Home General ଚୋରା ନିଶା କାରବାର ପାଇଁ ଜନଜୀବନ ବିପର୍ଯ୍ୟସ୍ତ

ଚୋରା ନିଶା କାରବାର ପାଇଁ ଜନଜୀବନ ବିପର୍ଯ୍ୟସ୍ତ

ଭୁବନେଶ୍ୱର : ଚୋରା ନିଶା କାରବାର ଓ ନିଶାଡିଙ୍କ ଦୌରାତ୍ମ୍ୟ ରୋକିବାପାଇଁ କର୍ତ୍ତୃପକ୍ଷଙ୍କ କଡା ଘୋଷଣା ସତ୍ୱେ ଖୋଦ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିଶାର ପ୍ରସାର ଘଟି ଚାଲିଛି ଏବଂ ଏଥିଯୋଗୁଁ ହତ୍ୟା, ବଳାତ୍କାର ସମେତ ବିଭିନ୍ନ କିସମର ଅପରାଧ ବି ବଢୁଛି । ଅନ୍ୟ ପକ୍ଷରେ ଅବକାରୀ ମାମଲାରେ ଦଣ୍ଡବିଧାନ ହାର ଅତି ନୈରାଶ୍ୟଜନକ ହେଉଥିବାରୁ ଚୋରା ନିଶାବେପାରୀ ଓ ନିଶାଡିମାନଙ୍କର ବ୍ୟବସ୍ଥା ପ୍ରତି ଭୟ ରହୁନାହିଁ ।

ନିକଟରେ ରାଜଧାନୀ ଜାତୀୟ ରାଜପଥ ଉପରେ ଅଭିଯୁକ୍ତ ନିଶା ବେପାରୀଙ୍କ ଷଡଯନ୍ତ୍ର କ୍ରମେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି । ଏ ପ୍ରସଙ୍ଗରେ ବିରୋଧି ଓ ସରକାରୀଦଳର ନେତାମାନେ ପରସ୍ପର ଉପରେ ଦୋଷାରୋପ କରୁଥିବାବେଳେ ନିଶା ସମସ୍ୟାର କିଭଳି ନିରାକରଣ ହେବ ସେଥିଘେନି କିନ୍ତୁ କେହି ପାଟି ଫିଟାଉ ନାହାନ୍ତି ।

ପ୍ରାୟ ପ୍ରତିଦିନ ଚୋରା ମଦ, ବେଆଇନ୍‍ କଫ୍‍ସିରପ, ଗଞ୍ଜେଇ, ହୋରୋଇନ୍‍, ଚରସ ଓ ଅନ୍ୟାନ୍ୟ ନିଶା ସାମଗ୍ରୀ କାରବାର ସଂକ୍ରାନ୍ତୀୟ ଖବର ଗଣମାଧ୍ୟମରେ ପ୍ରକାଶିତ ହେଉଛି । ଏମିତିକି ଚଢାଉ କରି ଚୋରା ନିଶା ସାମଗ୍ରୀ ଜବତ ଓ ଏଥିରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ଖବର ବି ବାରମ୍ବାର ପ୍ରକାଶିତ ହେଉଛି । ଅନ୍ୟ ପକ୍ଷରେ ଏଭଳି କିସମର ମାମଲାରେ ଫଏସଲା ଓ ଦଣ୍ଡବିଧାନ ହାର ଅତ୍ୟନ୍ତ ନୈରାଶ୍ୟଜନକ ରହୁଛି । ଏମିତିକି ଭାରତବର୍ଷର ମହାଲେଖାକାର ତାଙ୍କ ରିପୋର୍ଟରେ ଓଡିଶାରେ ଅବକାରୀ ମାମଲାରେ ଦଣ୍ଡବିଧାନ ହାର ନଗଣ୍ୟ ବୋଲି ଉଲ୍ଲେଖ ସହ ଏଥିଘେନି ଉଦବେଗ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ ମଧ୍ୟ ଅତୀତରେ ବିଧାନସଭାରେ ଉପସ୍ଥାପିତ ହୋଇଛି ।

ଅବକାରୀ ମାମଲାରେ ଦଣ୍ଡବିଧାନ ହାର ବଢାଇବା ସହ ମାମଲାର ବିଚାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ ଅବକାରୀ ବିଭାଗର ସ୍ୱତନ୍ତ୍ର ପ୍ରସିକ୍ୟୁସନ ୟୁନିଟ୍‍ ଗଠନ କରିବାକୁ ରାଜ୍ୟ ସରକାର ଯାଉଛନ୍ତି । ତେବେ ଏଥିଯୋଗୁଁ ନିଶା କାରବାର ଯେ ବନ୍ଦ ହୋଇଯିବ ସେଥିଘେନି ମଦମୁକ୍ତି ଅଭିଯାନ ସହ ଜଡିତ ସ୍ୱେଚ୍ଛାସେବୀମାନେ ସନ୍ଦେହ ବ୍ୟକ୍ତ କରୁଛନ୍ତି ।

ଆଳୁ, ପିଆଜ, ଡାଲି, ତେଲ, ଲୁଣ, କପଡା ଆଦି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀପାଇଁ ଓଡିଶା ଅନ୍ୟ ରାଜ୍ୟଗୁଡିକ ଉପରେ ନିର୍ଭରଶୀଳ ଥିବାବେଳେ ଓଡିଶାରେ ଉତ୍ପାଦିତ ହେଉଥିବା ବେଆଇନ୍‍ ଗଞ୍ଜେଇ କିନ୍ତୁ ଚୋରାରେ ଦେଶର ବିଭିନ୍ନ ରାଜ୍ୟକୁ ପଠାଯାଉଛି । ବେଳେବେଳେ ରାଜ୍ୟ ଭିତରେ ଓ ବାହାରେ ଓଡିଶାରେ ଉତ୍ପାଦିତ ଏହି ଚୋରା ଗଞ୍ଜେଇ ଧରାପଡୁଛି । ପୁଲିସ୍‍ ଓ ଅବକାରୀ ବିଭାଗ ଚଢାଉ କରି ବିଭିନ୍ନ ସମୟରେ ଲକ୍ଷ ଲକ୍ଷ ଗଞ୍ଜେଇ ଗଞ୍ଜ ନଷ୍ଟ କରୁଛନ୍ତି । ଅନ୍ୟ ପକ୍ଷରେ ଯେତେ ଗଞ୍ଜେଇଗଛ ନଷ୍ଟ ହେଉଛି ତାହା ଅପେକ୍ଷା ଢେର ଅଧିକ ପରିମାଣର ଗଞ୍ଜେଇ ଗଛରୁ ଚୋରା ଉତ୍ପାଦ ହେଉଥିବା ମଦମୁକ୍ତି ଅଭିଯାନ ଖୋଲା ଅଭିଯୋଗ କରୁଛି ।

ଅତୀତରେ ନିଶା ଜନିତ ବିଭିନ୍ନ ଦୁର୍ଘଟଣା ଘେନି ବସାଯାଇଥିବା ତଦନ୍ତ କମିଶନ ଓ ଅନ୍ୟାନ୍ୟ ରିପୋର୍ଟରେ ବାରମ୍ବାର ଦର୍ଶାଯାଇଛି ଯେ ଚୋରା ନିଶା ବେପାର ସହିତ ରାଜନୈତିକ ବ୍ୟକ୍ତିବିଶେଷ ଓ ବିଭାଗୀୟ କର୍ତ୍ତୃପକ୍ଷ ଜଡିତ ରହୁଛନ୍ତି । ଏମିତିକି କଟକ ମଦମ୍ୟତ୍ୟୁ ଦୁର୍ଘଟା ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚର ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ଖାକି ପୋଷାକ ପରିହିତ କିଛି ପୁଲିସ୍‍ ଓ ଅବକାରୀ କର୍ମଚାରୀ ଚୋରା ମଦ ବେପାରିକୁ ସହଯୋଗ କରିଥିଲେ ବୋଲି ସେତେବେଳର ଆରଡିସିଙ୍କ ରିପୋର୍ଟରେ ସରକାର ଚଳାଉଥିବା ବ୍ୟକ୍ତିବିଶେଷ ଓ ଥାନା ଫାଣ୍ଡି ଆଦି ଚୋରା ନିଶା ବେପାରୀ ଠାରୁ ନିୟମିତ ବଟି ନେଉଥିବା ଦର୍ଶାଯାଇଥିଲା । ଏହା ସତ୍ୱେ ନିଶା କମିବା ପରିବର୍ତ୍ତେ ସରକାରୀ କାଉଣ୍ଟର ଓ ଚୋରା ବେପାରୀଙ୍କ ମଧ୍ୟରେ ବୃଦ୍ଧିପାଇ ଜନଜୀବନକୁ ବିପର୍ଯ୍ୟସ୍ତ କରିଦେଉଛି । (ତଥ୍ୟ)