ ୧୩୬୭ ପରିବାର ରହିଛନ୍ତି । ସେହିଭଳି ସୁବର୍ଣ୍ଣପୁର ଜିଲ୍ଲାରେ ୭୯୫ ପରିବାର ଥିବାବେଳେ ଦେବଗଡରେ ୪୪୫ ପରିବାର ଅଛନ୍ତି । ତେବେ ଉପକୂଳ ଜିଲ୍ଲା ମଧ୍ୟରେ ପୁରୀରେ ଏବେ ବି ୪୬୭ ଘରଡିହ ଶୂନ୍ୟ ପରିବାର ବସବାସ କରୁଥିବାବେଳେ ଭଦ୍ରକରେ ୫୭, କଟକରେ ୧୧, ଜଗତ୍ସିଂହପୁରରେ ୨୫ ପରିବାର ରହିଛନ୍ତି । ୧୨ଟି ଜିଲ୍ଲାରେ ସମସ୍ତ ପରିବାର ନିକଟରେ ଘରଡିହ ରହିଥିବା ଜଣାଯାଇଛି ।
ତେବେ ନିଜସ୍ୱ ଘରଡିହ ଟିକା ନଥିବାରୁ ଅନେକ ଗରିବ ପରିବାର ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ବିଶେଷକରି ସେମାନଙ୍କୁ ମୁଣ୍ଡଗୁଞ୍ଜିବାପାଇଁ ସରକାରୀ ଯୋଜନା ଘରଖଣ୍ଡେ ମିଳିପାରୁ ନାହିଁ । ଭତ୍ତା ଠାରୁ ଆରମ୍ଭକରି ମାଗଣା ଚାଉଳ ପାଇବା କ୍ଷେତ୍ରରେ ଏହି ପରିବାରଗୁଡିକ ମଧ୍ୟ ସମସ୍ୟାରେ ପଡୁଛନ୍ତି । ଏପରିକି କେତେକ ପରିବାର ଆଧାରକାର୍ଡ ପ୍ରସ୍ତୁତ କରିପାରୁ ନଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରୁ ବାଦ୍ ପଡୁଛନ୍ତି ।
ତେବେ ରାଜ୍ୟ ସରକାର ବସୁନ୍ଧରା ଯୋଜନାରେ ସେମାନଙ୍କୁ ଘରଡିହ ଯୋଗାଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରୁଥିବାରୁ ଅବଶିଷ୍ଟ ପରିବାରଗୁଡିକ ଖୁବ୍ଶୀଘ୍ର ନିଜସ୍ୱ ଘରଡିହ ପାଇବା ସହିତ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ପାଇପାରିବେ ବୋଲି ଅଧିକାରୀମାନେ ମତ ଦେଉଛନ୍ତି । (ତଥ୍ୟ)