ଭୁବନେଶ୍ୱର : ଓଡିଶାର ଗ୍ରାମାଞ୍ଚଳରେ ଥିବା ୬ଶହରୁ ଅଧିକ ହାଇସ୍କୁଲରେ ବିଏସଏନଏଲ୍ ର ଭାରତ ନେଟ୍ ଇଣ୍ଟରନେଟ୍ ସଂଯୋଗ ଯୋଗାଇ ଦିଆଯାଇଛି । ଏହାଦ୍ୱାରା ସେହିସବୁ ବିଦ୍ୟାଳୟରେ ୱାଇଫାଇ ଜରିଆରେ ପାଠପଢା ହୋଇପାରିବ ।
ବିଜେଡି ବିଧାୟିକା ସୁଲତା ଦେଓଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ । କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରୀୟ ବଜେଟ୍ ୨୦୨୫ରେ ଗ୍ରାମାଞ୍ଚଳରେ ଥିବା ସମସ୍ତ ହାଇସ୍କୁଲକୁ ଭାରତ ନେଟ୍ ଯୋଜନାରେ ଇଣ୍ଟରନେଟ୍ ସଂଯୋଗପାଇଁ ଘୋଷଣା କରାଯାଇଛି । ଏହିସବୁ ବିଦ୍ୟାଳୟକୁ ପର୍ଯ୍ୟାୟକ୍ରମେ ସଂଯୋଗ ଯୋଗାଇ ଦିଆଯାଉଛି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟର ୬୧୬ଟି ହାଇସ୍କୁଲରେ ଭାରତ ନେଟ୍ ଯୋଜନାରେ ବିଏସ୍ଏନ୍ଏଲ୍ର ଇଣ୍ଟରନେଟ୍ ସେବା ଉପଲବ୍ଧ ହୋଇଛି । ଏହାଦ୍ୱାରା ବିଦ୍ୟାଳୟର ଶ୍ରେଣୀଗୃହଗୁଡିକୁ ୱାଇଫାଇ ସେବା ମିଳିପାରି ।
ସେହିଭଳି ୨୦୨୦ ମସିହାରେ ଆତ୍ମନିର୍ଭର ଭାରତ ଯୋଜନା ଅଧିନରେ ପିଏମ୍ ଇ-ବିଦ୍ୟାର ଶୁଭାରମ୍ଭ ହୋଇଛି । ଏହା ଜରିଆରେ ଓଡିଶା ସମେତ ସମଗ୍ର ଦେଶରେ ଡିଜିଟାଲ, ଅନ୍ଲାଇନ୍, ଅନ-ଏୟାର ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏଥିପାଇଁ ଥିବା ମୋଟ୍ ୨୦୦ଟି ପିଏମ ଇ-ବିଦ୍ୟା ଡିଟିଏଚ୍ ଟିଭି ଚ୍ୟାନେଲ ମଧ୍ୟ ଓଡିଶା ଭାଗରେ ୫ଟି ଚ୍ୟାନେଲ ପଡିଛି । ଏହା ଡିଟିଏଚ୍ର ୧୩୮ରୁ ୧୪୨ ନମ୍ବର ମଧ୍ୟରେ ରହିଛି । ଏଥିରେ ଓଡିଆ ଭାଷାରେ ଗୁଣାତ୍ମକ ଶିକ୍ଷା ଯୋଗାଇ ଦିଆଯାଇ ପାରିବ । ସେହିଭଳି ଦୀକ୍ଷା ଯୋଜନାରେ ଓଡିଶା ସାମିଲ ଥିବାବେଳେ ଏଥିରେ ୫.୮୯ ଲକ୍ଷ ପଞ୍ଜିକରଣ ହୋଇଛି । ଏଥିରେ ୨୪.୨୮ କୋଟି ଶୈଖିକ ଅଧିବେଶନ ଆୟୋଜିତ ହୋଇଥିବାବେଳେ ୨୭୧ କୋଟି ଶୈଖିକ ମିନିଟ୍ କାର୍ଯ୍ୟକାରୀ ହୋଇସାରିଲାଣି ।
ଏଠାରେ ଉଲ୍ଲେଖନୀୟ ଯେ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ଘରୋଇ ବିଦ୍ୟାଳୟଗୁଡିକରେ ଇ-ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ସ୍ମାର୍ଟ କ୍ଲାସରୁମ୍ ଜରିଆରେ ପିଲାମାନଙ୍କୁ ସ୍ମାର୍ଟ ଶିକ୍ଷା ପ୍ରଦାନ କରାଯାଉଛି । ଅତୀତରେ ରାଜ୍ୟର ସରକାରୀ ହାଇସ୍କୁଲଗୁଡିକରେ ୫-ଟି ଯୋଜନାରେ ସ୍ମାର୍ଟ କ୍ଲାସ ରୁମ୍ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଗାଁ ଗହଳର ହାଇସ୍କୁଲ ପାଇଁ ଇଣ୍ଟରନେଟ୍ ବାଧକ ସାଜିଛି ।
ବର୍ତ୍ତମାନ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ଥିବା ସମସ୍ତ ହାଇସ୍କୁଲକୁ ପର୍ଯ୍ୟାୟକ୍ରମେ ବିଏସଏନଏଲ୍ର ଭାରତ ନେଟ୍ ସେବା ଯୋଗାଣ ପାଇଁ ଲକ୍ଷ୍ୟ ରଖି କାର୍ଯ୍ୟ ଚଳାଇଥିବାରୁ ରାଜ୍ୟର ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ମାର୍ଟ ଶିକ୍ଷା ତାଲିକାରେ ସାମିଲ ହେବା ସହିତ ସ୍ମାର୍ଟ ଶ୍ରେଣୀଗୃହରେ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇପାରିବେ । (ତଥ୍ୟ)

