Home General ଛଅ ମାସରେ ୬ହଜାର ଦୁର୍ଘଟଣା

ଛଅ ମାସରେ ୬ହଜାର ଦୁର୍ଘଟଣା

ଭୁବନେଶ୍ୱର : ଗତ ଛଅ ମାସ ମଧ୍ୟରେ ରାଜ୍ୟରେ ମୋଟରଯାନ ଦୁର୍ଘଟଣା ସଂଖ୍ୟା ୬ହଜାର ଟପିଯାଇଛି । ଦୁର୍ଘଟଣା ରୋକିବାପାଇଁ କର୍ତ୍ତୃପକ୍ଷଙ୍କର ସମସ୍ତ ପ୍ରୟାସ ସତ୍ୱେ ଏହି ସମୟ ମଧ୍ୟରେ ୨୮୪୯ ଜଣଙ୍କ ଜୀବନ ବି ଦୁର୍ଘଟଣାରେ ଗଲାଣି ।

ରାଜ୍ୟରେ ଘଟିଥିବା ମୋଟରଯାନ ଦୁର୍ଘଟଣା ସଂକ୍ରାନ୍ତରେ ମିଳିଥିବା ସୂଚନା ଅନୁଯାୟୀ ଚଳିତବର୍ଷର ପ୍ରଥମ ଛଅମାସ ଅର୍ଥାତ୍‍ ଜାନୁୟାରୀରୁ ଜୁନ୍‍ ମାସ ମଧ୍ୟରେ ରାଜ୍ୟରେ ମୋଟ୍‍ ୬୦୨୯ଟି ଦୁର୍ଘଟଣା ଘଟିଛି । ବିଶେଷକରି ଏପ୍ରିଲ୍‍ ମାସ ପରଠାରୁ ରାଜ୍ୟରେ ଦୁର୍ଘଟଣା ଉପରମୁହାଁ ହୋଇ ମାସିକ ହଜାରେ ଉପରେ ରହୁଛି । ଜାନୁୟାରୀ ମାସରେ ରାଜ୍ୟରେ ୯୬୧ଟି ମୋଟରଯାନ ଦୁର୍ଘଟଣା ଘଟିଥିବାବେଳେ ଜୁନ୍‍ ମାସରେ ଏହା ୧୦୪୯ ହୋଇଛି । ତେବେ ମଇ ତୁଳନାରେ ଏହା ସାମାନ୍ୟ ହ୍ରାସ ପାଇଛି ।

ଏହି ଛଅମାସ ମଧ୍ୟରେ ମୋଟରଯାନ ଦୁର୍ଘଟଣାରେ ୨୮୪୯ଜଣଙ୍କ ଜୀବନ ଯାଇଥିବାବେଳେ ୫୪୪୨ ଜଣ ଆହତ ହୋଇଛନ୍ତି । ଉଭୟ ମୃତ ଓ ଆହତଙ୍କ ସଂଖ୍ୟା ଗତବର୍ଷର ପ୍ରଥମ ଛଅମାସ ତୁଳନାରେ ଅଧିକ ରହିଛି । ଗତବର୍ଷ ଜାନୁୟାରୀରୁ ଜୁନ୍‍ ମାସ ମଧ୍ୟରେ ୫୫୭୦ଟି ଦୁର୍ଘଟଣାରେ ୨୫୮୭ଟି ଜୀବନ ଯାଇଥିବାବେଳେ ୫୦୭୫ ଜଣ ଆହତ ହୋଇଥିଲେ । ଗତବର୍ଷ ଏପ୍ରିଲ୍‍ରୁ ଜୁନ୍‍ ମାସ ମଧ୍ୟରେ ଦୁର୍ଘଟଣା ହାର ତଳମୁହାଁ ହୋଇଥିବାବେଳେ ଚଳିତବର୍ଷ କିନ୍ତୁ ଏଥିରେ ବିପରୀତ ପରିଲକ୍ଷିତ ହୋଇଛି ।

ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ପାଇଁ ସୁପ୍ରିମ୍‍କୋର୍ଟଙ୍କ ତାଗିଦା ପରେ ରାଜ୍ୟ ସରକାର ରକ୍ଷକ ଭଳି ଯୋଜନା ହାତକୁ ନେବା ସହିତ ଲୋକଙ୍କ ସଚେତନ ପାଇଁ ଚଳଚିତ୍ର ପ୍ରଦର୍ଶନୀ ଠାରୁ ଆରମ୍ଭକରି କ୍ରିକେଟ ପଡିଆରେ ବି ଲୋକଙ୍କୁ ସଚେତନ କରୁଛନ୍ତି । ହେଲେ ଦୁର୍ଘଟଣା ସହିତ ତାଳ ଦେଇ ମୃତ ଓ ଆହତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ଇତି ମଧ୍ୟରେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବାପାଇଁ ପଥପାଶ୍ୱର୍ ବ୍ୟବସାୟୀଙ୍କୁ ତାଲିମ ଦେବାରେ ପ୍ରାୟ ୪୦ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି । ଏଥି ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଡକ ସୁରକ୍ଷା ସଚେତନତା ନେଇ ଚଳଚିତ୍ର ପ୍ରଦର୍ଶନ ହେଉଛି । ଏବେ ବିଭିନ୍ନ ସ୍ଥାନରେ ଦୁର୍ଘଟଣାର କାରଣ ଖୋଜିବାପାଇଁ ସରକାର ଅବସରପ୍ରାପ୍ତ ପୁଲିସ୍‍ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ନିୟୋଜିତ ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଏତେ ସବୁ ପଦକ୍ଷେପ ପରେ ବି ରାଜ୍ୟରେ ଦୁର୍ଘଟଣା ଗତବର୍ଷ ତୁଳନାରେ ଢେର ଅଧିକ ରହିବା ଏବେ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି । ରାଜ୍ୟରେ ମାସକୁ ହାରାହାରି ହଜାରେ ମୋଟରଯାନ ଦୁର୍ଘଟଣା ଘଟୁଥିବାବେଳେ ହାରାହାରି ୬ଶହ ଜଣ ପ୍ରାଣ ହରାଉଛନ୍ତି । ସଡକ ସୁରକ୍ଷା ପାଣ୍ଠିରୁ ବ୍ୟାପକ ଅର୍ଥ ବ୍ୟୟରେ ଲୋକଙ୍କୁ ସଚେତନ କରାଯାଉଥିବାବେଳେ ଏଭଳି ଦୁର୍ଘଟଣା ଏବେ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି । (ତଥ୍ୟ)