ଭୁବନେଶ୍ୱର : ଚିଲିକାର ଜଳରାଶି ପାଇଁ ଏବେ ପଲିଥିନ୍ ବିପଦ । ଗୋଟିଏ ପଟେ ଚିଲିକାରେ ଦୟା, ଗଙ୍ଗୁଆ ଆଦିର ଅପରିଷ୍କାର ଜଳ ପ୍ରବେଶ କରି ତାହାକୁ ଧିରେ ଧିରେ ଦୂଷିତ କରୁଥିବାବେଳେ ଅନ୍ୟପଟେ ଚିଲିକାରେ ପଡୁଥିବା ପଲିଥିନ୍ ଏବେ ନୂଆ ବିପଦ ହୋଇ ଉଭା ହେଲାଣି ।
ପର୍ଯ୍ୟଟନ ଋତୁରେ ଚିଲିକା ହେଉଛି ପର୍ଯ୍ୟଟକମାନଙ୍କର ମୁଖ୍ୟ ଆକର୍ଷଣ । ସେଥିପାଇଁ ଉଭୟ ବରକୁଳ ଓ ସାତପଡା ପଟୁ ପର୍ଯ୍ୟଟକମାନଙ୍କର ଭିଡ ଜମିଥାଏ । ତେବେ ବରକୁଳ ପଟେ ଚିଲିକାକୂଳରେ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ପଲିଥିନ୍ ସମେତ ଅନ୍ୟାନ୍ୟ ଆବର୍ଜନାକୁ ଚିଲିକାରେ ଫୋପାଡିବାରେ ଲାଗିଛନ୍ତି । ସେହିଭଳି ସାତପଡା ପଟୁ ପ୍ରବେଶ କରୁଥିବା ପର୍ଯ୍ୟଟକମାନେ ମଧ୍ୟ ନିଜ ସାଙ୍ଗରେ ଆଣୁଥିବା ପଲିଥିନ୍କୁ ଚିଲିକା କୂଳରେ ନଚେତ୍ ପାଣି ଭିତରେ ଫୋପାଡି ଦେଉଛନ୍ତି । ପଲିଥିନ୍କୁ ସଫା କରିବାପାଇଁ ସେଭଳି କୌଣସି ଯୋଜନା ହେଉନଥିବାବେଳେ ପ୍ରତିଦିନ ଯେଉଁ ସଂଖ୍ୟାରେ ପଲିଥିନ୍ ସମେତ ଅନ୍ୟାନ୍ୟ ବର୍ଜ୍ୟ ଚିଲିକାରେ ପଶୁଛି ତାହାକୁ କିଭଳି ସଫା କରାଯିବ ତାହା ବଡ ଚିନ୍ତାର କାରଣ ପାଲଟିଲାଣି ।
ରାଜଧାନୀର ବର୍ଜ୍ୟଜଳ ମିଶୁଥିବା ଗଙ୍ଗୁଆ ଓ ଦୟାଜଳ ଚିଲିକାରେ ପଡୁଥିବାରୁ ଚିଲିକା ଜଳ ଧିରେ ଧିରେ ବିଷାକ୍ତ ହେବାରେ ଲାଗିଛି । ଏଥିଯୋଗୁଁ ଚିଲିକାରେ ମାଛ, କଙ୍କଡା, ଚିଙ୍ଗୁଡି ଆଦି ଆଉ ପୂର୍ବଭଳି ନଥିବା ମତ୍ସ୍ୟଜୀବୀମାନେ ସ୍ୱୀକାର କରୁଛନ୍ତି । ଏହା ସାଙ୍ଗକୁ ଏବେ ପଲିଥିନ୍ ଓ ଅନ୍ୟାନ୍ୟ ପ୍ଲାଷ୍ଟିକ ବର୍ଜ୍ୟ ପ୍ରବେଶ ସ୍ଥିତିକୁ ବିଗାଡିବାରେ ଲାଗିଛି ।
ଏକକ ବ୍ୟବହୃତ ପଲିଥିନ୍ ସମେତ ପ୍ଲାଷ୍ଟିକ ବୋତଲ, ବିସ୍କୁଟ, ମିକଶ୍ଚର, ଗୁଟ୍ଖା ଆଦିର ଜରି ଚିଲିକା ଭିତରକୁ ଯାଉଛି । ଏଥି ସହିତ ବରକୁଳ ଚିଲିକା କୂଳରେ ଥିବା ବ୍ୟବସାୟୀମାନେ ଦୈନିକ ପଲିଥିନ୍ ସତେମ ଅନ୍ୟାନ୍ୟ ବର୍ଜ୍ୟକୁ ଚିଲିକାରେ ଫୋପାଡିବାରେ ଲାଗିଛନ୍ତି ।
ଚିଲିକାକୁ ସଫା କରିବାପାଇଁ ନିକଟରେ ଗୋଟିଏ ବେସରକାରୀ ସଂସ୍ଥା ପ୍ରସ୍ତାବ ଦେଇଥିଲା । ହେଲେ ସଂସ୍ଥାଟି ଯେତିକି ଅର୍ଥ ଖର୍ଚ୍ଚ କରିବ ବୋଲି ଦର୍ଶାଇଥିଲା ସେତିକି ଅର୍ଥରେ ଚିଲିକା ସଫା ହୋଇପାରିବ ନାହିଁ ବୋଲି ଦର୍ଶାଇ ତାହାର ପ୍ରସ୍ତାବକୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ନାକଚ କରିଦେଇଛନ୍ତି । ଚିଲିକାକୁ ସଫା କରିବାପାଇଁ ବିପୁଳ ଅର୍ଥ ଆବଶ୍ୟକ ବୋଲି ଦର୍ଶାଇଛନ୍ତି । ତେବେ ଏହି ବିପୁଳ କେଉଁ ସୂତ୍ରରୁ ଆସିବ ଓ ଚିଲିକା କେବେ ପରିଷ୍କାର ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।
ଚିଲିକାରେ ଏବେ ବି ଲୁଚା ଛପାରେ ଚିଙ୍ଗୁଡି ଘେରି ଚାଲୁଥିବାବେଳେ ଦୈନିକ ଶହ ଶହ ଡିଜେଲ ଚାଳିତ ଡଙ୍ଗା ଆତଯାତ ହେଉଛନ୍ତି । ଏଥିରୁ ନିର୍ଗତ କଳାଧୂଆଁ ଓ ବିକଟାଳ ଶବ୍ଦ ଚିଲିକାକୁ ଆସୁଥିବା ପକ୍ଷୀଙ୍କ ଠାରୁ ପର୍ଯ୍ୟଟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ କୁପ୍ରଭାବ ପକାଉଛି । ଚିଲିକାରେ ପରିବେଶ ଅନୁକୂଳ ସୌରଚାଳିତ କିମ୍ବା ବ୍ୟାଚେରୀ ଚାଳିତ ଡଙ୍ଗା ଚଳାଚଳ ଯୋଜନା ଏକ ପ୍ରକାର ଶୀତଳ ଭଣ୍ଡାରରେ ରହିଥିବାବେଳେ ଯେଉଁମାନେ ବି ଚିଲିକାରେ କାମ କରିବାକୁ ଆଗେଇ ଆସୁଛନ୍ତି ସେମାନଙ୍କୁ ନକରାତ୍ମକ ବାଣୀ ଶୁଣାଇବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । (ତଥ୍ୟ)